ଆମେରିକା ରିପୋର୍ଟରେ ଦାବି ; ଭାରତ ରଖିଛି ୧୯୦ ପରମାଣୁ ବୋମା

ୱାଶିଂଟନ: ଭାରତ ପାଖରେ ୧୯୦ ପରମାଣୁ ଅସ୍ତ୍ର ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଆଉ ୩୫ଟି ପରମାଣୁ ଅସ୍ତ୍ର ନିର୍ମାଣ ଲାଗି ଭାରତ ପାଖରେ ପ୍ଲୁଟୋନିୟମ ମହଜୁଦ ଅଛି। ଏହାକୁ ମିଶାଇଲେ ଭାରତର ପରମାଣୁ ଅସ୍ତ୍ର ସଂଖ୍ୟା ୨୨୫କୁ ବୃଦ୍ଧି ପାଇବ। ଆମେରିକା ଥିଙ୍କଟ୍ୟାଙ୍କ୍ ଫେଡେରେସନ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟସ୍ (ଏଫଏଏସ)ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସମୁଦ୍ରରୁ ପରମାଣୁ ଆକ୍ରମଣ କରିବାର କ୍ଷମତା ମଧ୍ୟ ଭାରତ ମଜବୁତ କରୁଛି। ପରମାଣୁ ଶକ୍ତି ଚାଳିତ ବୁଡ଼ାଜାହାଜରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମୁତୟନ କରି ନୌସେନା ମାଧ୍ୟମରେ ଭାରତ ସମୁଦ୍ରରେ ନିଜର ‘ପରମାଣୁ କବଚ’ ନିର୍ମାଣ କରୁଛି। ଭାରତ ପାଖରେ ଥିବା ୧୯୦ଟି ପରମାଣୁ ଅସ୍ତ୍ର ମଧ୍ୟରୁ ୧୬୦ରୁ ଅଧିକ ପୂର୍ବରୁ ଥିବା କ୍ଷେପଣାସ୍ତ୍ର ପାଇଁ ପ୍ରସ୍ତୁତ ହୋଇଛି। ନୂଆ କ୍ଷେପଣାସ୍ତ୍ର ପାଇଁ ବାକି ପରମାଣୁ ଅସ୍ତ୍ର ରହିଛି। ସେହିପରି ଗତ ୬ ବର୍ଷରେ ଭାରତ ୪୦ଟି ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଛି। ଭାରତ କ୍ରମାଗତ ଭାବେ ନିଜ ପରମାଣୁ ଶକ୍ତିର ମଧ୍ୟ ଆଧୁନିକୀକରଣ କରୁଛି। ଗତ କିଛି ବର୍ଷ ମଧ୍ୟରେ ଅନେକ ପରମାଣୁ-ଚାଳିତ ଅସ୍ତ୍ରଶସ୍ତ୍ର ସେନାବାହିନୀରେ ସାମିଲ କରାଯାଇଛି।
ରିପୋର୍ଟ ଅନୁଯାୟୀ, ୨୦୨୬ ପ୍ରାରମ୍ଭ ସୁଦ୍ଧା ଭାରତ ପାଖରେ ପ୍ରାୟ ୭୩୦ କେଜି ପ୍ଲୁଟୋନିୟମ୍ ଥିଲା। ଏହି ପ୍ଲୁଟୋନିୟମରେ ୨୨୫ଟି ଯୁଦ୍ଧାସ୍ତ୍ର ନିର୍ମାଣ କରାଯାଇପାରିବ। ତେବେ ଏହା କେବଳ ଆକଳନ ଉପରେ ଆଧାରିତ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଅସ୍ତ୍ରଶସ୍ତ୍ରର ପ୍ରକୃତ ସଂଖ୍ୟା ଯୁଦ୍ଧାସ୍ତ୍ରର ଡିଜାଇନ୍ ଏବଂ ସଂରକ୍ଷିତ ରଖାଯାଇଥିବା ସାମଗ୍ରୀ ଉପରେ ନିର୍ଭର କରୁଛି। ଆକଳନ ଅନୁଯାୟୀ, ଭାରତ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରୁଥିବା ଓ ନିକ୍ଷେପ କରିପାରୁଥିବା ୯ଟି ସିଷ୍ଟମ ରହିଛି। ଆଣବିକ ଶକ୍ତି ଦ୍ବାରା ପରିଚାଳିତ ତିନିଟି ବୁଡ଼ାଜାହାଜ ରହିଛି। ସେହିପରି ଅଗ୍ନି-୫କୁ ଅଧିକ ମଜଭୁତ କରିବା ପାଇଁ ଭାରତ ପ୍ରୟାସ ଜାରି ରଖିଥିବା କୁହାଯାଇଛି। ଏହି କ୍ଷେପଣାସ୍ତ୍ର ଏକ ସଙ୍ଗେ ଅନେକ ଠିକଣାକୁ ନିଶାଣ କରିପାରିବ।
ସୌଜନ୍ୟ ସମ୍ବାଦ




