ଦୀର୍ଘ ବ୍ୟବଧାନ ପରେ ‘ଭେଜ୍‌ କମେଡି’

କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଟ୍ରେଲର୍‌ର ଇଙ୍ଗିତ ଓ ଅନୁମାନ ଯୋଗୁଁ ବିବାଦୀୟ ହୋଇପଡ଼ନ୍ତି। ‘ପତି ପତ୍ନି ଔର େଵା ଦୋ’କୁ ମଧ୍ୟ ସେହି କାରଣରୁ ବିଶେଷ କରି ନାରୀବାଦୀମାନେ ସମାଲୋଚନା କରୁଥିଲେ, ଯାହାର ଫଳସ୍ବରୂପ ଏହାର ନିର୍ଦେଶକ ମୁଦସର ଅଜୀଜଙ୍କୁ ସ୍ପଷ୍ଟୋକ୍ତି ଜାରି କରି କହିବାକୁ ପଡ଼ିଥିଲା ଯେ ଏହି ଚଳଚ୍ଚିତ୍ରରେ ବୈବାହିକ ପ୍ରତାରଣାର କଥା ନାହିଁ। ବାସ୍ତବରେ ୨୦୧୯ରେ ମୁକ୍ତିଲାଭ କରିଥିବା ‘ପତି ପତ୍ନୀ ଔର େଵା’ରେ ମୁଦସର ଯେଉଁ କାହାଣୀର ଅବତାରଣା କରିଥିଲେ ତାହା ଥିଲା ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ଆଉ ଜଣେ ମହିଳା ପ୍ରବେଶ କରିବା ପରବର୍ତ୍ତୀ ଘଟଣା। ତେଣୁ ଯେ କେହି ଅନୁମାନ କରିବ ଯେ ତା’ ପରବର୍ତ୍ତୀ ଭାଗରେ ନିଶ୍ଚିତ ଭାବରେ ଜଣେ ବିବାହିତ ପୁରୁଷ ନିଜ ସ୍ତ୍ରୀଙ୍କୁ ଛାଡ଼ି ଆଉ ଦୁଇ ଜଣଙ୍କ ପ୍ରେମରେ ପଡ଼ିବାର କାହାଣୀ ଥିବ। ଯଥାର୍ଥ ଭାବେ ଆଜିର ସଚେତନ ଦର୍ଶକ ବୈବାହିକ ପ୍ରତାରଣାକୁ ନେଇ ହସମଜା ଦେଖିବାକୁ ପସନ୍ଦ କରିବେ ନାହିଁ। ତେବେ ସୌଭାଗ୍ୟକୁ ନିର୍ଦେଶକ ମୁଦସର ଏ ଚଳଚ୍ଚିତ୍ରର କାହାଣୀରେ ମୁଖ୍ୟ ନାୟକକୁ ଲମ୍ପଟ ସଜାଇନାହାନ୍ତି।  ତେଣୁ ବନ୍ଧୁପରିଜନଙ୍କ ସହ ଏହାକୁ ଏକ ହାଲୁକା ହାସ୍ୟରସାତ୍ମକ ଚଳଚ୍ଚିତ୍ର ଭାବେ ଦେଖିବାରେ ଅସୁବିଧା ନାହିଁ। ତେବେ ଆୟୁଷ୍ମାନଙ୍କ ସାମର୍ଥ୍ୟ ଦୃଷ୍ଟିରୁ ଦେଖିଲେ ଏହି ଚଳଚ୍ଚିତ୍ରଟି ବିଶେଷ ଛାପ ସୃଷ୍ଟି କରିପାରିଲା ନାହିଁ।

ଚଳଚ୍ଚିତ୍ରଟି ଆରମ୍ଭ ହୁଏ ଉତ୍ତରପ୍ରଦେଶର ବନବିଭାଗ ଅଧିକାରୀ ପ୍ରଜାପତି ପାଣ୍ଡେ (ଆୟୁଷ୍ମାନ ଖୁରାନା) ଓ ଟିଭି ସାମ୍ବାଦିକ ଅପର୍ଣ୍ଣା ତ୍ରିବେଦୀ (ବାମିକା ଗବ୍ବି)ଙ୍କ ସୁଖଦ ଦାମ୍ପତ୍ୟ ଜୀବନରୁ। ତେବେ ପ୍ରଜାପତିର ପୁରୁଣା ବନ୍ଧୁ ଚଞ୍ଚଲ କୁମାରୀ (ସାରା ଅଲୀ ଖାଁ) ଆସି ତାକୁ ବିପଦରୁ ବାହାର କରିବାର ସାହାଯ୍ୟ ଭିକ୍ଷା କରିବା ପରେ ଭୁଲ୍‌ ବୁଝାମଣାର ପ୍ରକରଣ ଆରମ୍ଭ ହୋଇଯାଏ। ଏହି ଭୁଲ୍ ବୁଝାମଣାର ଜଟିଳତା ମଧ୍ୟରେ ପ୍ରଜାପତିର ସହକର୍ମୀ ନିଲୋଫର ଖାଁ (ରକୁଲ ପ୍ରୀତ ସିଂହ) ମଧ୍ୟ ଯୋଡ଼ି ହୋଇଯାଏ। ମଧ୍ୟାନ୍ତର ପହଞ୍ଚିଲା ବେଳକୁ ମନେହୁଏ ଅବୁଝାମଣାର ଜଟିଳତା ଶୀର୍ଷ ଛୁଇଁଗଲା, ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଦ୍ବିତୀୟାର୍ଦ୍ଧରେ ବିଭିନ୍ନ ଚରିତ୍ର ନିଜନିଜ ଭ୍ରାନ୍ତିକୁ ନେଇ ଅବତୀର୍ଣ୍ଣ ହୋଇଛନ୍ତି ଯାହା ଅଧିକ ଜଟିଳ, ମଜାଳିଆ ଓ ଉପଭୋଗ୍ୟ ହୋଇପାରିଛି।

ଏହି ଚଳଚ୍ଚିତ୍ରର ସବୁଠାରୁ ଭଲ ଦିଗ ହେଉଛି ଏହାର ଅବଧି। ଏହା ମାତ୍ର ଦୁଇ ଘଣ୍ଟାରେ ସୀମିତ। ଏହି କାରଣରୁ କୌଣସି ଦୃଶ୍ୟକୁ ଅଯଥାରେ ଲମ୍ବେଇ ଦିଆଯାଇଛି ବୋଲି ମନେ ହେଲା ନାହିଁ। ସେହିପରି ଦର୍ଶକ ମୁହଁରେ ହସ ଫୁଟାଇବା ପାଇଁ ମୁଦସର ଅଶ୍ଳୀଳ ଶବ୍ଦ ବା ଆଚରଣର ବିଶେଷ ଉପଯୋଗ କରିନାହାନ୍ତି। ବଲିଉଡ୍‌ରେ ଦୀର୍ଘ ବ୍ୟବଧାନ ପରେ ଏହା ଏକ ଭେଜ୍‌ କମେଡି ଚଳଚ୍ଚିତ୍ର ଭାବେ ଅବତୀର୍ଣ୍ଣ ହୋଇଛି। ଏହାର ଅନ୍ୟ ଏକ ସୌନ୍ଦର୍ଯ୍ୟ ହେଲା ନାରୀ ଚରିତ୍ରମାନଙ୍କୁ ଏଥିରେ ହସର ଶରବ୍ୟ କରାଯାଇ ନାହିଁ। ଅଭିନେତ୍ରୀମାନଙ୍କୁ ବି ଦକ୍ଷତା ପ୍ରଦର୍ଶନର ସୁଯୋଗ ମିଳିଛି। ସାରା ଅଲୀ ଖାଁଙ୍କ ଚିରାଚରିତ ଦୁର୍ବଳତାକୁ ଛାଡ଼ିଦେଲେ ବାମିକା ଓ ରକୁଲ ଉତ୍କୃଷ୍ଟ ଅଭିନୟ କରିଛନ୍ତି। ପୁଲିସ ଅଫିସର ଭାବେ ବିଜୟ ରାଜ ଏବଂ ଜାତିବାଦୀ ରାଜନେତା ଭାବେ ତିଗ୍ମାଂଶୁ ଧୁଲିୟା ଖୁବ୍ କମ୍ ସମୟ ପାଇଁ ପରଦାରେ ଅବତୀର୍ଣ୍ଣ ହୋଇ ବି ସବୁଠାରୁ ଅଧିକ ପ୍ରଭାବ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ତେବେ ‘ପଞ୍ଚାୟତ’ ୱେବ୍‌ ସିରିଜ୍‌ରେ ବନରାକ୍ଷସ ଭୂମିକା ପାଇଁ ଖୁବ୍ ପ୍ରସିଦ୍ଧ ହୋଇଥିବା ଦୁର୍ଗେଶ କୁମାରଙ୍କୁ ମିଳିଥିବା ଚରିତ୍ର ମନରେ ଛାପ ଛାଡ଼ିବାରେ ବିଫଳ ହେଲା। ‘ପତି ପତ୍ନି ଔର େଵା ଦୋ’ର କେତେକ ହସକଥା ଓ ଗୀତ ପୁରୁଣା ଚଳଚ୍ଚିତ୍ରରୁ ଅଣାଯାଇଛି। ତଥାପି ବିଚକ୍ଷଣ ଚିତ୍ରନାଟ୍ୟ ରଚନା ଯୋଗୁଁ ଚଳଚ୍ଚିତ୍ରଟି ନିୟମିତ ବ୍ୟବଧାନରେ ଦର୍ଶକଙ୍କୁ ହସାଇବା ସୁନିଶ୍ଚିତ। ଏହାର ଗୀତଗୁଡ଼ିକ ଚଳନୀୟ ସ୍ତରର କହିବା ଠିକ୍ ହେବ। ତେବେ ଏହାର ପୃଷ୍ଠଭୂମି ସଂଗୀତ ପ୍ରଶଂସନୀୟ। ଏହି ଚଳଚ୍ଚିତ୍ରରେ କିଛି ନୂଆପଣ ନାହିଁ, କିନ୍ତୁ ଅଶ୍ଳୀଳତା ବିନା ଦର୍ଶକଙ୍କ ମୁହଁରେ ହସ ଫୁଟାଇବା ଏକ ବଡ଼ ସଫଳତା।

ସୌଜନ୍ୟ ସମ୍ବାଦ