ଏସ୍ସିବି ମେଡିକାଲ୍ରେ ଦେଢ଼ କୋଟି ଚଳୁ ମାମଲା: ଅସୁସ୍ଥତା ବାହାନା, ରିମାଣ୍ଡ ଅବଧି ସରିବା ପୂର୍ବରୁ ଜେଲ୍ ଫେରିଲା ଦୀନେଶ

କଟକ,୨୭/୦୯: ଏସ୍ସବି ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାକାଳୟର ଡାଟା ଏଣ୍ଟ୍ରି ଅପରେଟର୍ ଦୀନେଶ ରାଉତକୁ ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣି ନାକେଦମ୍ ହୋଇଛି । ସେ ଖଣ୍ଡେ ବିସ୍କୁଟ୍ ଛଡ଼ା ଆଉ କିଛି ଖାଇ ନଥିଲା । ଅସୁସ୍ଥ ଥିବା କହିଥିଲା । ତେଣୁ ବାଧ୍ୟ ହୋଇ ପୁଲିସ ତାକୁ ରିମାଣ୍ଡ୍ ଅବଧି ଶେଷ ହେବା ପୂର୍ବରୁ ଜେଲ୍ ପଠାଇ ଦେଇଛି । ଫଳରେ ତା’ ନିକଟରୁ ପୁଲିସ ଅଧିକ ତଥ୍ୟ ଓକାଳିପାରିନି ।
ଅଗଷ୍ଟ ୨୮ରେ ମଙ୍ଗଳାବାଗ ଥାନା ପୁଲିସ ଦୀନେଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେ ୨୦୧୬ରୁ ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୧୭ ଶହ କର୍ମଚାରୀଙ୍କ ମଧ୍ୟରୁ ଭିନ୍ନ ଭିନ୍ନ ସମୟରେ କର୍ମଚାରୀଙ୍କ ଟିଏ, ଡିଏ, ବର୍ଦ୍ଧିତ ଦରମା ବାବଦ ଏରିୟର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍, ବେଆଇନ ଭାବେ ଛୁଟି ନେବା ବାବଦ ଟଙ୍କା ନିଜ ଆକାଉଣ୍ଟ୍କୁ ଆଣି ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା । ମଙ୍ଗଳାବାଗ ଥାନା ପୁଲିସ ଦୀନେଶକୁ ୨୬ ତାରିଖ ଦିନ ଦୁଇଟାରେ ଜେଏମ୍ଏଫସି ସିଟି କୋର୍ଟ ମାଧ୍ୟମରେ ରିମାଣ୍ଡରେ ଆଣିଥିଲା । କୋର୍ଟର ନିର୍ଦ୍ଦେଶ ମୁତାବକ ୨୮ ତାରିଖ ଦିନ ଦୁଇଟା ବେଳେ ସେ କୋର୍ଟରେ ହାଜର ହୋଇଥାନ୍ତା ।
କିନ୍ତୁ ମଙ୍ଗଳାବାଗ ଥାନା ପୁଲିସ ୨୭ ତାରିଖ ଦିନ ଦୁଇଟା ବେଳେ ତାକୁ କୋର୍ଟରେ ହାଜର କରି ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତର କରିଛି । ସେ ରିମାଣ୍ଡ୍ରେ ଆସିଥିବା ବେଳେ ଥାନାରେ କିଛି ଖାଦ୍ୟ ନ ଖାଇ ମୁଣ୍ଡ ବୁଲାଉଥିବା ବେଳେ ପେଟରେ ଓ ଛାତିରେ ଯନ୍ତ୍ରଣା ଇତ୍ୟାଦି ବାହାନା ଦେଖାଇଥିଲା । ବାଧ୍ୟ ହୋଇ ପୁଲିସ ତାକୁ ରବିବାର ଜେଲ୍ ପଠାଇ ଦେଇଥିଲା । ସେ ରିମାଣ୍ଡ ଅବଧି ସମୟରେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ନିଜ ଆକାଉଣ୍ଟ ନମ୍ୱର୍ ଦେବା ନେଇ କରିଥିବା କାରସାଦି ସମ୍ପର୍କରେ ପୁଲିସକୁ କହିଥିଲା । ଏହା ସହିତ ନିଜ ଦରମା ଆକାଉଣ୍ଟ୍ରେ ଏହି ହେରଫେର ଟଙ୍କା ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଚେକ୍ ମାଧ୍ୟମରେ ଉଠାଇ ଅନ୍ୟ ଆକାଉଣ୍ଟକୁ ପଠାଉଥିଲା । ଯେଉଁ ଆକାଉଣ୍ଟକୁ ଏହି ଟଙ୍କା ସ୍ଥାନାନ୍ତର ହୋଇଛି, ସେହି ଆକାଉଣ୍ଟକୁ ମଧ୍ୟ ପୁଲିସ ଜବତ କରିବାକୁ ଯୋଜନା କରୁଛି ।
ସୌଜନ୍ୟ ପ୍ରମେୟ




