Odisha Flood Update : ବାଲେଶ୍ୱର, ଭଦ୍ରକକୁ କନ୍ଦାଇଲାଣି ବନ୍ୟା, ବାସହରା କରିଛି, ଜୀବନ ଜୀବିକା ଉଜାଡ଼ି ଦେଇଛି…

ବାଲେଶ୍ୱର/ଭଦ୍ରକ, ୨୮/୯ : ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପିଛା ଛାଡ଼ୁନି ବନ୍ୟା । ଚାଷବାସ, ଜୀବନ ଜୀବିକା ଉଜାଡ଼ି ଦେଇଛି । ଲୋକଙ୍କୁ ବେସାହାରା କରିଛି । ବିପନ୍ନଙ୍କ ଆଖିରୁ ଲୁହ ଶୁଖୁନି । ପୂର୍ବ ବନ୍ୟା ଦୁଃଖ ଲାଘବ ହୋଇ ନ ଥିବା ବେଳେ ପୁଣି ଦୁଇ ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇଛି । ସୁବର୍ଣ୍ଣରେଖା, ଜଳକା, କାଂଶବାଂଶ ନଦୀ ବିପଦ ସଙ୍କେତ ଉପରେ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାର ୧୧ଟି ବ୍ଲକ୍ ବନ୍ୟା ପ୍ରଭାବିତ ହୋଇଛି । ଅନେକ ଗାଁ ଜଳବନ୍ଦୀ ସ୍ଥିତିରେ ରହିଛି । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।
ସେହିଭଳି ବୈତରଣୀ ଓ ସାଳନ୍ଦୀରେ ଜଳସ୍ତର ବଢ଼ିବାରୁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍ ପ୍ରଭାବିତ ହୋଇଛି । ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି । ରାସ୍ତାଘାଟ ବୁଡ଼ିଛି । ଚାଷ ନାହିଁ । ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବନ୍ୟା । ଏବେ ବୈତରଣୀ ଧୀରେ ଧୀରେ କମୁଛି । ହେଲେ ସାଳନ୍ଦୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ସାଳନ୍ଦୀ ନଦୀର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରବିବାର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ।
ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ଚାରି ଚାରି ଥର ବନ୍ୟା ବାଲେଶ୍ୱର ଜିଲ୍ଲାର ନଦୀକୂଳିଆ ଓ ତଳିଆ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି । ତୃତୀୟ ବନ୍ୟାର ଦୁର୍ଦ୍ଦଶା ପରେ ଅଣ୍ଟା ନ ସଳଖୁଣୁ ପୁଣି ମାଡ଼ି ଆସିଛି ପାଣି । ରାଜଘାଟଠାରେ ନଦୀର ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ଏହା ୧୧.୩୬ ମିଟରରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ଧୀରେ ଧୀରେ କମୁଥିବା ବେଳେ ତଳିଆ ଅଞ୍ଚଳକୁ ପାଣି ଏବେ ବି ପଶୁଛି । ଏଥିରେ ଭୋଗରାଇର ୧୮ ପଞ୍ଚୟତର ୭୦ରୁ ଅଧିକ ଗାଁର ୪୦ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।
କାଂଶବାଂଶ ନଦୀର ଜଳସ୍ତର ରବିବାର ଅପରାହ୍ଣ ସୁଦ୍ଧା ବିପଦ ସ୍ତରଠାରୁ ଊଦ୍ଧ୍ୱର୍ରେ ୭.୮୯ ମିଟର ଥିବା ସୂଚନା ମିଳିଛି । ଫଳରେ ସିମୁଳିଆ ଅଞ୍ଚଳର ୮ ପଞ୍ଚାୟତ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ସାଙ୍ଗକୁ ଡ୍ୟାମ୍ ପାଣି ମାଡ଼ି ଆସିବା ଫଳରେ କାଂଶବାଂଶ ନଦୀ ସମେତ ବାରାଗଡ଼ିଆ ନଦୀରେ ମଧ୍ୟ ବନ୍ୟା ଆସିଛି । ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟ ରାସ୍ତାଗୁଡ଼ିକ ଧୋଇଯାଇଛି । ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ବିପଦ ସଂକେତ ୬.୫୦ ମିଟର ଥିବାବେଳେ ରବିବାର ସନ୍ଧ୍ୟା ସୁଦ୍ଧା ୬.୬୨ ମିଟରେ ପ୍ରବାହିତ ହେଉଛି । କାଏଣ୍ଡା, କାଳନ୍ଦା, ଇଡ଼ିଦା, ଗମ୍ଭାଲୁଣ୍ଡି, ଭିତରବ୍ରହ୍ମତ୍ତର, ବାହାରବ୍ରହ୍ମତ୍ତର, କଣ୍ଟିଆଡାଭା, ଅଗ୍ନିଶ୍ୱରଡାଭା, ନାରଗାଦା, ନରସିଂହଡିହ ଓ ଗଣକଡାଭା ଆଦି ଅଞ୍ଚଳର ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଅନେକ ଘର ଭାଙ୍ଗିଯାଇଥିବା ବେଳେ ବାସ ହରାଇଥିବା ଲୋକେ ଉଚ୍ଚ ସ୍ଥାନ, ଆଶ୍ରୟ ସ୍ଥଳ, ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ସେହିପରି ସୋନ, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସି ନୀଳଗିରି, ରେମୁଣା, ସଦର ବ୍ଲକ୍ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଛି ।
ଅନ୍ୟପଟେ ଭୟଙ୍କର ବନ୍ୟାରେ ଅଧା ଭଦ୍ରକ ଜିଲ୍ଲା ବୁଡ଼ିଛି । ଜିଲ୍ଲାର ୮୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଦୁଇଟି ସହର ଜଳବନ୍ଦୀ ହୋଇଛି । ଭଦ୍ରକର ଜୀବନ ରେଖା ସାଳନ୍ଦୀ ଏବେ ବି ଫୁଲୁଛି । ୪୮ ଘଣ୍ଟା ଧରି ବିପଦସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ରବିବାର ସନ୍ଧ୍ୟାରେ ବି ଜଳ ବିପଦସଙ୍କେତ ୧୭ ଫୁଟ୍ ଟପି ୧୯.୫୦ ଫୁଟ୍ରେ ପ୍ରବାହିତ ହେଉଛି । ହଦଗଡ଼ ଡ୍ୟାମ୍ରୁ ୫ ହଜାର ୩ ଶହ ଘନଫୁଟ୍ ଜଳ ନିଷ୍କାସନ ହେଉଛି । ଆହୁରି ଦୁଇ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରାଯାଉଛି । ସାଳନ୍ଦୀ ନଦୀର ଆଙ୍କପଦା ଓ ସଦାବର୍ତ୍ତ ମଠ ନିକଟରେ ଦୁଇଟି ଘାଇ ହୋଇଛି । ଆଙ୍କପଦା ଘାଇ ଦେଇ ପାଣି ଭଦ୍ରକ ବ୍ଲକ୍ ଓ ଧାମନଗର ବ୍ଲକ୍ର ୧୦ ପଞ୍ଚାୟତ ବୁଡ଼ାଇଛି । ସଦାବର୍ତ୍ତ ମଠ ନିକଟ ପୁରୁଣା ବଜାର ଅଞ୍ଚଳକୁ ଜଳବନ୍ଦୀ କରିଛି ।
ସେପଟେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ଅଞ୍ଚଳରୁ ବନ୍ୟା ଜଳ କମିଛି । ଧାମନଗର ଓ ଚାନ୍ଦବାଲି ଅଞ୍ଚଳ ଏବେ ଜଳମଗ୍ନ ହୋଇଛି । ବୈତରଣୀର ପ୍ରମୁଖ ଶାଖା ଗେଙ୍ଗୁଟି ନଦୀରେ ଭୟାନକ ସ୍ଥିତି ଦେଖିବାକୁ ମିଳିଛି । ଧାମନଗର ବ୍ଲକ୍ ଅଧୀନ ଦଳାଙ୍ଗ ପଞ୍ଚାୟତ ଭୋଇସାହି ଗାଁରେ ଭାସି ଯାଇ ଜଣେ ଯୁବତୀଙ୍କୁ ମୃତ୍ୟୁ ହୋଇଛି । ବନ୍ୟା ସ୍ଥିତିକୁ ନେଇ ରବିବାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମୀକ୍ଷା କରିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଆଲୋଚନା କରିଛନ୍ତି ମନ୍ତ୍ରୀ । ଜିଲ୍ଲାରେ ୨ ଲକ୍ଷ ୧୨ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୫୨ ହଜାର ୮୩୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସୋମବାର ବନ୍ୟା ପ୍ରଭାବିତ ଅଞ୍ଚଳର ୩୪୧ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି ।
ସୌଜନ୍ୟ ପ୍ରମେୟ




