‘ଛାତ୍ରଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବିରୋଧୀ ’

ନୂଆଦିଲ୍ଲୀ : ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ପ୍ରତିବାଦ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ କ୍ରକୋଚ୍ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ, ସୋନମ ୱାଙ୍ଗଚୁକଙ୍କ ଅନଶନ ଏବଂ ବିରୋଧୀ ଦଳଗୁଡ଼ିକର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ମୁହଁ ଖୋଲିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବୁଧବାର ବିରୋଧୀଙ୍କୁ ନିଶାଣ କରି ସେ କହିଛନ୍ତି ଯେ ସେମାନେ ଦେଶର ଛାତ୍ରଙ୍କୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ନିଜସ୍ବ ଲାଭ ପାଇଁ ଏଭଳି କରିବା ଉଚିତ ନୁହେଁ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦିଲ୍ଲୀରେ ଚାଲିଥିବା ପ୍ରତିବାଦ ଏକ ଗମ୍ଭୀର ବିଷୟ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ କିଛି ଲୋକ ଦେଶର ଛାତ୍ର ଓ ଯୁବପିଢ଼ିଙ୍କୁ ନିଜର ରାଜନୈତିକ ଲାଭ ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ି ଓ ଛାତ୍ରମାନଙ୍କ ଆଶା ପୂରଣ କରିବା ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ରାଜନାଥ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସରକାର ଛାତ୍ର ସମାଜର ଅଭିଯୋଗ ପ୍ରତି ଧ୍ୟାନ ଦେଉଛନ୍ତି। ଛାତ୍ରମାନଙ୍କ ଚିନ୍ତା ଶୁଣିବା ଓ ସମାଧାନ କରିବା ଆମର ଦାୟିତ୍ୱ। ମୁଁ ବିଶ୍ୱାସ କରୁଛି ଯେ ଭାରତର ସଚେତନ, ପରିପକ୍ୱ ଏବଂ ବୁଦ୍ଧିମାନ ଯୁବପିଢ଼ି ଯେକୌଣସି ଭ୍ରମାତ୍ମକ ପ୍ରୟାସକୁ ସଫଳ ହେବାକୁ ଦେବେ ନାହିଁ। ପ୍ରଗତି, ବିକାଶ ଓ ରାଷ୍ଟ୍ର ନିର୍ମାଣର ପଥ ବାଛିବେ। ରାଜନାଥ ସିଂ ଏହାକୁ ବିରୋଧୀ ଦଳମାନଙ୍କ ଦ୍ବାରା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ କିଛି ବିରୋଧୀ ନେତାଙ୍କ ଦ୍ୱାରା ଜାଣିଶୁଣି ସୃଷ୍ଟି କରାଯାଇଥିବା କ୍ରୋଧ ଏବଂ ଅସନ୍ତୋଷ ଜନସାଧାରଣ ବିଶେଷକରି ଯୁବପିଢ଼ି ଓ ଛାତ୍ରମାନଙ୍କୁ ଭ୍ରମିତ କରିବାର ଏକ ବିଫଳ ପ୍ରୟାସ। ଆମେ ଯୁବପିଢ଼ିଙ୍କ ଭାବନା ଓ ଚିନ୍ତା ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳ। ସଂସଦରେ ବର୍ତ୍ତମାନ ଅଧିବେଶନ ଚାଲିଛି। ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଏକ ଅର୍ଥପୂର୍ଣ୍ଣ ବିତର୍କ କରିବାକୁ ପ୍ରସ୍ତୁତ ଅଛନ୍ତି।
ସେ ଆହୁରି କହିଛନ୍ତି ମୁଁ ବିଶ୍ୱାସ କରେ ବିରୋଧୀ ସଂସଦରେ ନୁହେଁ ବରଂ ରାସ୍ତାରେ ସମସ୍ୟାର ସମାଧାନ ପାଇଁ ଏକ ଭୁଲ ପ୍ରୟାସ କରୁଛନ୍ତି। ଗଣତାନ୍ତ୍ରିକ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସଂସଦ ହେଉଛି ଉପଯୁକ୍ତ ମଞ୍ଚ ଏବଂ ବିରୋଧୀ ସେଠାରେ ନିଜର ମତ ପ୍ରକାଶ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ।
ସୌଜନ୍ୟ ସମାଜ




