ଖେଳ

Hockey Grand Prix: ଦୁଇ ଦିନ ପରେ ହକି ମହାକୁମ୍ଭ: ଭାରତୀୟ ମହିଳାଙ୍କ ପାଇଁ ଅପୂର୍ବ ସୁଯୋଗ

ପୁରୁଷଙ୍କ ସହ ସମାନ୍ତରାଳ ଭାବେ ଚଳିତ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌-୨୦୨୬। ଭାରତୀୟ ମହିଳା ଦଳ ଅଷ୍ଟମ ଥର ପାଇଁ ଏହି ହକି ମହାକୁମ୍ଭ‌ରେ ଅଂଶଗ୍ରହଣ କରିବ।

ଭୁବନେଶ୍ବର: ପୁରୁଷଙ୍କ ସହ ସମାନ୍ତରାଳ ଭାବେ ଚଳିତ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌-୨୦୨୬। ଭାରତୀୟ ମହିଳା ଦଳ ଅଷ୍ଟମ ଥର ପାଇଁ ଏହି ହକି ମହାକୁମ୍ଭ‌ରେ ଅଂଶଗ୍ରହଣ କରିବ। ନେଦରଲାଣ୍ଡସ୍‌ ଓ ବେଲଜିୟମ୍‌ରେ ଆୟୋଜିତ ହେବାକୁଥିବା ଏହି ବିଶ୍ୱକପ୍‌ରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଟ୍ରଫି ପାଇଁ ଲଢ଼େଇ କରିବେ। ଅଧିନାୟିକା ସଲିମା ଟେଟେଙ୍କ ନେତୃତ୍ୱରେ ଏବଂ ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍‌ ମାରିନଙ୍କ ତତ୍ତ୍ୱାବଧାନରେ ଭାରତ ଏଥିରେ ଅଂଶଗ୍ରହଣ କରିବ। ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ଭାରତୀୟ ମହିଳା ଦଳ ଏଥର ପୁଲ୍‌-ଡି’ରେ ଚୀନ୍‌, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି। ଭାରତ ଅଗଷ୍ଟ ୧୬ରେ ଚୀନ୍‌ ବିପକ୍ଷରେ ତା’ର ପ୍ରତୀକ୍ଷିତ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ତିନିଟି ଯାକ ଲିଗ୍‌ ମ୍ୟାଚ୍‌ ନେଦରଲାଣ୍ଡସ୍‌ର ଆମ୍‌ଷ୍ଟେଲଭିନ୍‌ସ୍ଥିତ ୱାଗେନର୍‌ ହକି ଷ୍ଟାଡିୟମ୍‌ରେ ଖେଳିବ। ୨୦୨୫-୨୬ ଏଫ୍‌ଆଇଏଚ୍‌ ହକି ନେସନ୍ସ କପ୍‌ ଜିତିବା ସହ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌କୁ ପଦୋନ୍ନତି ପାଇଥିବା ଭାରତୀୟ ଦଳ ଏବେ ଆତ୍ମବିଶ୍ୱାସ ଓ ଉତ୍ସାହରେ ଭରି ରହିଛି। ବିଶ୍ୱକପ୍‌ରେ ଭଲ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ଲକ୍ଷ୍ୟରେ ସଲିମା ଟେଟେଙ୍କ ଦଳ ମଇଦାନକୁ ଓହ୍ଲାଇବ। ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ମଧ୍ୟ ଏଥର ନିଜ ଯାଦୁ ଦେଖାଇବେ। ଏଥର ଆସନ୍ତୁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଭାଗ୍ୟଶାଳୀ ଖେଳାଳିଙ୍କ ଉପରେ ନଜର ପକାଇବା।

ଗୋଲ୍‌ରକ୍ଷକ
ସବିତା (୩୬ ବର୍ଷ, ମ୍ୟାଚ୍‌: ୩୧୩): ଭାରତୀୟ ହକିର ଅନ୍ୟତମ ଅଭିଜ୍ଞ ଖେଳାଳି ସବିତା ତାଙ୍କ ତୀକ୍ଷ୍ଣ ପ୍ରତିକ୍ରିୟା, ଅଭିଜ୍ଞତା ଓ ଶାନ୍ତ ନେତୃତ୍ୱ ପାଇଁ ପରିଚିତ। ଭାରତ ପକ୍ଷରୁ ଜଣେ ମହିଳା ଖେଳାଳି ଭାବେ ସର୍ବାଧିକ ୩୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ର ରେକର୍ଡ ସହ ସମକକ୍ଷ ହେବାକୁ ତାଙ୍କୁ ଆଉ ମାତ୍ର ୭ଟି ମ୍ୟାଚ୍‌ ଆବଶ୍ୟକ।
ବିଚୁ ଦେବୀ ଖରିବାମ (୨୫, ମ୍ୟାଚ୍‌: ୬୫): ଗୋଲ୍‌ପୋଷ୍ଟରେ ଚପଳତା, ଦ୍ରୁତ ପ୍ରତିକ୍ରିୟା ଓ ବଢ଼ୁଥିବା ଅନ୍ତର୍ଜାତୀୟ ଅଭିଜ୍ଞତା ତାଙ୍କୁ ଭାରତର ଦ୍ୱିତୀୟ ଗୋଲକିପର ଭାବେ ଏକ ମଜଭୁତ ବିକଳ୍ପ କରିଛି।

ଡିଫେଣ୍ଡର
ଇଶିକା ଚୌଧୁରୀ  (୨୬ ବର୍ଷ, ମ୍ୟାଚ୍‌: ୮୨): ରକ୍ଷଣଭାଗରେ ଶାନ୍ତ ଓ ଦୃଢ଼ ଭୂମିକା ତୁଲାଇବା ସହ ଚତୁର ପୋଜିସନିଂ ଓ ସଠିକ୍‌ ହସ୍ତକ୍ଷେପ ମାଧ୍ୟମରେ ପ୍ରତିପକ୍ଷର ଆକ୍ରମଣକୁ ରୋକନ୍ତି।
ସୁଶୀଳା ଚାନୁ ପୁଖରାମବାମ  (୩୪, ମ୍ୟାଚ୍‌: ୨୬୨): ଅଭିଜ୍ଞ ତାରକା ସୁଶୀଳାଙ୍କ ରକ୍ଷଣାତ୍ମକ ସଚେତନତା ଓ ପରିସ୍ଥିତିକୁ ପଢ଼ିବାର କ୍ଷମତା ଭାରତୀୟ ଡିଫେନ୍ସକୁ ମଜଭୁତ କରିବ।
ଲାଲଥାନ୍ତଲୁଆଙ୍ଗି (୨୦, ମ୍ୟାଚ୍‌: ୫): ଭାରତୀୟ ଦଳର ଉଦୀୟମାନ ଡିଫେଣ୍ଡର ଲାଲଥାନ୍ତଲୁଆଙ୍ଗି ନିଜ ଉତ୍ସାହ, ଶାରୀରିକ ଦକ୍ଷତା ଓ ନିର୍ଭୀକ ଖେଳ ପାଇଁ ପରିଚିତ।
ଜ୍ୟୋତି (୨୬, ମ୍ୟାଚ୍‌: ୧୦୩): ରକ୍ଷଣଭାଗରେ ଶୃଙ୍ଖଳା, ଶକ୍ତି ଓ ଦୃଢ଼ତା ସହ ଖେଳନ୍ତି। ଆକ୍ରମଣକାରୀଙ୍କୁ ଚ୍ୟାଲେଞ୍ଜ କରିବା ସହ ଆକ୍ରମଣର ପରିବର୍ତ୍ତନରେ ମଧ୍ୟ ଭୂମିକା ନିଅନ୍ତି।
ଶିଳ୍ପୀ ଦାବାସ (୨୮, ମ୍ୟାଚ୍‌: ୫): ବଲ୍‌କୁ ଗତି ଦେବାର ଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ସହ ଭାରତୀୟ ଡିଫେନ୍ସରେ ଶିଳ୍ପୀ ନୂଆ ଶକ୍ତି ଭରିଛନ୍ତି।
ମିଡ୍‌ଫିଲ୍‌ଡର
ନିକ୍କି ପ୍ରଧାନ (୩୨ବର୍ଷ, ମ୍ୟାଚ୍‌: ୨୦୭): ଅଭିଜ୍ଞ ମିଡ୍‌ଫିଲ୍ଡର ନିକ୍କି ତାଙ୍କ ଅସାଧାରଣ ପରିଶ୍ରମ, ଶାନ୍ତ ମନୋଭାବ ଓ ଡିଫେନ୍ସରୁ ଆକ୍ରମଣକୁ ଯୋଡ଼ିବାର କ୍ଷମତା ପାଇଁ ଜଣାଶୁଣା।
ସାକ୍ଷୀ ରାଣା (୧୮, ମ୍ୟାଚ୍‌: ୧୭): ଦଳର ସବୁଠାରୁ କନିଷ୍ଠ ଖେଳାଳି। ଉତ୍ସାହୀ, ଉନ୍ନତ ବୈଷୟିକ ଦକ୍ଷତାର ଅଧିକାରିଣୀ ତଥା ଶିଖିବାର ଅନନ୍ୟ ଆଗ୍ରହ ସାକ୍ଷୀଙ୍କୁ ଦଳର
ଅନ୍ୟତମ ନିୟମିତ ସଦସ୍ୟରେ ପରିଣତ କରିଛି। ସୁନେଲିତା ଟପ୍ପୋ (୧୯, ମ୍ୟାଚ୍‌: ୫୨): ନିଜ ଦ୍ରୁତଗତି ଓ ଦୃଢ଼ ଟ୍ୟାକଲିଂ ପାଇଁ ପରିଚିତ ସୁନେଲିତା, ମିଡ୍‌ଫିଲ୍ଡରେ ଗତି, ଶକ୍ତି ଓ ଦୃଢ଼ତା ଆଣନ୍ତି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ସେ। ଏଣୁ ତାଙ୍କ ଉପରେ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ସ୍ବତନ୍ତ୍ର ନଜର ରହିବ।
ସଲିମା ଟେଟେ (ଅଧିନାୟିକା, ୨୪, ମ୍ୟାଚ୍‌: ୧୫୫): ଊର୍ଜା, ପରିପକ୍ୱତା ଓ ଦୃଢ଼ ନେତୃତ୍ୱ ପାଇଁ ପରିଚିତ ସଲିମା ଭାରତୀୟ ଦଳର ମୁଖ୍ୟ ଭରସା। ତାଙ୍କ ଗତିଶୀଳ ମିଡ୍‌ଫିଲ୍ଡ ଖେଳ ଭାରତର ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ହେବ।

ନେହା  (୨୯, ମ୍ୟାଚ୍‌: ୨୦୨): ଅଭିଜ୍ଞତା, ଦୃଢ଼ତା ଓ ନିରନ୍ତର ଗତିଶୀଳତା ତାଙ୍କର ପ୍ରମୁଖ ଶକ୍ତି। ଦଳରେ ବଲ୍‌ ନିୟନ୍ତ୍ରଣ ଓ ଡିଫେନ୍ସରେ ମଧ୍ୟ ତାଙ୍କ ଭୂମିକା ରହିଛି।
ଦୀପିକା ସୋରେଙ୍ଗ (୨୨, ମ୍ୟାଚ୍‌: ୧୧): ନୂଆ ପ୍ରତିଭା ଦୀପିକା ତାଙ୍କ ଗତି, ଆକ୍ରମଣାତ୍ମକ ମନୋଭାବ ଓ ଦୃଢ଼ତା ଦ୍ୱାରା ପ୍ରତିପକ୍ଷର ଡିଫେନ୍ସକୁ ଚାପରେ ପକାଇପାରନ୍ତି।

ଫରୱାର୍ଡ
ଲାଲରେମସିଆମି  (୨୬ ବର୍ଷ, ମ୍ୟାଚ୍‌ପ୍‌: ୧୮୭): ଗତି, କୌଶଳ ଓ ଆକ୍ରମଣାତ୍ମକ ଚିନ୍ତାଧାରା ପାଇଁ ପରିଚିତ ଲାଲରେମସିଆମି ପ୍ରତିପକ୍ଷର ୨୩ ମିଟର ଅଞ୍ଚଳରେ ସବୁବେଳେ ବିପଦ ସୃଷ୍ଟି କରିପାରନ୍ତି।

ରୁତୁଜା ଦାଦାସୋ ପିସାଲ (୨୩, ମ୍ୟାଚ୍‌: ୩୦): ଗତିଶୀଳତା, ଯୁବ ଶକ୍ତି ଓ ଆକ୍ରମଣାତ୍ମକ ମନୋଭାବ ସହ ଦଳକୁ ଶକ୍ତି ଯୋଗାଇବେ।ନଭନୀତ କୌର (୩୦, ମ୍ୟାଚ୍‌ ୨୧୧): ଦଳର ଅନ୍ୟତମ ଅଭିଜ୍ଞ ଫରୱାର୍ଡ ନଭନୀତ ଚତୁର ମୁଭ୍‌ମେଣ୍ଟ, ଧୈର୍ଯ୍ୟ ଓ ଦୃଢ଼ତା ପାଇଁ ଜଣାଶୁଣା। ତାଙ୍କ ସଠିକ୍‌ ଡାଇରେକ୍ଟ ହିଟ୍‌ ମଧ୍ୟ ଭାରତର ପେନାଲ୍ଟି କର୍ଣ୍ଣର ବିକଳ୍ପକୁ ଶକ୍ତିଶାଳୀ କରେ।

ଦୀପିକା (୨୨, ମ୍ୟାଚ୍‌: ୬୯): ଭାରତର ଉଦୀୟମାନ ଆକ୍ରମଣାତ୍ମକ ପ୍ରତିଭା। ଗତି, ଆତ୍ମବିଶ୍ୱାସ ଓ ଗୋଲ୍‌ କରିବାର କ୍ଷମତା ସହ ସେ ଦଳର ଏକ୍ସ-ଫ୍ୟାକ୍ଟର। ଆକ୍ରମଣକାରୀ ଭୂମିକା ସହ ଭାରତର ପ୍ରମୁଖ ଡ୍ରାଗ୍‌ଫ୍ଲିକର ଭାବେ ପେନାଲ୍ଟି କର୍ଣ୍ଣରରେ ମଧ୍ୟ ତାଙ୍କ ଗୁରୁତ୍ୱ ରହିଛି।

ଇଶିକା (୨୦, ମ୍ୟାଚ୍‌: ୯): ଯୁବ ସୁଲଭ ଉତ୍ସାହ ଓ ଆକ୍ରମଣାତ୍ମକ ଶକ୍ତି ସହ ଭାରତର ଫରୱାର୍ଡ ଲାଇନ୍‌କୁ ମଜବୁତ କରିଛନ୍ତି।

ବଲଜିତ କୌର (୨୫, ମ୍ୟାଚ୍‌: ୪୩): ଗତି, ଉତ୍ସାହ ଓ ଆକ୍ରମଣାତ୍ମକ ମନୋଭାବ ତାଙ୍କୁ ଭାରତୀୟ ଫରୱାର୍ଡ ଲାଇନ୍‌ରେ ଏକ ବିଶେଷ ବିକଳ୍ପ କରିଛି।

ବ୍ୟୁଟି ଡୁଙ୍ଗଡୁଙ୍ଗ (୨୩, ମ୍ୟାଚ୍‌: ୪୩): ଗତି, ଦୃଢ଼ତା ଓ ଯୁବ ଉତ୍ସାହରେ ଭରପୂର ବ୍ୟୁଟି ପ୍ରତିପକ୍ଷ ଡିଫେଣ୍ଡରଙ୍କୁ ନିଜ ଗତିରେ ଅସୁବିଧାରେ ପକାଇପାରନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button