ମୁମ୍ୱାଇ: ପ୍ରସିଦ୍ଧ ବଲିଉଡ ଅଭିନେତା ଭରତ କପୁର ଆଉ ନାହାନ୍ତି । ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବରରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟ ଅନୁଯାୟୀ, ଭରତ କପୁର କିଛି ସମୟ ଧରି ଅସୁସ୍ଥ ଥିଲେ । ଗତ ତିନି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଏହା ପୂର୍ବରୁ ସେ ଏକ ହସ୍ପିଟାଲରେ ମଧ୍ୟ ଚିକିତ୍ସାଧୀନ ଥିଲେ । ଅଭିନେତା ଅବତାର ଗିଲ୍ ତାଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଭରତ କପୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା । ସେ ସୋମବାର ଅପରାହ୍ନ ପ୍ରାୟ ୩.୩୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଦଶନ୍ଧି ଧରି ଅଭିନୟ:
ଭରତ କପୁରଙ୍କ ଶେଷକୃତ୍ୟ ସନ୍ଧ୍ୟା ୭ଟାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ତାଙ୍କର ପ୍ରାର୍ଥନା ସଭା ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କିଛି ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସେ ବୟସଜନିତ ରୋଗ ସହ ତାଙ୍କର ଅନେକ ଅଙ୍ଗ କରୁନଥିଲା କାମ । ଭରତ କପୁର କିଛି ଦଶନ୍ଧି ଧରି ଚଳଚ୍ଚିତ୍ର, ଟେଲିଭିଜନ ଏବଂ ଥିଏଟରରେ କାମ କରିଥିଲେ। ସେ ବିଶେଷ ଭାବରେ ତାଙ୍କର ବଳିଷ୍ଠ ଚରିତ୍ର ଏବଂ ଅଭିନୟ ପାଇଁ ଜଣାଶୁଣା ଥିଲେ।
ସ୍ମରଣୀୟ ଚଳଚ୍ଚିତ୍ର:
ତାଙ୍କର ଦୀର୍ଘ କ୍ୟାରିଅରରେ, ଭରତ କପୁର ବଲିଉଡ୍କୁ ଅନେକ ସ୍ମରଣୀୟ ଭୂମିକା ଦେଇଥିଲେ । ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ୧୯୭୨ ମସିହାରେ ଫିଲ୍ମ ଜଙ୍ଗଲ ମେ ମଙ୍ଗଲ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଯେଉଁଥିରେ ସେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ, ଭରତ କପୁରଙ୍କୁ ରାମ ବଳରାମ, ବୁଲନ୍ଦି, ବଜାର, ଆଖି ରାସ୍ତା ଓ ଖୁଦା ଗୱାହ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ସେ ଅନେକ ଟିଭି ଧାରାବାହିକରେ ମଧ୍ୟ ଦେଖାଦେଇଥିଲେ।
ସୌଜନ୍ୟ Prameya News7

