ଓଡ଼ିଶା ନାଗରିକ ମଞ୍ଚ ପକ୍ଷରୁ ବିଜୁଙ୍କ ପୁଣ୍ୟତିଥି: ଆଜି ଓୟୁଏଟି ଅଡିଟୋରିୟମରେ ଏକାଠି ହେବେ ବିଜୁପ୍ରେମୀ

ଭୁବନେଶ୍ବର: ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥି। ଚଳିତ ବର୍ଷ ଏହି ଦିବସକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ସୃଷ୍ଟି ହୋଇଛି। ବିଜୁ ଲିଗାସିର ବରିଷ୍ଠ ନେତାମାନେ ଗୋଟିଏ ଛାତ ତଳେ ଏକାଠି ହେଉଛନ୍ତି। ‘ଓଡ଼ିଶା ନାଗରିକ ମଞ୍ଚ’ ନାମରେ ଏକ ଅନୁଷ୍ଠାନ ଗଠନ କରି ବିଜୁଙ୍କ ପୁଣ୍ୟତିଥି ପାଳନ କରିବେ। ଶୁକ୍ରବାର ସକାଳ ୧୦ଟାରେ ଓୟୁଏଟି ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରସ୍ତୁତ ହୋଇଥିବା ନିମନ୍ତ୍ରଣ ପତ୍ରରେ ବରିଷ୍ଠ ରାଜନେତା ଦିଲୀପ ରାୟ, ବିଜୟ ମହାପାତ୍ର ଓ ସୌମ୍ୟରଂଜନ ପଟ୍ଟନାୟକ ନିବେଦକ ଅଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ବରିଷ୍ଠ ନେତା ଲାଗି ପଡ଼ିଛନ୍ତି। କେବଳ ରାଜନୈତିକ ବ୍ୟକ୍ତି ନୁହନ୍ତି, ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।

କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟୋକ୍ତା ଅମର ଶତପଥୀ ଗଣମାଧ୍ୟମକୁ କହିଛନ୍ତି, ଏହା ରାଜନୈତିକ ସଭା ନୁହେଁ। ଏହା ଏକ ସାଧାରଣ କାର୍ଯ୍ୟକ୍ରମ ଏବଂ ମର୍ଯ୍ୟାଦାର ସହ ବିଜୁ ବାବୁଙ୍କ ପୁଣ୍ୟତିଥି ପାଳନ କରାଯିବ। ବିଜୁ ବାବୁଙ୍କ ବିଚାରଧାରାରେ ଯିଏ ବିଶ୍ବାସ କରନ୍ତି, ସେମାନଙ୍କୁ ଡକାଯାଇଛି। ସଫଳ ଗଣତନ୍ତ୍ର ବ୍ୟବସ୍ଥା ପାଇଁ ସଶକ୍ତ ଜନମତ ସୃଷ୍ଟି ହେବା ଆବଶ୍ୟକ। ନାଗରିକମାନେ କ୍ରିୟାଶୀଳ ହେଲେ ଗଣତନ୍ତ୍ର ସଶକ୍ତ ହେବ। ଏହି ଉଦ୍ଦେଶ୍ୟ ନେଇ ଓଡ଼ିଶା ନାଗରିକ ମଞ୍ଚ ଗଠିତ ହୋଇଛି।

ଗଣମାଧ୍ୟମକୁ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଠିକ୍ ଚାଲିନି। ତାହାକୁ ବାଟ ଦେଖାଇବା ପାଇଁ ନାଗରିକ ସମାଜର ବଡ଼ ଭୂମିକା ରହିଛି। ଆମ ରାଜ୍ୟରେ ନାଗରିକ ସମାଜ ଯେତିକି ସକ୍ରିୟ ହେବା କଥା, ସେତିକି ହୋଇପାରିନି। ତେଣୁ ଆମେ କିଛି ଲୋକ ନାଗରିକ ସମାଜକୁ ନୂଆ କରି ଗଢ଼ିବା ପାଇଁ ଚିନ୍ତା କଲୁ। ସମସ୍ତେ ଚାହିଲେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ନାଗରିକ ସମାଜର ପ୍ରଥମ କାର୍ଯ୍ୟକ୍ରମ ହେଉ। ସେହି ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଜୁ ଲିଗାସି ଉପରେ ସାଧାରଣ ଲୋକଙ୍କ ଅଧିକାର ଅଛି। ବିଜୁ ବାବୁଙ୍କ ପରି ସାହସୀ ଲୋକ ମୁଁ ଦେଖିନି। ନିଆଁକୁ ଡେଇଁ ପଡ଼ିବାର ସାହସ ତାଙ୍କର ଥିଲା। ଯୁଦ୍ଧ, ଶାନ୍ତି ଓ ରାଜନୀତି ସବୁଥିରେ ସେ ସାହସ ଦେଖାଇଛନ୍ତି, ଯାହା କି ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ଆମେ ବିଜୁ ବାବୁଙ୍କ ପରି ସାହସୀ ହେବା ଓ ଓଡ଼ିଶାକୁ ଭଲ ପାଇବା।

 

 

ସୌଜନ୍ୟ ସମ୍ବାଦ