Ama Bus: ‘ଆମ ବସ୍‌’ ଆତଙ୍କ

ରାଜଧାନୀ ରାସ୍ତାରେ ‘ଆମ ବସ୍‌’ର ଆତଙ୍କ ଥମିବା ନାଁ ଧରୁନି। କେଉଠି ଅଟୋ ଉପରେ ଚଢ଼ିଲାଣି ତ’ କେତେବେଳେ ବାଇକ୍‌ ଉପରେ ମାଡ଼ିଗଲାଣି। କେଉଁଠି ପଥଚାରୀଙ୍କ ଉପରେ ଚଢ଼ିଯାଉଛି।

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ‘ଆମ ବସ୍‌’ର ଆତଙ୍କ ଥମିବା ନାଁ ଧରୁନି। କେଉଠି ଅଟୋ ଉପରେ ଚଢ଼ିଲାଣି ତ’ କେତେବେଳେ ବାଇକ୍‌ ଉପରେ ମାଡ଼ିଗଲାଣି। କେଉଁଠି ପଥଚାରୀଙ୍କ ଉପରେ ଚଢ଼ିଯାଉଛି। ପ୍ରତିଦିନ କେଉଁଠି ନା କେଉଁଠି ଆମ ବସ୍‌ ଦୁର୍ଘଟଣା ରାଜଧାନୀ ରାଜରାସ୍ତାରେ ଆତଙ୍କର କାରଣ ପାଲଟିଲାଣି। ଆଜି ପଳାସପଲ୍ଲୀ ଓଭର୍‌ବ୍ରିଜ୍‌ ପାର୍ଶ୍ବରେ ଆମ ବସ୍‌ ଧକ୍କାରେ ଜଣେ ବୁଟ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପୋଖରୀପୁଟ ଅଞ୍ଚଳର ରମେଶ ପାତ୍ର(୬୪)। ତାଙ୍କ ଡ଼ାହଣ ଗୋଡ଼ ଉପରେ ବସ୍‌ ଚଢ଼ିଯିବାରୁ ଗୋଡ଼ ଭାଙ୍ଗିଯାଇଛି। ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବେପରୁଆ ଆମ ବସ୍‌ ଚାଳକର ଏଭଳି ଉନ୍ମତ୍ତକାଣ୍ଡ ଦେଖି ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିବା ସହ ବସ୍‌ରେ ନିଆଁ ଲଗାଇ ରାସ୍ତାରୋକ କରିଥିଲେ। ୨ ଘଣ୍ଟା ଧରି ପଳାସପଲ୍ଲୀ ଅଞ୍ଚଳରେ ନାକାବନ୍ଦି ସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ବସ୍‌କୁ ଜବତ କରିବା ସହ ଚାଳକକୁ କାବୁ କରି ଥାନାକୁ ନେବା ପରେ ସ୍ଥିତି ଆୟତ୍ତ ହୋଇଥିଲା।

ସୋମବାର ରାତି ପାଖାପାଖି ସାଢ଼େ ୯ଟା ବେଳର ଘଟଣା। ପଳାସପଲ୍ଲୀ ପଟୁ ଦ୍ରୁତଗତିରେ ଆସୁଥିବା ଆମ ବସ୍‌ ଚାଳକ ଭାରସାମ୍ୟ ହରାଇ ସାଇକେଲ୍‌ରେ ଆସୁଥିବା ବୁଟ ବ୍ୟବସାୟୀ ରମେଶଙ୍କ ଉପରେ ଚଢ଼ାଇ ଦେଲେ। ରମେଶ ତଳେ ପଡ଼ିଯିବା ପରେ ବସ୍‌ ତାଙ୍କ ଡ଼ାହାଣ ଗୋଡ଼ ଉପରେ ଚକା ମାଡ଼ିଯାଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ବସ୍‌ ଚାଳକ ସେଠାରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଆଖପାଖ ଲୋକେ ଧାଇଁ ଆସି ରମେଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌ ପଠାଇବା ସହ ବସ୍‌କୁ ଅଟକାଇଥିଲେ। କ୍ଷଣିକ ମଧ୍ୟରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ।

ଦୁର୍ଘଟଣା ଘଟାଇଥିବା ବସ୍‌କୁ ଭଙ୍ଗାରୁଜା କରିବା ସହ ଏଥିରେନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ଉଭୟ ପଟ ରାସ୍ତାକୁ ବନ୍ଦ କରିଦେଇଥିଲେ। ଯାହାକୁ ନେଇ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଉତ୍ତେଜନା ବଢ଼ିବାରୁ ସ୍ଥାନୀୟ ଥାନା ଏସିପି, ଆଇଆଇସି ସେଠାରେ ପହଞ୍ଚି ‌ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ ପ୍ଲାଟୁନ୍‌‌ ଫୋର୍ସ ପହଞ୍ଚିଥିଲା। ୨ ଘଣ୍ଟାକାଳ କସରତ ପରେ ପୁଲିସ ଲୋକଙ୍କୁ ବୁଝାସୁଝା କରି ରାସ୍ତା ହଟାଇବା ସହ ବସ୍‌କୁ ଜବତ କରି ଥାନାକୁ ନେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ରମେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ୍‌ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।
ଅପରପକ୍ଷେ ଦୁର୍ଘଟଣା ଖବର ପାଇ କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କ୍ୟାପିଟାଲ ହସ୍‌ପିଟାଲରେ ଆହତ ରମେଶଙ୍କୁ ଭେଟିଛନ୍ତି। ତାଙ୍କର ଚିକିତ୍ସା ବ୍ୟବସ୍ଥା କରିବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ନେଇ କ୍ରୁଟ୍‌ ପକ୍ଷରୁ ଘୋଷଣା କରାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version