ପବିତ୍ର ମାଘ ମାସ ତ୍ରିବେଣୀ ଅମାବାସ୍ୟାଠାରୁ ଏହି ଐତିହାସିକ ତ୍ରିବେଣୀ ଯାତ୍ରା ଆରମ୍ଭ ହେଉଥିଲା ଏବଂ ମାସ ମାସ ଧରି ଚାଲୁଥିଲା। ତ୍ରିବେଣୀ ବୁଡ଼ ଦିନ ଏମିତି ଗହଳି ହେଉଥିଲା ଯେ ଭିଡ଼ ଭିତରେ ପିଲା କ’ଣ ବଡ଼ ଲୋକ ବି ହଜି ଯାଉଥିଲେ। ଭିଡ଼ର କାରଣ ଥିଲା ଦୁଇଟି। ଗୋଟିଏ ମେଳା ବୁଲି ମନ ଖୁସି କରିବା ଓ ଅନ୍ୟଟି ଯେଉଁଟା ମୁଖ୍ୟ କାରଣ, ତାହା ହେଉଛି କିଣାବିକା। ବେପାରୀମାନେ ପସରା ମେଲାଇ ବସୁଥିଲେ ଓ ଗରାଖମାନେ କିଣିବାକୁ ଛୁଟି ଆସୁଥିଲେ। ଲୋକେ ବର୍ଷ ସାରା ପଇସା ସଞ୍ଚି ରଖୁଥିଲେ ଏବଂ ମେଳାକୁ ଆସି ଖର୍ଚ୍ଚ କରୁଥିଲେ। କିଏ ଭଲମନ୍ଦ ଖାଇବାରେ ପଇସା ଖର୍ଚ୍ଚ କରୁଥିଲା ତ କିଏ ଘରକୁ ଜିନିଷପତ୍ର କିଣି ନେଉଥିଲା। ପାଖ ଗାଁମାନଙ୍କର ପୁରୁଷ, ମହିଳା, ବୁଢ଼ା, ବୁଢ଼ୀ, ଛୋଟ ପିଲା ସକାଳୁ ମେଳି ବାନ୍ଧି ମେଳା ବୁଲିବାକୁ ବାହାରି ଯାଉଥିଲେ। ଚାଲିଚାଲି ଯାଉଥିଲେ ଏବଂ ଅନ୍ଧାର ହେବା ପୂର୍ବରୁ ଘରକୁ ଫେରୁଥିଲେ। ପୁରୁଷମାନେ ରାତିରେ ଘରକୁ ଫେରି ନ ପାରିଲେ ମେଳଣ ପଡ଼ିଆରେ ରାତି କଟାଉଥିଲେ। ପ୍ରାଚୀ ନଦୀର ତ୍ରିବେଣୀ ଘାଟ ନିକଟ ଏକର ଏକର ପଡ଼ିଆ ଲୋକାରଣ୍ୟ ପାଲଟି ଯାଉଥିଲା। ମୋଟାମୋଟି ଲୋକେ ବର୍ଷପାହି ତ୍ରିବେଣୀ ଯାତ୍ରାକୁ ଅନେଇ ବସୁଥିଲେ। ମାଇଲ ମାଇଲ ଦୂରରୁ ଲୋକେ ଚାଲିଚାଲି କିମ୍ବା ଶଗଡ଼ରେ ଯାତ୍ରାକୁ ଆସୁଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ର ଶହଶହ ବ୍ୟବସାୟୀ ବିଭିନ୍ନ ସାମଗ୍ରୀ ଆଣି ଯାତ୍ରାକୁ ଆସୁଥିଲେ।

କାଠ, ବେତ, ବାଉଁଶ ତିଆରି ଜିନିଷ ସାଙ୍ଗକୁ କଂସା, ପିତଳ, ତମ୍ବା,  ଲୁହା, ପଥର, ମାଟି, ପତ୍ରରେ ନିର୍ମିତ ବିଭିନ୍ନ ଘରୋଇ ଉପକରଣ ବିକ୍ରି ହେଉଥିବା ଦୋକାନ ପଡ଼ିଆ ସାରା ଖୁନ୍ଦି ହୋଇ ଯାଉଥିଲା। କଥା ଅଛି: ବାହାଘର ସଜ ହେଉ କି ପୁଆଣୀ ଘର ସଜ ହେଉ, ତ୍ରିବେଣୀ ଯାତ୍ରାରୁ ହିଁ ଲୋକେ କିଣୁଥିଲେ। କେବଳ ବାହାପୁଆଣୀ ସଜ ନୁହେଁ, ଭାର ପାଇଁ ବି ଲୋକେ ତ୍ରିବେଣୀ ଯାତକୁ ଚାହିଁ ବସୁଥିଲେ। ବେପାରୀ ଓ ଗରାଖଙ୍କ ମନ ଖୁସି ପାଇଁ ଅପେରା ବା ଯାତ୍ରା ଦଳ ବି ମାସ ମାସ ଧରି ପୌରାଣିକ ନାଟକ ପରିବେଷଣ କରୁଥିଲେ। ଏହି ଯାତର ଉଲ୍ଲେଖନୀୟ ଘଟଣାଟି ଥିଲା ଝିଅ ପାଇଁ ପୁଅ ଖୋଜା ତଥା ପୁଅ ପାଇଁ ଝିଅ ଖୋଜା। ମେଳାକୁ ଆସିଥିବା ଲୋକେ ସେମାନଙ୍କ ପସନ୍ଦର ପାତ୍ର ଖୋଜିବା ସହଜ ହେଉଥିଲା। ଏମିତିରେ ଏଇଠି ଗଢ଼ିଉଠୁଥିଲା ପ୍ରେମ କାହାଣୀ। ମେଳା ବୁଲୁବୁଲୁ ଆଖିରେ ଆଖି ମିଶିଯାଉଥିଲା ଏବଂ ହାତଗଣ୍ଠି ପଡ଼ିବା ପର୍ଯ୍ୟନ୍ତ କଥା ଯାଉଥିଲା। ଏହି ଯାତ୍ରାର ଅନ୍ୟ ଏକ ଆକର୍ଷଣ ଥିଲା ଗୋବରା ଚଢ଼େଇ ଲଢ଼େଇ। ବିଭିନ୍ନ ପ୍ରାନ୍ତରୁ ଚଢ଼େଇ ପାଳକମାନେ ଲଢୁଆ ଚଢ଼େଇଙ୍କୁ ଆଣି ପ୍ରତିଯୋଗିତାରେ ଭାଗ ନେଉଥିଲେ ଏବଂ ଯିଏ ଜିତୁଥିଲା, ପୁରସ୍କାର ପାଉଥିଲା। ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଦାଶ, ଭୀମସେନ ସେନାପତି ଓ କଟକ ନିଆଳି ସୁଜାନଗରପାଟଣାର କବି ସୁରେନ୍ଦ୍ର କୁମାର ନାୟକଙ୍କ କହିବା କଥା ଏବେ କିଛି ବର୍ଷ ହେଲା ତ୍ରିବେଣୀ ମହୋତ୍ସବ ଚାଲିଛି, କିନ୍ତୁ ପୁରୁଣା ଯାତର ମହକ ନାହିଁ।