ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ ଆଜି ସୁପ୍ରିମକୋର୍ଟରେ ଶୁଣାଣି, ୟୁପିଏସ୍ସି ବୈଠକ

ନୂଆଦିଲ୍ଲୀ: ଓଡ଼ିଶା ପୁଲିସ ମହାନିର୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦୀୟ ମାମଲାର ଆସନ୍ତାକାଲି (ଗୁରୁବାର) ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲା ବାଗ୍ଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲା ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଅପରପକ୍ଷେ, ନୂତନ ଡିଜିପି ମନୋନୟନ ଲାଗି ତାଲିକା ସୁପାରିଶ ପାଇଁ ମଧ୍ୟ ଗୁରୁବାର ପୂର୍ବାହ୍ନରେ ୟୁପିଏସ୍ସିରେ ବୈଠକ ବସିବ ବୋଲି ଜଣାଯାଇଛି। ‘ପ୍ରକାଶ ସିଂ ବନାମ ଭାରତ ସରକାର’ ମାମଲା ଆଧାରରେ ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ତାଲିକା ସଂଖ୍ୟା ୨୬ରେ ଏହି ହେବ। ଏଥିରେ ଜୟନ୍ତ ଦାସଙ୍କ ଦ୍ୱାରା ଆଗତ ଇଣ୍ଟରଲୋକ୍ୟୁଟାରୀ ଆବେଦନ ସ୍ଥାନ ପାଇଛି। ରାଜ୍ୟ ପୁଲିସ ମୁଖ୍ୟ ନିଯୁକ୍ତି ବିବାଦରେ ହସ୍ତକ୍ଷେପ ଲାଗି ବାଲେଶ୍ୱର ଜିଲା ଇଞ୍ଚୁଡି ଗ୍ରାମର ଶ୍ରୀ ଦାସ ଅଗଷ୍ଟ ୧୧ରେ ସଂଖ୍ୟା ୨୩୬୮୮୪/୨୦୨୬ ଏବଂ ସଂଖ୍ୟା ୨୩୬୯୦୮/୨୦୨୬ରେ ଦୁଇଟି ଆବେଦନ ଦାଖଲ କରିଛନ୍ତି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ପ୍ରଧାନ ବିଚାରପତିଙ୍କଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ବୁଧବାର ଦୃଷ୍ଟି ଆକର୍ଷଣ କରିଥିଲେ।
ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ଡିଜି ପଦ ଲାଗି ନାମ ତାଲିକା ଚୟନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ‘ପ୍ରକାଶ ସିଂ ମାମଲା’ର ଆଦେଶନାମାକୁ ଓଡ଼ିଶା ସରକାର ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି। ୟୁପିଏସସିକୁ ଉଭୟ ପୁଲିସ ମହାନିର୍ଦେଶକ ଏବଂ ଅତିରିକ୍ତ ପୁଲିସ ମହାନିର୍ଦେଶକ ପାହ୍ୟାର ୧୧ଜଣ ଅଧିକାରୀଙ୍କ ନାମ ପଠାଇଥିଲେ, ଯାହାକି ନିୟମ ବିରୁଦ୍ଧ। ଅଗଷ୍ଟ ୭ରେ ଅନୁଷ୍ଠିତ ୟୁପିଏସସି ମନୋନୟନ ବୈଠକରେ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀଙ୍କ ନାମ ବିଚାର କରିବାକୁ ରାଜ୍ୟ ସରକାର ଚାପ ପକାଇଥିଲେ। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ୟୁପିଏସସି ବୈଠକ ଅରାଜି ହେବାରୁ ପୂର୍ବପ୍ରଦତ୍ତ ତାଲିକାକୁ ପ୍ରତ୍ୟାହାର କରି ନିଆଯାଇଥିଲା।
ସୌଜନ୍ୟ ସମାଜ




