ଉଦୟପୁର ୦୬/୦୫:ତାମିଲ ଓ ତେଲଗୁ ସିନେମାର ଜଣେ ଜଣାଶୁଣା ବ୍ୟକ୍ତିତ୍ବ, ଚଳଚ୍ଚିତ୍ର ପ୍ରଯୋଜକ ଆର୍.ବି ଚୌଧୁରୀଙ୍କ ପରଲୋକ । ମଙ୍ଗଳବାର ରାଜସ୍ଥାନର ଉଦୟପୁରରେ କାର ଦୁର୍ଘଟଣାରେ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଅନ୍ତିମ ସଂସ୍କାର ପାଇଁ ବୁଧବାର ତାଙ୍କ ମରଶରୀର ଚେନ୍ନାଇ ଅଣାଯିବାର ସୂଚନା ରହିଛି । ତାଙ୍କ ମୃତ୍ୟୁରେ ଶୋକରେ ବୁଡିଛି ଫିଲ୍ମ ଇଣ୍ଡଷ୍ଟ୍ରି । ଅଭିନେତା ରଜନୀକାନ୍ତ, ଚିରଞ୍ଜିବୀ, ପବନକଲ୍ୟାଣ ଓ ପୃଥ୍ବୀରାଜ ସୁକୁମାରନ ଶୋକ ବ୍ୟକ୍ତି କରିଛନ୍ତି ।
ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ପବନ କଲ୍ୟାଣ ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ସେ ଏହି ଦୁଃଖଦ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବିଶ୍ବାସ କରିପାରୁନାହାନ୍ତି ଯେ ଆର୍.ବି ଚୌଧୁରୀ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେ ଦିବଂଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଫିଲ୍ମ ସୁସ୍ବାଗତମରେ ତାଙ୍କ ସହ କାମ କରିବା କଥା ମନେ ପକାଇ ଏହାକୁ ଏକ ସଫଳ ଫିଲ୍ମ ବୋଲି କହିଥିଲେ । ଫିଲ୍ମ ନିର୍ମାଣରେ ତାଙ୍କ ଅବଦାନକୁ ପ୍ରଶଂସା କରିଥିଲେ ।
ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଆର୍.ବି ଚୌଧୁରୀଙ୍କ ଦେହାନ୍ତ ଖବର ଗଭୀର ଆଘାତ ଦେଇଛି । ଏଥପାଇଁ ସେ ଦୁଃଖ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଚୌଧୁରୀଙ୍କୁ ଜଣେ ଶ୍ରେଷ୍ଠ ପ୍ରଯୋଜକ ଏବଂ ଚମତ୍କାର ମଣିଷ ଭାବରେ ମନେ ପକାଇଥିଲେ ରଜନୀକାନ୍ତ । ସେ ଅନେକ ଯୁବ ନିର୍ଦ୍ଦେଶକଙ୍କୁ ସମର୍ଥନ କରିଛନ୍ତି । ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିବା କହିଛନ୍ତି
ଚିରଞ୍ଜିବୀ ମଧ୍ୟ ଦୁଃଖ ପ୍ରକାଶ କରି କହିଥିଲେ ଏହା ଏକ ଗଭୀର କ୍ଷତି । ସେ ଆହରି କହିଛନ୍ତି ଆର୍.ବି ଚୌଧୁରୀଙ୍କୁ ବର୍ଷ ବର୍ଷ ଧରି ଜାଣିଛି । ସୁପର ଗୁଡ୍ ଫିଲ୍ମସ ଅଧୀନରେ ତାଙ୍କ ସହ ଗଡଫାଦରରେ କାମ କରିଛନ୍ତି । ଭାରତୀୟ ସିନେମାରେ ତାଙ୍କର ଅବଦାନ ଅତୁଳନୀୟ । ସେ ଅନେକଙ୍କ କ୍ୟାରିୟର ଗଢିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ପୃଥ୍ବୀରାଜ ସୁକୁମାରନ ଇନଷ୍ଟାଗ୍ରାମରେ ହାତ ଯୋଡି ଇମୋଜି ସହ ଏକ ଫଟୋ ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସୁପର ଗୁଡ୍ ଫିଲ୍ମସର ପ୍ରତିଷ୍ଠାତା ଆର୍.ବି ଚୌଧୁରୀ ତାମିଲ, ତେଲଗୁ ,ମାଲାୟଲମ ଏବଂ ହିନ୍ଦି ସିନେମାରେ ଛାପ ଛାଡି ଯାଇଛନ୍ତି । ସେ ଫିଲ୍ମ ପ୍ରଯୋଜନାରେ ପ୍ରବେଶ କରିବା ପୂର୍ବରୁ ବ୍ୟବସାୟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦକ୍ଷିଣ ଭାରତୀୟ ସିନେମାରେ ଜଣେ ପ୍ରମୁଖ ପ୍ରଯୋଜକ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ସେ କିଛି ମାଲାୟଲମ,କନ୍ନଡ ଓ ହିନ୍ଦି ଫିଲ୍ମ ପାଇଁ ଆର୍ଥିକ ସହାୟତା କରିଥିଲେ ।
ସୌଜନ୍ୟ Prameya News7

