ଦ୍ବନ୍ଦ୍ବ ବଢ଼ାଉଛି ସୂଚନା ଫଳକ

ରାଜଧାନୀ ଭିତରେ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ଲାଗିଥିବା ବେଗ ସୀମା ସୂଚନା ଫଳକକୁ ନେଇ ଚାଳକମାନେ ଚିନ୍ତାରେ ପଡ଼ୁଛନ୍ତି। ପ୍ରାୟ ୧୦ କିମି ଦୂରତା ଭିତରେ ଭିନ୍ନ ଭିନ୍ନ....

ଭୁବନେଶ୍ବର: ରାଜଧାନୀ ଭିତରେ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ଲାଗିଥିବା ବେଗ ସୀମା ସୂଚନା ଫଳକକୁ ନେଇ ଚାଳକମାନେ ଚିନ୍ତାରେ ପଡ଼ୁଛନ୍ତି। ପ୍ରାୟ ୧୦ କିମି ଦୂରତା ଭିତରେ ଭିନ୍ନ ଭିନ୍ନ ବେଗ ସୀମା ଦର୍ଶାଉଥିବା ସୂଚନା ଫଳକ ଲାଗିଥିବାରୁ ଚାଳକମାନେ ସମସ୍ୟାରେ ପଡ଼ୁଛନ୍ତି। ଅମାନିଆ ଚାଳକଙ୍କ ପାଇଁ କିଛି ଫରକ ପଡ଼ୁନି ସିନା ଅନ୍ୟମାନେ ଅର୍ଥାତ ନିୟମ ମାନି ଗାଡ଼ି ଚଳାଉଥିବା ଚାଳକମାନେ କିନ୍ତୁ ଅସୁବିଧାରେ ପଡ଼ୁଛନ୍ତି। ଟିକିଏ ଅସାବଧାନ ହେଲେ, ଚାଲାଣ କଟୁଛି। କେବଳ ସେତିକି ନୁହେଁ, ସୂଚନା ଫଳକରେ ଧାର୍ଯ୍ୟ ବେଗ ସୀମାରୁ କମ୍ ବେଗରେ ଯାଉଥିଲେ ମଧ୍ୟ ଗାଡ଼ିର ଚାଲାଣ କଟୁଛି।

୧୬ନମ୍ବର ଜାତୀୟ ରାଜପଥରେ ବରମୁଣ୍ଡାରୁ ପଳାଶୁଣୀ ଛକ ମଧ୍ୟରେ ଲାଗିଥିବା ସ୍ପିଡ୍‌ ଲିମିଟ୍‌(ବେଗ ସୀମା) ଫଳକକୁ ନେଇ ଦ୍ବନ୍ଦ୍ବ ଉପୁଜୁଛି। ମାତ୍ର କିଛି କିଲୋମିଟର ମଧ୍ୟରେ ଭିନ୍ନ ଭିନ୍ନ ସ୍ପିଡ୍‌ ଲିମିଟ୍ ‌ସୂଚନା ଫଳକ ଲଗାଯାଇଛି। ଗୋଟିଏ ଜାଗାରେ କାର୍‌ ପାଇଁ ୮୦କିମି/ଘଣ୍ଟା ବେଗ ସୀମା ଥିବା ବେଳେ ମାତ୍ର ଅଳ୍ପ କିଛି ଦୂରରେ ଏହା ୭୫ କିମି/ଘଣ୍ଟା ରହିଛି। ପ୍ରାୟ ୧୦ କିମି ଦୂରତା ପରେ ଏହି ବେଗ ସୀମା ବଦଳିଯାଉଛି। ତେଣୁ ଚାଳକଜଣକ ସେତିକି ଦୂର ଅତିକ୍ରମ କରୁକରୁ ବେଗ ସୀମା ବଦଳିବା ବୁଝିପାରୁନାହାନ୍ତି। ଏଣେ ଚାଲାଣ କଟିଯାଉଛି। ନିୟମାନୁସାରେ ମୁନିସିପାଲିଟି ବା ଜନଗହଳିପୂର୍ଣ୍ଣ ବଜାର ଅଞ୍ଚଳରେ ଅର୍ଥାତ୍ ଯେଉଁଠି ୪ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ଯାଇଛି, ସେଠାରେ ସ୍ପିଡ୍‌ ଲିମିଟ୍ ୪୦ରୁ ୬୦ କିମି/ଘଣ୍ଟା ରହିବା ଆବଶ୍ୟକ। କିନ୍ତୁ ଭୁବନେଶ୍ବର ଓ ୧୬ନମ୍ବର ଜାତୀୟ ରାଜପଥ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଫ୍ଲାଏଓଭର୍‌ ଉପରେ ୮୦ କିମି/ଘଣ୍ଟା ସ୍ପିଡ୍‌ ଲିମିଟ୍ ଥିବା ‌ବେଳେ ସହର ଭିତରେ ଏହା ୬୦କିମି/ଘଣ୍ଟା ରହିଛି।

ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ପିପିଲିନିକଟରେ ଏକ ଗାଡ଼ି ୫୦କିମି/ଘଣ୍ଟାରୁ ଅଧିକ ବେଗରେ ଯାଉଥିବା ବେଳେ କ୍ୟାମେରା ବଳରେ ଚାଲାଣ କଟୁଥିଲା। କିନ୍ତୁ ଏହାର ମାତ୍ର ଅଳ୍ପ କିଛି ମିଟର ଦୂରରେ ଥିବା ସୂଚନା ଫଳକରେ ସ୍ପିଡ୍‌ ଲିମିଟ୍‌ ୮୦ କିମି/ ଘଣ୍ଟା ଲେଖାଥିଲା। ୧୬ନମ୍ବର ଜାତୀୟ ରାଜପଥ ଆଚାର୍ଯ୍ୟବିହାର ନିକଟରେ ବାଇକ୍‌ ପାଇଁ ୬୦ କିମି/ଘଣ୍ଟା, କାର୍‌ ପାଇଁ ୮୦ ଓ ଭାରୀଯାନ ପାଇଁ ୬୦ କିମି/ଘଣ୍ଟା ବେଗ ସୀମା ଲେଖାଥିବା ସୂଚନା ଫଳକ ରହିଛି। ମାତ୍ର ଅଳ୍ପ ଦୂରରେ ଜୟ‌ଦେବବିହାର ଓଭରବ୍ରିଜ ପୂର୍ବରୁ କାର୍‌ ପାଇଁ ୭୫କିମି/ଘଣ୍ଟା ଓ ଭାରୀଯାନ ପାଇଁ ୬୫କିମି/ ଘଣ୍ଟା ରହିଛି। ଭୁବନେଶ୍ବରର ପରିବହନ ବିଭାଗ ଅଧିକାରୀଙ୍କ କହିବା କଥା ରାଜଧାନୀ ଭିତ‌ରେ ଜାତୀୟ ରାଜପଥରେ ସାଧାରଣତଃ ବେଗ ୮୦ କିମିରୁ ଅଧିକ ହେଲେ ମାନୁଆଲରେ ଚାଲାଣ କଟାଯାଉଛି। କିନ୍ତୁ ଜାତୀୟ ରାଜପଥର ଫ୍ଲାଏଓଭର ଉପରେ ବିଭିନ୍ନ ସ୍ଥାନରେ ଯେଉଁ ସ୍ପିଡ୍‌ ଲିମିଟ୍‌ ରହିଛି, ତାହା ଏନ୍‌ଏଚ୍‌ଏଆଇ ନିଷ୍ପତ୍ତି ନେଉଛି। କ୍ୟାମେରା‌ରେ ଅଟୋମେଟିକ୍‌ ଭାବେ ଏସ୍‌ଟିଏ ଚାଲାଣ କାଟୁଛି। ଖୋର୍ଦ୍ଧା ଜିଲ୍ଲାରେ କେଉଁ ସ୍ଥାନରେ କେତେ ସ୍ପିଡ୍‌ ଲିମିଟ୍‌ ରହିବ, ତାହା ପ୍ରାୟ ୫ ବର୍ଷ ତଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଏ‌ବେ ସୂଚନା ଫଳକ ଲଗାଯାଇଛି। ଆଗାମୀ ଦିନରେ ଏହାର ପୁନଃବିଚାର କରାଯିବ ଏବଂ ଜାତୀୟ ରାଜପଥ‌ରେ ସ୍ପିଡ୍‌ ଲିମିଟ୍‌ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ
Exit mobile version