କାଳିଆ ପ୍ରେମରେ ଦୁଇ ଶିଶୁ ଭକ୍ତ, ରଥଯାତ୍ରା ଦେଖିବାକୁ ଟ୍ରେନ୍ରେ ପଳାଇଲେ ପୁରୀ
ରଥଯାତ୍ରା ଦେଖିବାକୁ ଦୁଇ ସାଙ୍ଗ ଏକାଠି ହେଲେ । କାହାକୁ କିଛି ନକହି ନିକଟସ୍ଥ ଧାନମଣ୍ଡଳ ରେଳଷ୍ଟେସନକୁ ଚାଲିଗଲେ । ସେଠାରେ ପୁରୀ ଯାଉଥିବା ଟ୍ରେନରେ ଯାଇ ପୁରୀରେ ଓହ୍ଲାଇଲେ । ପୁରୀରେ ପହଞ୍ଚିବା ପରେ ସେମାନେ ପ୍ରଥମେ ସମୁଦ୍ରକୂଳକୁ ଯାଇଥିଲେ । ସେଠାରେ ଗାଧୋଇ ସାରି ବଡ଼ଦାଣ୍ଡକୁ ଆସିଥିଲେ । ରଥଯାତ୍ରାର ଜନଗହଳି ଭିତରେ ଦୁଇ ଶିଶୁ ଆସି ବସିଥିଲେ ବୃନ୍ଦାବତୀ ନିବାସ ନିକଟରେ ଥିବା ମନ୍ଦିର ନିକଟରେ ।

ପୁରୀ,୨୩/୭ : ବୟସ ମାତ୍ର ୭ବର୍ଷ । ପୁରୀରେ ରଥଯାତ୍ରା ଚାଲିଥିବା ଶୁଣିଲେ । ରଥଯାତ୍ରା ଦେଖିବାକୁ ଦୁଇ ସାଙ୍ଗ ଏକାଠି ହେଲେ । କାହାକୁ କିଛି ନକହି ନିକଟସ୍ଥ ଧାନମଣ୍ଡଳ ରେଳଷ୍ଟେସନକୁ ଚାଲିଗଲେ । ସେଠାରେ ପୁରୀ ଯାଉଥିବା ଟ୍ରେନରେ ଯାଇ ପୁରୀରେ ଓହ୍ଲାଇଲେ । ପୁରୀରେ ପହଞ୍ଚିବା ପରେ ସେମାନେ ପ୍ରଥମେ ସମୁଦ୍ରକୂଳକୁ ଯାଇଥିଲେ । ସେଠାରେ ଗାଧୋଇ ସାରି ବଡ଼ଦାଣ୍ଡକୁ ଆସିଥିଲେ । ରଥଯାତ୍ରାର ଜନଗହଳି ଭିତରେ ଦୁଇ ଶିଶୁ ଆସି ବସିଥିଲେ ବୃନ୍ଦାବତୀ ନିବାସ ନିକଟରେ ଥିବା ମନ୍ଦିର ନିକଟରେ । ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସେଠାରେ ସେମାନେ ବସିରହିବା ଦେଖିଥିଲେ ଶିଶୁ ସୁରକ୍ଷା ନିମନ୍ତେ ନିୟୋଜିତ ସ୍ୱେଚ୍ଛାସେବୀ । ସେମାନେ ପାଖକୁ ଯାଇ ପଚରାଉଚରା କରିଥିଲେ । ସେମାନଙ୍କ କଥା ଶୁଣିବା ପରେ ସଙ୍ଗେସଙ୍ଗେ ଦୁଇ ଶିଶୁଙ୍କ ବିଷୟରେ ଶିଶୁ ମଙ୍ଗଳ କମିଟି ସଦସ୍ୟଙ୍କୁ ଜଣାଇଲେ । ଏହାପରେ ଉତ୍କଳ ବାଳାଶ୍ରମରେ ରହିବାର ବ୍ୟବସ୍ଥା କରିବାକୁ ଉକ୍ତ ସଦସ୍ୟ ପଦକ୍ଷେପ ନେଇଥିଲେ ।
ପରଦିନ ସେମାନଙ୍କୁ ଶିଶୁ ମଙ୍ଗଳ କମିଟି ପକ୍ଷରୁ କାଉନସେଲିଂ କରାଯାଇଥିଲା । ଜଣାପଡ଼ିଲା ଯେ ସେ ଦୁହିଁଙ୍କ ଘର ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ । ଏଣୁ ତୁରନ୍ତ ରାଜ୍ୟ ଶିଶୁ ସୁରକ୍ଷା ସମିତି ଅଧିକାରୀ ସଂଗ୍ରାମ କିଶୋର ସାମଲଙ୍କୁ ଜଣାଇବା ପରେ ଏହି ବିଷୟରେ ସେ ଯାଜପୁର ଜିଲ୍ଲା ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇବା ପରେ ଶିଶୁମଙ୍ଗଳ ସମିତି ପୁରୀଙ୍କ ସହ ଯୋଗାଯୋଗ କରି କର୍ମକର୍ତ୍ତାଙ୍କୁ ପୁରୀ ପଠାଇଥିଲେ । ବୁଧବାର ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ କର୍ମକର୍ତ୍ତା ପହଞ୍ଚି ଦୁଇ ଶିଶୁଙ୍କୁ ଫେରାଇ ଆଣିଛନ୍ତି । ସେମାନଙ୍କୁ ବାଳାଶ୍ରମରେ ରଖାଯାଇଛି ।
ସୌଜନ୍ୟ ପ୍ରମେୟ



