ଇରାନ ଆନ୍ଦୋଳନର ସୂତ୍ରଧର; ହଜାଇଦେଲେ ଖାମେନିଙ୍କ ନିଦ, ଗିରଫ ପରେ ଥରହର ତେହେରାନ…

ନୂଆଦିଲ୍ଲୀ :  ଅଶାନ୍ତ ଇରାନ । ପରିସ୍ଥିତି ଅଣାୟତ୍ତ। ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି, ଗଭୀର ଅର୍ଥନୈତିକ ସଙ୍କଟ ମାଡ଼ ସାଧାରଣ ଲୋକଙ୍କୁ ପଙ୍ଗୁ କରିଦେଇଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ଲୋକେ ଧୈର୍ଯ୍ୟ ହରା। ତେହେରାନରେ ସୃଷ୍ଟି ହୋଇଥିବା ଅସନ୍ତୋଷର ଜ୍ୱଳା 50ରୁ ଅଧିକ ସହରରେ ବ୍ୟାପିଛି। ହଜାର ହଜାର ଲୋକେ ରାଜ ରାସ୍ତାରେ। ଆରମ୍ଭରୁ ଶାନ୍ତ ଦେଖା ଯାଉଥିବା ଏହି ବିରୋଧ ପ୍ରଦର୍ଶନ ଖୁବ୍ ଶୀଘ୍ର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶାସନ ବିରୋଧି ବିଦ୍ରୋହରେ ହୋଇଥିଲା ପରିଣତ। ଯାହା ସ୍ଲୋଗାନ, କ୍ରୋଧ ଅସନ୍ତୋଷ ଓ ହିଂସାରେ ପରିଣତ ହୋଇଥିଲା। ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି କରିଥିଲା। ପରିସ୍ଥିତି ଏତେ ନିୟନ୍ତ୍ରଣ ବାହାରକୁ ଚାଲିଗଲା ଯେ 5,000 ରୁ ଅଧିକ ଲୋକ ହରାଇଲେ ପ୍ରାଣ । ଇରାନ ରକ୍ତପାତର ସେ ଚିତ୍ର ଥିଲା ବେଶ୍ ଭୟଙ୍କର।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ବିରୋଧର ସୂତ୍ରଧର ଜଣେ ମହିଳା ବୋଲି କୁହାଯାଉଛି । ନାଁ ନାଜାନିନ୍ ବରାଦରନ୍। 63 ବର୍ଷୀୟ ଏହି ମହିଳା ଏହି ପ୍ରତିବାଦର ନେତୃତ୍ୱ ନେଇଥିବା ଅଭିଯୋଗ ହୋଇଛି। IRGC ନାଜାନିନ୍ ବରାଦରନଙ୍କୁ ଏବେ ଗିରଫ। ଇରାନୀ ଗଣମାଧ୍ୟମ ମଧ୍ୟ ଅଭିଯୋଗ କରିଛି ଯେ ସେହି ମହିଳାଙ୍କର ଆମେରିକା ଏବଂ ଇସ୍ରାଏଲ ସହିତ ରହିଛି ସମ୍ପର୍କ। ଅନ୍ୟପଟେ ଏହି ବିଦ୍ରୋହ ପାଇଁ ଅନେକ ଷଡ଼ଯନ୍ତ୍ରକାରୀଙ୍କୁ ଅଟକ ରଖାଯାଇଛି, ଯେଉଁଥିରେ ନାଜାନିନ୍ ବରାଦରନ୍ ବି ସାମିଲ ଅଛନ୍ତି। ତାଙ୍କୁ ଗୁପ୍ତଚର କାମ ପାଇଁ ଗିରଫ କରାଯାଇଛି। ତେବେ ଆସନ୍ତୁ ଜାଣିବା ନାଜାନିନ୍ ବାରାଦରନ କିଏ?

ଇରାନୀ ବିକ୍ଷୋଭକାରୀଙ୍କ ନେତା ନାଜାନିନ୍ ବରାଦରନ। ୧୯୬୩ ମସିହାରେ ତାଙ୍କ ଜନ୍ମ। ସେ ଇରାନର ଶିରାଜରେ ଥିବା ଶିରାଜ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଥିଲେ। ନାଜାନିନ୍ ଦେଶର ଅନେକ ପ୍ରସଙ୍ଗରେ ସକ୍ରିୟ, ବିଶେଷକରି ମହିଳା ସଶକ୍ତିକରଣ। କିନ୍ତୁ ଇରାନ ଉତ୍ତେଜନା ଭିତରେ ଏ ଖବର ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ। ଇରାନୀ ଗଣମାଧ୍ୟମ ଅନୁସାରେ ଦେଶର ନିର୍ବାସିତ ରାଜକୁମାର ରଜା ପହଲାଭିଙ୍କ ସହ ତାଙ୍କ ସଂପର୍କ ଥିବା କୁହାଯାଉଛି। ରଜା ପହଲାଭି ମଧ୍ୟ ଇରାନ ଆନ୍ଦୋଳନକୁ ତେଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏକ ପୋଷ୍ଟ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରିଥିଲା। ତାଙ୍କ ଆହ୍ୱାନ ପରେ ବହୁ ସଂଖ୍ୟାରେ ଲୋକେ ରାଜ ରାସ୍ତାକୁ ଓହ୍ଲାଇଥିଲେ।ରିପୋର୍ଟ ଅନୁସାରେ, ଅଶାନ୍ତି ଏବଂ ହିଂସାତ୍ମକ ଆନ୍ଦୋଳନରେ ବରଦାରନଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ରଜା ପହଲଭିଙ୍କ ମାଧ୍ୟମରେ ହିଁ ବରାଦାରନ ଆମେରିକୀୟ ଗୁପ୍ତଚର ସଂସ୍ଥା, ସିଆଇଏ ସହିତ ଯୋଗାଯୋଗରେ ଥିଲେ । ଇରାନୀ ଗଣମାଧ୍ୟମ ମଧ୍ୟ ଦାବି କରିଛି ଯେ ଏହି ମହିଳାଙ୍କ ଗିରଫଦାରୀ ପରେ ଦେଶରେ ବିରୋଧ ପ୍ରଦର୍ଶନ ଶାନ୍ତ ପଡ଼ିଛି ।

୨୮ ଡିସେମ୍ବରରେ ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ତାଙ୍କର ପ୍ରଥମ ବିବୃତ୍ତିରେ ଆମେରିକା ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ, “ଇରାନର କ୍ଷତି ପାଇଁ ଟ୍ରମ୍ପ ଦୋଷୀ।” ଖାମେନି ଏହାକୁ ଆମେରିକାର ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ । ସେ କହିଥିଲେ ଯେ ଆମେରିକାର ଲକ୍ଷ୍ୟ ହେଉଛି ଇରାନକୁ ସାମରିକ, ରାଜନୈତିକ ଏବଂ ଆର୍ଥିକ ଭାବରେ ପୁନଃ ଦଖଲ କରିବା । ତେବେ ଇରାନର ଆଭ୍ୟନ୍ତରୀଣ ସଂଘର୍ଷ କେବେ ଶେଷ ହେବ ନା ଏହା ଆହୁରି ଅଧିକ ହେବ, ତାହା ଭବିଷ୍ୟତ ହିଁ କହିବ ।

ସୌଜନ୍ୟ Prameya News7

Exit mobile version