ରାଜ୍ୟ

ଆଜି ଦିଲ୍ଲୀ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଜଳଶକ୍ତି ମନ୍ତ୍ରଣାଳୟ ଶିଖର ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ୱର, ୦୧/୦୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀ ଉଦ୍‌ଯାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଯୋଗଦେବେ ।

ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଏଭଳି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ମଙ୍ଗଳବାର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ଏହା ଉଦ୍‌ଯାପିତ ହେବ । ଉଦ୍‌ଯାପନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ, ଜଳ ଭିତ୍ତିଭୂମି ପ୍ରକଳ୍ପର ସମୟୋଚିତ କାର୍ଯ୍ୟକାରିତା, ଜଳ ସଞ୍ଚୟ, ପାନୀୟଜଳ ବ୍ୟବସ୍ଥାର ଉତ୍ସ ସ୍ଥିରତା, ଜଳ ଜୀବନ ମିଶନ ୨.୦ ଅଧୀନରେ ଗ୍ରାମୀଣ ପାନୀୟଜଳ ଯୋଗାଣ, ବର୍ଷାଜଳ ଅମଳ, ଭୂତଳ ଜଳ ସଂରକ୍ଷଣ ଆଦି ବିଷୟ ନେଇ ଆଲୋଚନା ହେବ । ବୁଧବାର କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ ବୋଲି ଜଣାପଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button