ଦେଶ ବିଦେଶ

ପୂର୍ବତନ ବିଧାୟକଙ୍କୁ ଆଜୀବନ ପେନ୍‌ସନ ; ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ: ପୂର୍ବତନ ବିଧାୟକଙ୍କୁ ଆଜୀବନ ପେନ୍‌ସନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ ନେଇ ରହିଥିବା ଆଇନର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଦାୟର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟ୍ଟାଙ୍କୁ ନେଇ ଗଠିତ ପୀଠ ପିଆଇଏଲର ଶୁଣାଣି କରି ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ଲୋକ ପ୍ରହରୀ ନାମକ ଏକ ଏନଜିଓ ପକ୍ଷରୁ ଦାୟର ପିଆଇଏଲରେ ଉତ୍ତରପ୍ରଦେଶ ରାଜ୍ୟ ବିଧାନସଭା (ସଦସ୍ୟଙ୍କର ଦରମା, ଭତ୍ତା ଓ ପେନ୍‌ସନ) ଆଇନ, ୧୯୮୦ ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରାଯାଇଛି। ଆଇନର ଧାରା ୪,୫,୯, ୧୩(୩), ୧୩(୪), ୧୫(୨), ୧୭-ଏ ଓ ଚାପ୍ଟର-୮ରେ ପୂର୍ବତନ ବିଧାୟକଙ୍କ ପେନ୍‌ସନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଚାପ୍ଟର ୮ ଅନୁଯାୟୀ ପୂର୍ବତନ ବିଧାୟକଙ୍କୁ ଆଜୀବନ ପରିବାର ପେନ୍‌ସନ ସହିତ ଗସ୍ତ ଖର୍ଚ୍ଚ, ଡାକ୍ତରୀ ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି। ଜଣେ ବ୍ୟକ୍ତି ମାତ୍ର ୫ବର୍ଷ ପାଇଁ ବିଧାୟକ ହୋଇ ସାରା ଜୀବନ ପେନ୍‌ସନ ପାଇବା କେତେ ଦୂର ଯଥାର୍ଥ ତାକୁ ଚାଲେଞ୍ଜ କରାଯାଇଛି।
ଲୋକ ପ୍ରହରୀ ପ୍ରଥମେ ଏହି ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାତ୍ର ହାଇକୋର୍ଟ ଏହି ପିଆଇଏଲ୍‌କୁ ଖାରଜ କରିଦେଇଥିଲେ। ଫଳରେ ଏହା ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ହାଇକୋର୍ଟ ତାଙ୍କର ଶୁଣାଣି ସମୟରେ କହିଥିଲେ ଯେ ପୂର୍ବତନ ବିଧାୟକଙ୍କ ସ୍ବତନ୍ତ୍ର ବର୍ଗ ଭାବେ ବିବେଚନା କରାଯାଇପାରିବ। ମାତ୍ର ସେମାନଙ୍କୁ ଆଜୀବନ ପରିବାର ପେନ୍‌ସନ ପ୍ରଦାନ କରିବା ପାଇଁ କୌଣସି ସାମ୍ବିଧାନିକ ବ୍ୟବସ୍ଥା ନାହିଁ। ପୂର୍ବତନ ବିଧାୟକ (ଉଭୟ ବିଧାନସଭା ଓ ବିଧାନ ପରିଷଦ ସଦସ୍ୟ)ଙ୍କୁ ପେନ୍‌ସନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ କରିବା ଏକ ନୀତିଗତ ନିଷ୍ପତ୍ତି। ଏଥିପାଇଁ କୌଣସି ସାମ୍ବିଧାନିକ ନିୟମ ନାହିଁ। ଏପରି କ୍ଷେତ୍ରରେ ସୁପ୍ରିମକୋର୍ଟ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଆଗାମୀ ସମୟରେ ଜଣାପଡିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button