ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ ମହିଳା ଖବରଦାତାଙ୍କୁ ଦିଲ୍ଲୀ ପୋଲିସ ଆସିଷ୍ଟାଣ୍ଟ କମିଶନର (ଏସିପି) ବିବେକ ଭଗତ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଏସିପିଙ୍କୁ ସୋମବାର ଅତିରିକ୍ତ ଡିସିପି ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କ ସମେତ ଅନ୍ୟ ୧୧ ଜଣ ପୋଲିସ ଅଫିସରଙ୍କୁ ପଦୋନ୍ନତି ମିଳିଛି। ଏହି ପଦୋନ୍ନତି ଏକ ନିୟମିତ ପ୍ରକ୍ରିୟା ଏବଂ ବହୁ ପୂର୍ବରୁ ଏଥିପାଇଁ ଅନୁରୋଧ ପଠାଯାଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ଗତ ୩ ତାରିଖରେ ଯନ୍ତରମନ୍ତରରେ ସିଇସି ବିରୋଧୀ ବିକ୍ଷୋଭ ବେଳେ ଅଭିଯୁକ୍ତ ଏସିପି ୩ ମହିଳା ଖବରଦାତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଦିଲ୍ଲୀ ପୋଲିସ ଅଭିଯୋଗ ପାଇବା ପରେ କ୍ରାଇମ୍ ବ୍ରାଞ୍ଚ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲା। ଅଭିଯୋଗ ପରେ ବହୁସଂଖ୍ୟାରେ ସ୍ବାଧୀନ ଖବରଦାତା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ବାହାରେ ବିକ୍ଷୋଭ କରିବା ସହ ଉକ୍ତ ଅଫିସରଙ୍କ ବିରୋଧରେ ଏତଲା ଦାଏର ପାଇଁ ଦାବି କରିଥିଲେ। ପୋଲିସର ଯୌନ ନିର୍ଯାତନା ପ୍ରତିବାଦରେ ଆପ୍ ରବିବାର ଦିଲ୍ଲୀରେ ବିକ୍ଷୋଭ କରିଥିଲା।
ସୌଜନ୍ୟ ଧରିତ୍ରୀ




