ଆମ ଭିତରୁ ଅଧିକାଂଶ ଲୋକଙ୍କ ପାଇଁ ଦୈନିକ ଅଢ଼େଇରୁ ସାଢ଼େ ତିନି ଲିଟର ପାଣି ଦରକାର ହୋଇଥାଏ। ଏଥିରୁ ପ୍ରାୟ ୨୦% ଖାଦ୍ୟରୁ ମିଳିଥାଏ। ଏହା ସତ୍ତ୍ବେ କେତେକ ଲୋକଙ୍କୁ ଶୋଷ ହୋଇ ଶରୀର ଜଳଶୁଷ୍କ ହେଲା ପରି ଲାଗେ। ତେଣୁ ଅଧିକ ପାଣି ପିଇଲେ ଜଳଶୁଷ୍କତା ଦେଖାଯାଏ ନାହିଁ ବୋଲି ଅନେକଙ୍କର ଧାରଣା। ହେଲେ ଯେତେ ପାଣି ପିଇଲେ ବି କିଛି ଲୋକଙ୍କୁ ଶୋଷହୁଏ ଓ ହାଲିଆ ଲାଗେ କାହିଁକି? ସାଧାରଣତଃ ଗରମ ପାଗ ଓ କାର୍ଯ୍ୟବ୍ୟସ୍ତ ରହିଲେ ଏହିଭଳି ହୁଏ। ତେଣୁ ପିଉଥିବା ପାଣି ଉପରେ ଶୋଷ ବା ଜଳଶୁଷ୍କତା ନିର୍ଭର କରେ ନାହିଁ। କଥା ହେଉଛି, ପିଉଥିବା ପାଣିକୁ ଦେହ କିପରି ବିଶୋଷଣ କରି ବଣ୍ଟନ କରିବା ସହ ଦେହରେ ତାକୁ ଧରି ରଖୁଛି, ତାହା ବଡ଼କଥା। ବିଭିନ୍ନ ଜୀବନ ଶୈଳୀ, ଖାଦ୍ୟରୁଚି ଓ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଦେହର ଜଳଶୁଷ୍କତାକୁ ପ୍ରଭାବିତ କରିଥାଏ। ଫଳରେ ଯେତେ ପାଣି ପିଇଲେ ବି ଶୋଷହୁଏ। ମୁମ୍ବାଇସ୍ଥିତ ଫୋର୍ଟିସ୍ ହସ୍ପିଟାଲ୍ର ଡାକ୍ତର ଶୋଭା ଇଟୋଲିକର୍ କହନ୍ତି, ଯଥେଷ୍ଟ ପାଣି ପିଇବା ସତ୍ତ୍ବେ ଶୋଷ ଲାଗିବାର ବିଭିନ୍ନ କାରଣ ରହିଛି। ପିଇବା ପଦ୍ଧତି ଓ ସ୍ବାସ୍ଥ୍ୟାବସ୍ଥା ଭଳି ଅନେକ କାରଣ ଏଥିପାଇଁ ଦାୟୀ।
ଥରକେ ବହୁତ ପାଣି ପିଇବା ପରେ ଅନେକ ସମୟ ଧରି ଆଉ ପାଣି ନ ପିଇଲେ ଶୋଷ ଲାଗେ। ତେଣୁ ଏକା ଥରକେ ବହୁତ ପାଣି ନ ପିଇ ଦିନସାରା ନିୟମିତ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ପିଇବା ଉଚିତ। ଥରକେ ବହୁତ ପାଣି ପିଇଲେ ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। କାରଣ ଶରୀରରେ ସୋଡିୟମ୍ ପତଳା ହୋଇ ୱାଟର୍ ଇଣ୍ଟୋକ୍ସିକେସନ୍ ଭଳି ଅବସ୍ଥା ସୃଷ୍ଟି କରିଥାଏ। ଏଥିଯୋଗୁଁ ତଣ୍ଟି ଶୁଖିଯାଏ। ସେହିପରି ଚା, କଫି ଓ ମଦ ପିଇଲେ ବାରମ୍ବାର ପରିସ୍ରା ହୋଇ ଦେହରୁ ପାଣି କ୍ଷୟ ହୋଇଯାଏ।
ଏ ସମୟରେ ଯେତେ ପାଣି ପିଇଲେ ବି ଶୋଷ ଲାଗେ। ଭଲ ଭାବେ ପାଟି ଭିତର ପରିଷ୍କାର ନ କଲେ, ଧୂମପାନ କଲେ ଓ ତମାଖୁ ସେବନ କଲେ ମଧ୍ୟ ସବୁବେଳେ ଶୋଷହୁଏ। ଆମ ଖାଦ୍ୟ ଅନେକ ସମୟରେ ଶୋଷକୁ ପ୍ରଭାବିତ କରେ। ଅଧିକ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇଲେ ହଜମ ଓ ବର୍ଜ୍ୟ ନିଷ୍କାସନ ପାଇଁ ଅଧିକ ପାଣି ପିଇବାକୁ ପଡ଼େ। ଅଧିକ ଲୁଣ, ଚିନି ଓ ମସଲା ଖାଦ୍ୟ ଖାଇଲେ ଶୋଷହୁଏ। କମ୍ ଫାଇବର୍ଯୁକ୍ତ ଖାଦ୍ୟ ଯୋଗୁଁ ଦେହରେ ଜଳ ଧାରଣ କ୍ଷମତା କମିଯାଏ ବୋଲି ଡାକ୍ତର କହନ୍ତି। ସେହିପରି ଗରମ ପାଗରେ ବେଶି ବ୍ୟାୟାମ କଲେ ଓ ଝାଳ ବୋହିଲେ ଦେହରୁ ଅଧିକ ଜଳୀୟ ଅଂଶ ବାହାରିଯାଏ। ଫଳରେ ଶୋଷହୁଏ। ଏହାଛଡ଼ା ଜ୍ବର, ବାନ୍ତି ବା ଡାଇରିଆ ହେଲେ ଏବଂ ହାଇ ବ୍ଲଡ୍ ସୁଗାର୍ ଲେବଲ୍ ଶୋଷ ବଢ଼ାଇ ଥାଏ। ହର୍ମୋନ୍ ସନ୍ତୁଳନ ଠିକ୍ ନ ରହିଲେ ଶୋଷହୁଏ ଓ ତାହା ମେଣ୍ଟେ ନାହିଁ। ନିଦ, ଚାପ ଓ ଉତ୍କଣ୍ଠା ବି ଶୋଷ ବଢ଼ାଇଥାଏ। ଏହା ପ୍ରକୃତ ଜଳଶୁଷ୍କତା ନୁହେଁ। ଏହାଛଡ଼ା ଦେହରେ ସୋଡିୟମ୍ ଓ କ୍ଲୋରାଇଡ୍ ଭଳି ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳିତ ହେଲେ ଯେତେ ପାଣି ପିଇଲେ ବି ଶୋଷ ମରେ ନାହିଁ। ବାରମ୍ବାର ପାଣି ପିଇବାକୁ ଇଚ୍ଛା ହୋଇଥାଏ।
ସୌଜନ୍ୟ ସମ୍ବାଦ