ଓଡ଼ିଆ ମାଧ୍ୟମ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳ, ଆସନ୍ତା ଶିକ୍ଷାବର୍ଷରେ ପଢ଼ିବେ ୨୦୧୩ର ସିଲାବସ୍, ନୂଆ ଜାତୀୟ ଶିକ୍ଷାନୀତି ଲାଗୁ କେବେ ?

କଟକ, ୨୨/୯ (ମହାଦେବ ସେଠୀ) : ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ ଚାଲିଛି । ବାଲ୍ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ନୂଆ ଶିକ୍ଷାନୀତି ଆଧାରରେ ପଢ଼ୁଛନ୍ତି । ମାତ୍ର ମାଧ୍ୟମିକ ଶିକ୍ଷାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରୁ ବଞ୍ଚିତ ହୋଇଛନ୍ତି । ଚଳିତବର୍ଷ ପରି ଆସନ୍ତା ଶିକ୍ଷାବର୍ଷରେ ବି ଉଭୟ ନବମ ଓ ଦଶମ ଛାତ୍ରଛାତ୍ରୀ ନୂଆ ଶିକ୍ଷାନୀତିର ପାଠ୍ୟକ୍ରମ ପଢିବାରୁ ବଞ୍ଚିତ ହେବେ ବୋଲି ହାଇସ୍କୁଲ୍ ଶିକ୍ଷକମାନେ ଆଶଙ୍କା କରୁଛନ୍ତି । ନୂଆ ଶିକ୍ଷାନୀତି ଆଧାରରେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ସିଲାବସ୍ ଓ ପାଠ୍ୟପୁସ୍ତକରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ)ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ମାତ୍ର ଏହି ନୂଆ ଶିକ୍ଷା ବ୍ୟବସ୍ଥାରୁ ରାଜ୍ୟ ମାଧ୍ୟମିକ ଶିକ୍ଷାର ନବମ ଶ୍ରେଣୀ ବିଦ୍ୟାର୍ଥୀ ବଞ୍ଚିତ ହୋଇଛନ୍ତି ।
୨୦୦୫ ଜାତୀୟ ପାଠ୍ୟକ୍ରମ ଆଧାରରେ ୨୦୧୩ରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପ୍ରସ୍ତୁତ କରିଥିବା ସିଲାବସ୍ ଓ ପାଠ୍ୟ ପୁସ୍ତକକୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଏବେ ବି ପଢ଼ୁଛନ୍ତି । ଆସନ୍ତା ଶିକ୍ଷାବର୍ଷରେ ନବମ ଓ ଦଶମ ବିଦ୍ୟାର୍ଥୀମାନେ ମଧ୍ୟ ୧୩ ବର୍ଷ ତଳର ପୁରୁଣା ସିଲାବସ୍ ଆଧାରରେ ପାଠ ପଢ଼ିବେ ବୋଲି ଆଶଙ୍କା କରାଯାଉଛି । ପ୍ରାଥମିକ ଶିକ୍ଷାରେ ନୂଆ ଜାତୀୟ ଶିକ୍ଷାନୀତିକୁ ଅନୁକରଣ କରି ଶିକ୍ଷାଦାନ ଚାଲିଥିବା ବେଳେ ମାଧ୍ୟମିକ ଶିକ୍ଷା ଏଥିରୁ କାହିଁକି ବାଦ ପଡ଼ିଛି ତାହା ବୁଝା ପଡ଼ୁନାହିଁ । ନୂଆ ଶିକ୍ଷା ନୀତି ଅନୁସାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ୯୦୦ ନମ୍ବର ପରୀକ୍ଷା ଦେବେ । ଏଥିରେ ବିଡ଼ମ୍ବନା ହେଉଛି, ଜଣେ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀ ଆସନ୍ତା ବର୍ଷ ନବମକୁ ଉତ୍ତୀର୍ଣ୍ଣ ହେଲେ ସେ ପୁରୁଣା ଶିକ୍ଷା ନୀତି ଆଧାରରେ ପାଠ ପଢ଼ିବ । କାରଣ ନୂଆ ଶିକ୍ଷା ନୀତି ଅନୁସାରେ ନବମ ଶ୍ରେଣୀର ସିଲାବସ୍ ପ୍ରସ୍ତୁତ ହୋଇନାହିଁ କିମ୍ବା ନୂଆ ପାଠ୍ୟପୁସ୍ତକ ଅଦ୍ୟାବଧି ଛପା ଯାଇନାହିଁ । ତେଣୁ ଅଷ୍ଟମରେ ୯୦୦ ନମ୍ବର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ଛାତ୍ର ନବମରେ ୬ ଶହ ନମ୍ବର ପରୀକ୍ଷା ଦେବ । ଯାହାକି ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ବଡ଼ ବ୍ୟତିକ୍ରମ ହେବ ବୋଲି ହାଇସ୍କୁଲ୍ ଶିକ୍ଷକମାନେ ଖୋଲାଖୋଲି କହୁଛନ୍ତି ।
ଜଣେ ଶିକ୍ଷାବିତ୍ଙ୍କ ମତରେ ନବମ ଶ୍ରେଣୀର ଓଡ଼ିଆ, ହିନ୍ଦୀ, ତେଲଗୁ, ସଂସ୍କୃତ, ଉର୍ଦ୍ଦୁ ଆଦି ଭାଷା ଭିତ୍ତିକ ବିଷୟ ସହ ଇଂରାଜୀ, ଗଣିତ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ମିଶାଇ ୪୦ ଟି ବହି ରହିଛି । ନୂଆ ଶିକ୍ଷା ନୀତିରେ ଏଥର ନବମ ଓ ଦଶମ ଶ୍ରେଣୀରେ ଶାରୀରିକ ଶିକ୍ଷା (ଫିଜିକାଲ ଏଜୁକେସନ) ଓ କଳା ଶିକ୍ଷା (ଆର୍ଟ ଏଜୁକେସନ୍) ଯୋଡ଼ି ହୋଇଛି । ତେଣୁ ନୂଆ ସିଲାବସ୍ ପ୍ରସ୍ତୁତି ପାଇଁ ସମ୍ପାଦନା ମଣ୍ଡଳୀ ଚୟନ, ବହି ଲେଖା, ସମୀକ୍ଷା ଓ ଡିଟିପି, ପ୍ରୁଫ୍ ରିଡିଂ, ପାଠ୍ୟପୁସ୍ତକ ପ୍ରସ୍ତୁତି ଅତି ସତର୍କତାର ସହ କରିବାକୁ ହେବ । ରାଜ୍ୟର ୩୧୪ଟି ବ୍ଲକ୍ର ୯ ହଜାରରୁ ଅଧିକ ହାଇସ୍କୁଲ୍ରେ ଅଧ୍ୟୟନରତ ୬ ଲକ୍ଷ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ସାରି ବ୍ଲକ୍ ସ୍ତରରେ ପହଞ୍ଚାଇବା ଲାଗି ଅତି କମ୍ରେ ୫ ମାସ ସମୟ ଲାଗିବ । ଏପ୍ରିଲ୍ରୁ ଆରମ୍ଭ ହୋଇଥିବା ଶିକ୍ଷା ବର୍ଷର ଅଧା ସମୟ ଏବେ ଅତିକ୍ରାନ୍ତ ।
ସୌଜନ୍ୟ ପ୍ରମେୟ




