Supreme Court : ଦୁଷ୍କର୍ମ ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଅପରାଧୀଙ୍କ ଭିତରେ ମୃତ୍ୟୁ ଭୟ ସୃଷ୍ଟି କରିବା ଜରୁରୀ

ନୂଆଦିଲ୍ଲୀ, ୬/୧୦ : ଦିଲ୍ଲୀ-ଏନ୍ସିଆରରେ ମହିଳାଙ୍କ ସୁରକ୍ଷା ଏବଂ ପୁଲିସ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ସୋମବାର ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ମହିଳାଙ୍କ ବିରୋଧରେ ଅପରାଧକୁ ରୋକିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ କୋର୍ଟ ଜୋର୍ ଦେଇଛନ୍ତି । କୋର୍ଟ କହିଛନ୍ତି, ଦିଲ୍ଲୀ-ଏନ୍ସିଆରରେ ବିଶେଷକରି କିଛି ସମ୍ବେଦନଶୀଳ ଅଞ୍ଚଳରେ ମହିଳାମାନେ ସୁରକ୍ଷିତ ନଥିବା ଭଳି ଲାଗୁଛି । ଆମକୁ ଏଭଳି ପରିବେଶ ସୃଷ୍ଟି କରିବାକୁ ହେବ ଯେଉଁଠାରେ ମହିଳାମାନେ ରାତି ୧୦ଟାରେ ରାସ୍ତାରେ ଚାଲିବା କିମ୍ବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ସମୟରେ ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ ।
ଏହି ସମୟରେ ଜଷ୍ଟିସ ଜେବି ପାରଦିୱାଲା ଏବଂ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଦିଲ୍ଲୀ ପୁଲିସକୁ କିଛି ନିର୍ଦ୍ଦେଶ ବି ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, ଲୋକମାନଙ୍କ ସୁରକ୍ଷା ଲାଗି ପୁଲିସ ପାଟ୍ରୋଲିଂ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପୁଲିସ କେବଳ ପାଟ୍ରୋଲିଂ କରିବା, ଅପରାଧ ହେବାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଅପରାଧକୁ ରୋକିବା ଲାଗି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଅପରାଧୀଙ୍କ ଭିତରେ ମୃତ୍ୟୁ ଭୟ ସୃଷ୍ଟି କରିବା ଜରୁରି । ନଚେତ୍ ବଳାତ୍କାର ଭଳି ଅପରାଧକୁ ରୋକିବା କଷ୍ଟକର । ଏଥିପାଇଁ ପୁଲିସକୁ ପ୍ରଥମେ ସେହି କଲେଜଗୁଡି଼କ ଉପରେ ଫୋକସ୍ କରିବାକୁ ହେବ ଯେଉଁଠାରେ ଅପରାଧୀମାନେ ଛାତ୍ରୀମାନଙ୍କୁ ନିରନ୍ତର ହଇରାଣ କରୁଛନ୍ତି । ସେହିପରି ଦିଲ୍ଲୀରେ ଥିବା ହଜାର ହଜାର ବେଆଇନ ଖାଇବା ଦୋକାନରେ ଅସାମାଜିକ ତତ୍ତ୍ୱମାନେ ଏକାଠି ହୋଇ ମଦ୍ୟପାନ କରୁଥିବାରୁ ସେଗୁଡି଼କ ଉପରେ ବି ଗୁରୁତ୍ୱ ଦିଆଯିବା ଆବଶ୍ୟକ । ପୁଲିସ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ଷ୍ଟ୍ରିଟ ଲାଇଟ୍, ଅସାମାଜିକ ତତ୍ତ୍ୱ ତଥା ଅନ୍ୟ ସମସ୍ୟା ପ୍ରସଙ୍ଗରେ ସେମାନଙ୍କର ଅଭିଯୋଗକୁ ଶୁଣିବା ଦରକାର ।
ସୌଜନ୍ୟ ପ୍ରମେୟ




