ହିମାଚଳ, ଜାମ୍ମୁ-କାଶ୍ମୀର ସହ ଉତ୍ତର ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ : ୧୨୦ ମୃତ

ସିମ୍ଲା/ଜାମ୍ମୁ : ଦେଶର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରବାହ ଜନିତ ବର୍ଷା ଲାଗି ରହିଥିବା ବେଳେ କେତେକ ସ୍ଥାନରେ ବର୍ଷା ବିତ୍ପାତ ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର , ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡରେ ପ୍ରବଳ ବର୍ଷା ସହ ବନ୍ୟା, ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ଅନେକ ରାସ୍ତା ଓ ସେତୁ ବନ୍ୟା ଜଳରେ ଭାସି ଯାଇଛି। ଏସବୁ ରାଜ୍ୟରେ ମୋଟ୍ ୧୨୦ଜଣଙ୍କ ମୃତ୍ୟୁ ହୋଇଛି। ରେଳସେବା ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ସଂସ୍ଥାମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବର୍ଷା ଓ ବନ୍ୟା ଯୋଗୁଁ ଘରେ ପାଣି ପଶି କିମ୍ବା ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି।
ଚଳିତ ମାସରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବାଦଲ ଫଟା ବର୍ଷା, ଭୂସ୍ଖଳନ, ବର୍ଷା ଯୋଗୁ ସଡ଼କ ଦୁର୍ଘଟଣା ଘଟଣାରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। କାଙ୍ଗ୍ରା ଜିଲାରେ ଗତକାଲି ରାତିସାରା ହୋଇଥିବା ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି ଓ ୧୨ଟି ଘର କ୍ଷତିଗ୍ରସ୍ତ ହୋଇଛି। ମଙ୍ଗଳବାର ଛଅଟି ଘର ଭାସିଯିବା ପରେ ଉପତ୍ୟକାରେ କ୍ଷତିଗ୍ରସ୍ତ ଘର ସଂଖ୍ୟା ୧୮ରେ ପହଞ୍ଚିଛି। ଆସାମରେ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଜାମ୍ମୁ-କାଶ୍ମୀରରେ ଗତ ୪୮ ଘଣ୍ଟାରେ ୨୩ ଜଣଙ୍କ ଜୀବନ ଯାଇଛି। ନାଗାଲାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୁଞ୍ଚ ଓ ରାଜୌରୀ ଜିଲାରେ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସାତ ଜଣ ଲୋକ ନିଖୋଜ ଅଛନ୍ତି। ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି, ଜାମ୍ମୁ ଡିଭିଜନର ପୁଞ୍ଚ, ରାଜୌରୀ, କାଠୁଆ, ରିଆସି, ସାମ୍ବା ଓ କିସ୍ତୱାଡ଼ ଏବଂ କାଶ୍ମୀରର ବଡଗାମ, ବାନ୍ଦିପୋରା ଓ ଗଣ୍ଡେରବଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଝେଲମ ଓ ଚେନାବ ନଦୀ ଓ ଅନେକ ଉପନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗ୍ରାମ ଓ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ପରେ ସଲାଲ ଡ୍ୟାମର ସମସ୍ତ ଗେଟ ଖୋଲାଯାଇଛି।
ସୌଜନ୍ୟ ସମାଜ




