ଚାନ୍ଦବାଲି: ବେଆଇନ କାର୍ଯ୍ୟ ନ କରିବାରୁ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରୁ ଘୋଷାରି ନେଇ ପିଟିଛନ୍ତି। ସର୍ବସମ୍ମୁଖରେ ଆର୍ଆଇଙ୍କୁ ଆଖିବୁଜା ମାଡ଼ ହୋଇଛି। ଭଦ୍ରକଜିଲ୍ଲା ଚାନ୍ଦବାଲି ତହସିଲ ଅଧୀନସ୍ଥ ସାରଣା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ସୂଚନା ଅନୁସାରେ, ସାରଣା ଆର୍ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ଅଫିସକୁ ଯାଇ କିଛି କାର୍ଯ୍ୟ କରିବା ପାଇଁ କହିଥିଲେ। କିନ୍ତୁ ଏହା ବେଆଇନ କାମ ହୋଇଥିବାରୁ ଆର୍ଆଇ ଶ୍ରୀ ଜେନା କରିବାକୁ ମନା କରିଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ ସୁବାସ ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଘୋଷାରି ନେଇ ପିଟିଥିଲେ। ଫଳରେ ଶ୍ରୀ ଜେନା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରବର୍ତ୍ତୀ ସମୟରେ ଆର୍ଆଇ ଶ୍ରୀ ଜେନା ଚାନ୍ଦବାଲି ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସାରଣା ଆର୍ଆଇ ଅଫିସରେ ପହଞ୍ଚି ତଦନ୍ତ କରିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାନ୍ଦବାଲି ଆଇଆଇସି ପରେଶ ମହାନ୍ତି କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ କହିଛନ୍ତି।
ସୌଜନ୍ୟ ସମ୍ବାଦ
