Sunny Deol: ରାମାୟଣ ପରେ ହନୁମାନଙ୍କ ଉପରେ ଆସିବ ସ୍ୱତନ୍ତ୍ର ଫିଲ୍ମ! ସନ୍ନି ଦେଓଲଙ୍କୁ ନେଇ ଚର୍ଚ୍ଚା
ନିର୍ମାତା ନମିତ ମାଲହୋତ୍ରା ଭଗବାନ ହନୁମାନଙ୍କ ଉପରେ ଏକ ସ୍ୱତନ୍ତ୍ର ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏହି ଫିଲ୍ମରେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା ସନ୍ନି ଦେଓଲଙ୍କୁ ମୁଖ୍ୟ ଭୂମିକାରେ ରଖିବା ପାଇଁ ଆଲୋଚନା ହେଉଛି।

ମୁମ୍ବାଇ:: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପୂର୍ବରୁ ହିଁ ଉତ୍ସାହ ରହିଛି। ଏହି ମଧ୍ୟରେ ଫିଲ୍ମର କାହାଣୀକୁ ଆହୁରି ବିସ୍ତାର କରିବା ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଖବର ସାମ୍ନାକୁ ଆସିଛି। ନିର୍ମାତା ନମିତ ମାଲହୋତ୍ରା ଭଗବାନହନୁମାନଙ୍କ ଉପରେ ଏକ ସ୍ୱତନ୍ତ୍ର ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏହି ଫିଲ୍ମରେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା ସନ୍ନି ଦେଓଲଙ୍କୁ ମୁଖ୍ୟ ଭୂମିକାରେ ରଖିବା ପାଇଁ ଆଲୋଚନା ଚାଲିଥିବା ଜଣାପଡ଼ିଛି। ତେବେ ନିର୍ମାତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।
ରିପୋର୍ଟ ଅନୁଯାୟୀ, ‘ରାମାୟଣ’ର ନିର୍ମାତାମାନେ ହନୁମାନଙ୍କ ଚରିତ୍ରକୁ ନେଇ ଏକ ପୂର୍ଣ୍ଣାଙ୍ଗ ଫିଲ୍ମ ନିର୍ମାଣ କରିବାକୁ ବିଚାର କରୁଛନ୍ତି। ରାମାୟଣର କାହାଣୀରେ ହନୁମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ନିର୍ମାତାମାନେ ଏକ ସ୍ୱତନ୍ତ୍ର ଫିଲ୍ମ ମାଧ୍ୟମରେ ତାଙ୍କ କାହାଣୀକୁ ଆହୁରି ବିସ୍ତୃତ ଭାବେ ଦର୍ଶାଇବାକୁ ଚାହୁଁଥିବା କୁହାଯାଉଛି।
ରିପୋର୍ଟ ଅନୁସାରେ, ‘ରାମାୟଣ: ପାର୍ଟ ୨’ର ସୁଟିଂ ଶେଷ ହେବା ପରେ ଏହି ଫିଲ୍ମର କାମ ଆଗକୁ ବଢ଼ିପାରେ। ତେବେ ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ ଏଥିରେ ଅନ୍ୟ କେଉଁ କଳାକାର ଅଭିନୟ କରିବେ, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ସୂଚନା ମିଳିନାହିଁ।
ଏହି ଚରିତ୍ରଗୁଡ଼ିକ ଉପରେ ମଧ୍ୟ ନିର୍ମାଣ ହୋଇପାରେ ଫିଲ୍ମ
ହନୁମାନଙ୍କ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମ ଏହି ଯୋଜନାର ପ୍ରଥମ ଅଂଶ ହୋଇପାରେ। ଏହା ପୂର୍ବରୁ ହାଇଦ୍ରାବାଦରେ ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ନମିତ ମଲହୋତ୍ରା ଶୂର୍ପଣଖା, ଜଟାୟୁ, ଇନ୍ଦ୍ରଜିତ ଏବଂ ଅଙ୍ଗଦଙ୍କ ଭଳି ଚରିତ୍ରକୁ ନେଇ ମଧ୍ୟ ସ୍ୱତନ୍ତ୍ର ଫିଲ୍ମ ନିର୍ମାଣ କରିବାର ସମ୍ଭାବନା ସମ୍ପର୍କରେ ସଙ୍କେତ ଦେଇଥିଲେ। ତେବେ ଏହି ଚରିତ୍ରଗୁଡ଼ିକୁ ନେଇ ଫିଲ୍ମ ନିର୍ମାଣ କରିବା ସମ୍ପର୍କରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା କରାଯାଇନାହିଁ।
ସୌଜନ୍ୟ ସମ୍ବାଦ




