ନୂଆଦିଲ୍ଲୀ,୩୦ /୦୩: ଭାରତରେ ହୋଇଥାନ୍ତା ବଡ ଧରଣର ଆକ୍ରମଣ । ହେଲେ ଫସର ଫାଟିଗଲା । ଭଣ୍ଡୁର କରିଦେଲେ ସୁରକ୍ଷା କର୍ମୀ । ଶେଷରେ ଗିରଫ ହେଲା ହାର୍ଡକୋର୍ ଆତଙ୍କବାଦୀ । ରାଜଧାନୀ ଦିଲ୍ଲୀରୁ ଲଶ୍କର ଏ ତୋଏବାର ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗିରଫ ହୋଇଛି । ଯାହାକୁ ନେଇ ସହର ହାଇ ଆଲର୍ଟରେ ରହିଛି ।
ଗିରଫ ଆତଙ୍କବାଦୀ ହେଲା ସବ୍ବୀର ଅହମ୍ମଦ ଲୋନ୍ । ତାକୁ ଦିଲ୍ଲୀ ସୀମାରୁ ଗିରଫ କରାଯାଇଛି । ସବ୍ବୀର ବାଂଲାଦେଶରେ ରହି ଲଶ୍କର ଏବଂ ଆଇଏସଆଇର ଇଶାରାରେ ଭାରତ ବିରୋଧୀ ଷଡଯନ୍ତ୍ର ରଚିଥିଲା । ତେବେ ଦିଲ୍ଲୀ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ସବ୍ବୀର ଦିଲ୍ଲୀ ଆସୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଜାଲ ବିଛାଇ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ ।
ତଦନ୍ତରେ ଜଣା ପଡିଛି ଯେ, ସବ୍ବୀର କିଛି ଖାସ୍ ମିଶନରେ ଦିଲ୍ଲୀ ଆସୁଥିଲା । ତାକୁ କିଛି ବଡ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେବି ତାକୁ ଜେରା କରାଯାଉଚି । ଦିଲ୍ଲୀ ତଥା ଆଖପାଖ ଅଞ୍ଚଳରେ ତାର ଆଉ କିଏ ସାଥୀ ଅଛନ୍ତି ନା ନାହିଁ ସେନେଇ ଖୋଳତାଡ ଆରମ୍ଭ ହୋଇଛି ।
ପୂର୍ବରୁ ଦିଲ୍ଲୀ ସମେତ ଭାରତର ଦକ୍ଷିଣ ପ୍ରାନ୍ତରେ ଲଶ୍କରର ଅନେକ ନେଟଓ୍ୱର୍କକୁ ସୁରକ୍ଷାକର୍ମୀ ଧ୍ୱଂସ କରିଥିଲେ । ଏଥିରେ ୧୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ସେମାନେ ବିଭିନ୍ନ ସ୍ଥାନରେ ଦେଶ ବିରୋଧୀ ପୋଷ୍ଟର ଲଗାଇଥିଲେ । ଏବେବି ସେମାନଙ୍କର କିଛି ସହଯୋଗୀ ଆକ୍ଟିଭ୍ ଥିବା ଆଶଙ୍କା କରାଯାଉଛି ।
ସୌଜନ୍ୟ Prameya News7
