ଜଟଣୀ ଗଣେଶ ଭସାଣି ଉତ୍ସବରେ ଅଘଟଣ ମାମଲା: ଡିଜେ ନିଷେଧକୁ ଫୁ, ପୁଲିସ ଉପସ୍ଥିତ ଥାଇ ବାରଣ କଲାନି କାହିଁକି ?

ଜଟଣୀ,୨୮/୦୯: ଜଟଣୀ ପ୍ରସିଦ୍ଧ ଗଣେଶ ଭସାଣି ଉତ୍ସବରେ ଶନିବାର ଘଟିଥିବା ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଲିସ ପକ୍ଷରୁ ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବାକୁ ବାରଣ କରାଯାଇଥିଲା । ଏପରିକି ଗଣେଶ ପୂଜା ପାଇଁ ଯେତେଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ସବୁଥର ଡିଜେକୁ ବାରଣ କରାଯିବା ସହ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ୍ କରାଯାଇଥିଲା । ଏହା ସତ୍ତେ୍ୱ ଭସାଣି ଉତ୍ସବରେ ଡିଜେ ବଜାଇବାକୁ କିଏ ଅନୁମତି ଦେଲା । ଖାଲି ସେତିକି ନୁହେଁ, ଭସାଣି ଉତ୍ସବରେ ସୁରକ୍ଷା ଦାୟିତ୍ୱରେ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାବେଳେ କେହି ବାରଣ କଲେନି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜଟଣୀ ଗଣେଶ ପୂଜା ପାଇଁ ପୂର୍ବରୁ ହୋଇଥିବା ଏକାଧିକ ପ୍ରସ୍ତୁତି ବୈଠକରେ ଡିଜେ ବନ୍ଦ ନିଷ୍ପତିକୁ ସମସ୍ତ ପୂଜା କମିଟି ସମର୍ଥନ କରିଥିଲେ । ପୁଲିସ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିଲା । ମାତ୍ର ଶନିବାର ରାତିରେ ଗଣେଶ ଭସାଣି ଉତ୍ସବରେ ଅଘଟଣ ଘଟି ଜଣଙ୍କ ମୃତ୍ୟୁ ଘଟିବା ସହ ୧୪ଜଣ ଆହତ ହୋଇଥିଲେ । ଉଚ୍ଚ ଶବ୍ଦରେ ଡିଜେ ବାଜିବା ଯୋଗୁ କମ୍ପନ ସୃଷ୍ଟି ହୋଇ ରାସ୍ତା ପାଶ୍ୱର୍ ଛାତରୁ ତାଜା ଓ କାନିସି ଭୁଶୁଡ଼ି ପଡ଼ିବା ଫଳରେ ଏହି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯଦି ଭସାଣି ଶୋଭାଯାତ୍ରାରେ ଡିଜେକୁ ସୁଯୋଗ ଦିଆଗଲା, ତେବେ ଏହା ୬୫ ଡେସିବଲ୍ ଭିତରେ ବଜାଇବା କଥା । ହେଲେ ଏଥର ଅଧିକାଂଶ ପୂଜା ମଣ୍ଡପ ଶୋଭାଯାତ୍ରାରେ ଉଚ୍ଚ ଶବ୍ଦରେ ଡିଜେ ବଜାଇଥିଲେ । ଭସାଣି ଦେଖିବାକୁ ଆସିଥିବା ହଜାର ହଜାର ଲୋକ ଏଥିରେ ଅତିଷ୍ଠ ହୋଇ କାନରେ ହାତ ଦେଇଥିଲେ । ଡିଜେରେ ଭାଇବ୍ରେଟ୍ ବ୍ୟବହାର କରି ଅଧିକ କମ୍ପନ ସୃଷ୍ଟି କରାଯାଇଥିବା କୁହାଯାଉଛି ।
ଅନ୍ୟପକ୍ଷରେ ମୁଖ୍ୟ ରାସ୍ତାର ପୋଷ୍ଟ ଅଫିସ ଛକ ନିକଟରେ ଯେଉଁ ଘରର ଦୁଇ ମହଲା ଉପରୁ କାନିସି ଓ ତାଜା ଭୁଶୁଡ଼ି ଏହି ଅଘଟଣ ଘଟିଲା ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତାଜାଟି ଅବଶ୍ୟ ଦୁର୍ବଳ ଅବସ୍ଥାରେ ରହିଥିଲା । ସେହି ନିକଟ ଦେଇ ଭସାଣି ଶୋଭାଯାତ୍ରାରେ ଆଗପଛ ହୋଇ ଯାଉଥିବା ଡିଜେର ଛାତିଥରା ଶବ୍ଦ ଯୋଗୁ ଦୁର୍ବଳ ଥିବା ତାଜା ଭୁଶୁଡ଼ି ଲୋକଙ୍କ ଉପରେ ପଡ଼ିଥିଲା ।
ସୌଜନ୍ୟ ପ୍ରମେୟ




