Indian Deaf Cricket Team:ଭାରତୀୟ ବଧିର କ୍ରିକେଟ୍‌ ଦଳରେ ସନ୍ତୋଷ

ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ବଧିର କ୍ରିକେଟ୍‌ ଦଳ ‌‌ଘୋଷିତ ହୋଇଛି। ଏହି ୧୪ ଜଣିଆ ଦଳରେ ଓଡ଼ିଶାର ସନ୍ତୋଷ କୁମାର ମହାପାତ୍ରଙ୍କୁ ସ୍ଥାନ ମିଳିଛି। ଭାରତ ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ୩ଟି ‌ଟ୍ବେଣ୍ଟି-୨୦ ଓ ୨ଟି ଦିନିକିଆ ଖେଳିବ।

ଭୂବନେଶ୍ବର: ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ବଧିର କ୍ରିକେଟ୍‌ ଦଳ ‌‌ଘୋଷିତ ହୋଇଛି। ଏହି ୧୪ ଜଣିଆ ଦଳରେ ଓଡ଼ିଶାର ସନ୍ତୋଷ କୁମାର ମହାପାତ୍ରଙ୍କୁ ସ୍ଥାନ ମିଳିଛି। ଭାରତ ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ୩ଟି ‌ଟ୍ବେଣ୍ଟି-୨୦ ଓ ୨ଟି ଦିନିକିଆ ଖେଳିବ। ଏହି ଅନ୍ତର୍ଜାତୀୟ ମ୍ୟାଚ୍‌ଗୁଡ଼ିକ ଏପ୍ରିଲ ୨୬ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଦିନିକିଆ ମ୍ୟାଚ୍‌ ଏପ୍ରିଲ ୨୬ ଓ ୨୮ ତାରିଖରେ ଖେଳାଯିବାକୁ ଥିଲା ବେଳେ ଏପ୍ରିଲ୍‌ ୩୦, ମେ’ ୧ ଓ ୨ ତାରିଖରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ଗସ୍ତ ପୂର୍ବରୁ ଏପ୍ରିଲ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ।

ଅନଗୁଳ ଜିଲ୍ଲା ତାଲଚେରର ସନ୍ତୋଷ ଜଣେ ଭଲ ଅଲ୍‌ରାଉଣ୍ଡର। ସେ ଚମତ୍କାର ବ୍ୟାଟିଂ ଓ ବୋଲିଂ କରିବା ସହ କ୍ଷେତ୍ରରକ୍ଷଣରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି। ସେ ୨୦୦୬ରୁ ତାଳଚେରସ୍ଥିତ ୟୁଥ୍‌ ସ୍ପୋର୍ଟ୍ସ କ୍ଲବ୍‌ ଓ ୨୦୦୮ରୁ ଅନଗୁଳ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ସହ ଅନୁବନ୍ଧିତ ଅଛନ୍ତି। ଗତ ମାସରେ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ଏସିଆ କପ୍‌ ବଧିର କ୍ରିକେଟ୍‌ ପ୍ରତିଯୋଗିତାରେ ସନ୍ତୋଷ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ସଫଳତା ଲାଗି ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି। ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ସନ୍ତୋଷଙ୍କୁ ଓଡ଼ିଶା ବଧିର କ୍ରିକେଟ୍‌ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସନ୍ତୋଷଙ୍କୁ ଓଡ଼ିଶା ବଧିର କ୍ରିକେଟ୍‌ ସଂଘ ପକ୍ଷରୁ ଶୁଭେଚ୍ଛା

ଭାରତୀୟ ଦଳ: ବୀରେନ୍ଦ୍ର ସିଂହ (ଅଧିନାୟକ), ସାଇ ଆକାଶ (ଉପଅଧିନାୟକ), ଉମର ଅସ୍ରଫ (ୱିକେଟ୍‌କିପର), ଅଭିଷେକ ସିଂହ, ସାନିଥ ସେଟ୍ଟୀ, ଯଶବନ୍ତ ନାଇଡ଼ୁ, କୁଲଦୀପ ସିଂହ, ବିବେକ କୁମାର, ପ୍ରନିଲ ମୋରେ, ସୁଦର୍ଶନ ଇ, ହିଲାଲ ୱାନି, ସନ୍ତୋଷ କୁମାର ମହାପାତ୍ର, ଦୀପକ ଲାମ୍ବା (ୱିକେଟ୍‌କିପର), ଅମନ ଚୌକସି।

 

 

ସୌଜନ୍ୟ ସମ୍ବାଦ

Exit mobile version