Limited worker: ଫଳକରେ ସୀମିତ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର

ରାଜଧାନୀରେ ହେବ ପ୍ରତିଷ୍ଠା ହେବ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର। ଏଥିରେ ପ୍ରତୀକ୍ଷାସ୍ଥଳ, ଶୌଚାଳୟ, ପାର୍କ, ଓପନ୍ ଜିମ୍ ଉପକରଣ ଭଳି ସୁବିଧା ରହିବ। ଏହା ଦ୍ୱାରା ଟ୍ରାଫିକ୍‌ ସମସ୍ୟା ଦୂର....

ଭୁବନେଶ୍ୱର: ରାଜଧାନୀରେ ହେବ ପ୍ରତିଷ୍ଠା ହେବ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର। ଏଥିରେ ପ୍ରତୀକ୍ଷାସ୍ଥଳ, ଶୌଚାଳୟ, ପାର୍କ, ଓପନ୍ ଜିମ୍ ଉପକରଣ ଭଳି ସୁବିଧା ରହିବ। ଏହା ଦ୍ୱାରା ଟ୍ରାଫିକ୍‌ ସମସ୍ୟା ଦୂର ହେବା ସହିତ ଶ୍ରମିକମାନେ ଉପକୃତ ହେବେ। ନିର୍ମାଣ ଶ୍ରମିକମାନଙ୍କୁ ଏଭଳି କିଛି ସ୍ୱପ୍ନ ଦେଖାଇ ବିଡିଏ ପକ୍ଷରୁ ଗତ ୨୦୨୩ ଅକ୍ଟୋବର ମାସରେ ଯୋଜନା ଘୋଷଣା ହୋଇଥିଲା। ସହରର ପ୍ରମୁଖ ଶ୍ରମିକ ରହଣିସ୍ଥଳ ନୂଆପଲ୍ଲୀ, ଡୁମଡୁମା ଓ କଳ୍ପନା ଛକରେ ଏହି କେନ୍ଦ୍ର ନିର୍ମାଣ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ଏହା ଫଳପ୍ରଦ ହୋଇପାରିଲା ନାହିଁ। କେଉଁଠି ଏଯାବତ୍‌ ନିର୍ମାଣ ହୋଇପାରିନାହିଁ ତ ଉଦ୍‌ଘାଟନ ପରଠାରୁ କେନ୍ଦ୍ରରେ ତାଲା ଝୁଲୁଛି। ଫଳରେ ରାଜଧାନୀରେ ପ୍ରତିଦିନ ଶହ ଶହ ଶ୍ରମିକ ଜୀବନ ବିପନ୍ନ କରି ରାସ୍ତା କଡ଼ରେ ଛିଡ଼ା ହେଉଛନ୍ତି। ଏବେ ପ୍ରବଳ ଖରା ଆରମ୍ଭ ହୋଇଥିବାରୁ ସେମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ଦୁଇଟି ପ୍ରକଳ୍ପ ନିର୍ମାଣ ପରେ ଲୋକଙ୍କ ସେବାରେ ଲାଗି ପାରୁ ନଥିବା ବେଳେ ନୂଆପଲ୍ଲୀ ପ୍ରକଳ୍ପ ଜାଗା ବିବାଦରୁ ବନ୍ଦ କରିଦିଆଯାଇଛି।

ବିଡିଏ ଯୋଜନାର ଦୁଇ ବର୍ଷ ପରେ ଗତ ବର୍ଷ ଶ୍ରମିକଦିବସରେ ଡୁମଡୁମା ଛକରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ଏଥିରେ ସମସ୍ତ ମୌଳିକ ସୁବିଧା  ସହ ଫୁଟ କୋର୍ଟ ମଧ୍ୟ ରହିଥିଲା।  ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ  ଏହାର ଉଦ୍‌ଘାଟନ କରିଥିଲେ। ହେଲେ ବର୍ତ୍ତମାନ ସେଥିରେ ତାଲା ଝୁଲିଛି। ମାସ ମାସ ଧରି ବନ୍ଦ ପଡ଼ିଥିବାରୁ ଏହା ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି। ଭିତରେ ଆବର୍ଜନା ପଡ଼ିରହିଛି। ଫଳସ୍ୱରୁପ ଶହ ଶହ ଶ୍ରମିକ ବାହାରେ ଠିଆ ହୋଇରହୁଛନ୍ତି।
ସେହିପରି ରାଜଧାନୀର ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆ ସାମ୍ନାରେ ପ୍ରତିଦିନ ଶହଶହ ଶ୍ରମିକ କାମ ଅନ୍ବେଷଣରେ ସେଠାରେ ଅପେକ୍ଷା କରି ଛିଡ଼ା ହୁଅନ୍ତି। ସାଲିଆସାହି, ବେହେରାସାହି, ଜୟଦେବବିହାର ସ୍ଥିତ ବିଭିନ୍ନ ବସ୍ତିରୁ ଶ୍ରମିକମାନେ ଏକାଠି ‌ହୋଇ କାମ ପାଇଁ ପ୍ରତୀକ୍ଷା କରନ୍ତି। ସେଠାରେ ମଧ୍ୟ ଶ୍ରମିକ ଆଶ୍ରୟ କେନ୍ଦ୍ର ନିର୍ମାଣ ଫଳକରେ ସୀମିତ ହୋଇ ରହିଯାଇଛି। ଏପର୍ଯ୍ୟନ୍ତ ଇଟା ଖଣ୍ଡିଏ ପଡ଼ିନାହିଁ।

ସେହିପରି ବଡ଼ଗଡ଼ ଛକରେ ଥିବା ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରରେ ଅଧିକାଂଶ ସମୟରେ ଶୌଚାଳୟରେ ତାଲା ଝୁଲୁଛି। ଏଥିପାଇଁ ଶ୍ରମିକମାନେ ହଇରାଣ ହେଉଛନ୍ତି। କେବଳ ସେତିକି ନୁହେଁ, ଡେଲଟା ଛକ ଓ ପଳାଶୁଣୀ ଛକରେ ଠିଆ ହେବା ପାଇଁ ଛାଇ ଟିକିଏ ନାହିଁ। ଏପରିକି ଛକରେ ପାନୀୟ ଜଳ ଓ ଶୌଚାଳୟ ସୁବିଧା ନଥିବାରୁ ଶ୍ରମିକମାନେ ବିଶେଷ କରି ମହିଳା ଶ୍ରମିକମାନେ ହଇରାଣରେ ପଡ଼ୁଛନ୍ତି।
ବିଡିଏ ନିର୍ବାହୀ ଯନ୍ତ୍ରୀ ଇଂ. ରାଜେଶ ସାହୁ କହିଛନ୍ତି, ଶ୍ରମ ବିଭାଗ ବିଡିଏକୁ କେବଳ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ ଦାୟିତ୍ବ ଦେଇଥିଲା। ବିଡିଏ ବଡ଼ଗଡ଼ ଓ ଡୁମୁଡୁମା ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରି ଶ୍ରମ ବିଭାଗକୁ ହସ୍ତାନ୍ତର କରି ସାରିଛି। ବାକି ନୂଆପଲ୍ଲୀଠାରେ ଜାଗା ବିବାଦ କାରଣରୁ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ହୋଇପାରିନି। ସାଧାରଣ ପ୍ରଶାସନ ବିଡିଏକୁ ଯେଉଁ ଜାଗାରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରିବାକୁ ଦେଇଥିଲା, ତାହା ନୂଆପଲ୍ଲୀ ଦୁର୍ଗାପୂଜା କମିଟି ନିଜର ବୋଲି ଦାବି କରିଥିଲା। ଜମି ବିବାଦ କାରଣରୁ ଚିହ୍ନଟ ସ୍ଥାନରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ ହୋଇପାରି ନଥିଲା। ନୂଆ ଜାଗା ବି ସାଧାରଣ ପ୍ରଶାସନ ବିଭାଗ ଦେଇ ନଥିଲା। ଏଣୁ ନୂଆପଲ୍ଲୀ ପ୍ରକଳ୍ପ କାମ ନହୋଇ ପାରିବାରୁ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version