Site icon Swayam News

ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା ହେଉଛି ତିନି ଦିନ

ଭୁବନେଶ୍ବର: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇଯାଇଛି। ଏହି ସମ୍ମିଳନୀକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଛନ୍ତି। ଏହି ସମ୍ମିଳନୀ ତିନି ଦିନ ଧରି ଚାଲିବ। ଏହି ସମ୍ମିଳନୀରେ ବହୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ବିଶିଷ୍ଠ ବ୍ୟକ୍ତି ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ବିଳନୀକୁ ସମ୍ବୋଧିତ କରିବେ। ଉଦ୍‌ଘାଟନୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ସାଇବର ଅପରାଧର ଆହ୍ୱାନର ମୁକାବିଲା ପାଇଁ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି। ବର୍ତମାନ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବୈଷୟିକ ସ୍ତରରେ ସୁଦୃଢ଼ କରିବା ଜରୁରୀ, ଯାହାଦ୍ୱାରା ଯେକୌଣସି ପ୍ରକାର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରାଯାଇପାରିବ। ଏହି ସମ୍ମିଳନୀରେ ଗୃହମନ୍ତ୍ରୀ ନିଜ ଅଭିଭାଷଣରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ପୁଲିସ ଅଧିକାରୀଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟି ସେ କହିଛନ୍ତି ଯେ ଦେଶର ସୁରକ୍ଷା ଓ ପୁଲିସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସବୁ ରାଜ୍ୟରେ ମିଳିତ ପ୍ରୟାସ କରାଯିବା ଦରକାର।ଆଗାମୀ ଦୁଇଦିନରେ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା
ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଶୀର୍ଷ ପୁଲିସ ନେତୃତ୍ୱ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ, ସାଇବର ଅପରାଧ ଏବଂ ଅର୍ଥନୈତିକ ନିରାପତ୍ତା ସମେତ ବର୍ତ୍ତମାନର ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ଏହା ସହିତ ତିନୋଟି ନୂଆ ଅପରାଧିକ ଆଇନ ର କାର୍ଯ୍ୟକାରିତାର ଅଗ୍ରଗତି ଏବଂ ପୁଲିସ ସହ ଜଡିତ ସର୍ବୋତ୍ତମ ଅଭ୍ୟାସଗୁଡିକର ମଧ୍ୟ ସମୀକ୍ଷା କରାଯିବ। ଜମ୍ମୁ-କଶ୍ମୀର, ଉତ୍ତର-ପୂର୍ବ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସୁରକ୍ଷା ସ୍ଥିତିରେ ଉନ୍ନତି ନେଇ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ପୂର୍ବରୁ ଦଣ୍ଡ-କେନ୍ଦ୍ରୀତ ଥିଲା, କିନ୍ତୁ ବର୍ତ୍ତମାନ ତିନୋଟି ନୂତନ ଅପରାଧିକ ଆଇନ ପ୍ରଣୟନ ହେବା ପରେ ଏହା ନ୍ୟାୟ କେନ୍ଦ୍ରୀତ ହୋଇଛି। ଏହି ନୂତନ ଆଇନର ମୌଳିକ ଭାବନା ଭାରତୀୟ ପରମ୍ପରାରୁ ପ୍ରେରିତ।ମୋଦୀ-ଶାହଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା
ଡିଜିପି ସମ୍ମିଳନୀ ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ମୁଖ୍ୟ ଛକଗୁଡ଼ିକରେ ବିଏସ୍‌ଏଫ୍‌, ସିଆରପିଏଫ୍‌ ଯବାନଙ୍କ ସମେତ ସୁରକ୍ଷାବାହିନୀର ଅନ୍ୟ କର୍ମଚାରୀ ମୁତୟନ ହୋଇଛନ୍ତି। ମୋଦୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରର ବିଭିନ୍ନ ରୁଟ୍‌ରେ ଟ୍ରାଫିକ କଟକଣା କରାଯାଇଛି। ମୋଦୀଙ୍କ ଝଲକ ଟିକେ ପାଇବା ପାଇଁ ବିମାନବନ୍ଦର ଠାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ରାସ୍ତାକଡ଼ରେ ସମର୍ଥକମାନେ ଭିଡ଼ ଲଗାଇବା ଆରମ୍ଭ କରିଦେଇଛନ୍ତି।
ସୌଜନ୍ୟ – ସମ୍ୱାଦ

Exit mobile version