Breakingଦେଶ ବିଦେଶ

Naveen: ଓଡ଼ିଶାର ସ୍ବାର୍ଥ ପାଇଁ ସ୍ବର ଉଠାଇବାକୁ ସାଂସଦଙ୍କୁ ଆହ୍ବାନ କଲେ ନବୀନ

ଭୁବନେଶ୍ବର: ଆଜିଠୁ ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ସୀମା ପୁନଃନିର୍ଦ୍ଧାରଣ ବିଲ୍, ୨୦୨୬ ସମେତ ମହିଳାଙ୍କୁ ଲୋକସଭା ଆସନରେ ୩୩% ସଂରକ୍ଷଣ ସମ୍ପର୍କିତ ବିଲ୍ ପାରିତ ହେବ। ଏହାକୁ ନେଇ ଓଡ଼ିଶାରେ ରାଜନୀତି ସରଗରମ ହୋଇଛି। ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଉପରେ ବିଧାନସଭାରେ ଆଲୋଚନା କରିବା ସହ ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଥିଲେ। ଆଜି ପୁଣି ନବୀନ ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖି କହିଛନ୍ତି, ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସହ ମହିଳା ସଂରକ୍ଷଣକୁ ଯୋଡ଼ା ନଯାଉ। ଏହି ବିଲ୍‌ ଆସିଲେ ଓଡ଼ିଶାର ରାଜନୈତିକ ସ୍ବାର୍ଥ କ୍ଷୁଣ୍ଣ ହେବ। ଏହି ଚିଠି ସେ ବିଜେଡି ସଭାପତି କି ବିରୋଧୀ ଦଳ ନେତା ନୁହେଁ, ଜଣେ ଓଡ଼ିଆ ଭାବେ ଲେଖୁଛନ୍ତି ବୋଲି ଦର୍ଶାଇଛନ୍ତି।

ନବୀନଙ୍କ ଚିଠି ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେଡି ମୁଖିଆ ବିଲ୍‌କୁ ଠିକ୍ ଭାବେ ପଢ଼ି ନାହାନ୍ତି କିମ୍ବା ବୁଝିବାକୁ ଚେଷ୍ଟା କରୁନାହାନ୍ତି। ଟିପ୍ପଣୀ ଦେବା ଓ ଚିଠି ଲେଖିବା ପୂର୍ବରୁ ସଂସଦରେ ଆଗତ ହୋଇଥିବା ତିନିଟି ଯାକ ବିଲ୍‌କୁ ସେ ଭଲ ଭାବେ ପଢ଼ନ୍ତୁ ଓ ସରକାରଙ୍କ ପ୍ରକ୍ରିୟାକୁ ବୁଝନ୍ତୁ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯାହା କହିଲେ ତାକୁ ଦେଖି ନବୀନ ବିରୋଧ କରୁଛନ୍ତି। ନବୀନ ବାବୁ କ’ଣ ପ୍ରସ୍ତାବ ଆସିଲା ଜାଣିବା ପୂର୍ବରୁ କଂଗ୍ରେସ କଥାରେ ସାମିଲ ହୋଇଗଲେ। ନବୀନ ବାବୁ କଂଗ୍ରେସ ହେବା ଆରମ୍ଭ କଲେଣି। ରାଜ୍ୟସଭା ନିର୍ବାଚନ ପ୍ରମାଣିତ କରିଦେଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଚିନ୍ତାଜନକ। ଯଦିଓ ଏଥିରେ ଓଡ଼ିଶାର ସଂସଦୀୟ ଆସନ ସଂଖ୍ୟା ବୃଦ୍ଧିର ପ୍ରସ୍ତାବ ରହିଛି, ମାତ୍ର ଓଡ଼ିଶାର ଆନୁପାତିକ ପ୍ରତିନିଧିତ୍ବ ଏକପ୍ରକାର ହ୍ରାସ ପାଇବ। ଜାତୀୟସ୍ତରରେ ଓଡ଼ିଶାର ସ୍ବରକୁ ଚାପି ଦେବାକୁ ଏହାଦ୍ବାରା ଉଦ୍ୟମ କରାଯାଉଛି। ଓଡ଼ିଶାର ୧୦ଟି ଜିଲ୍ଲା ଆଦିବାସୀ ବହୁଳ। କୌଣସି ପ୍ରକାର ରାଜନୈତିକ ପ୍ରତିନିଧିତ୍ବ ହ୍ରାସ ଏହି ଅଞ୍ଚଳରେ ନକାରାତ୍ମକ ପ୍ରଭାବ ପକାଇବ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଚୁପ୍‌ ନ ରହି ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।

 

 

 

ସୌଜନ୍ୟ ସମ୍ବାଦ

 

Show More
Back to top button