ବନ୍ତ,୧୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଜାମିତୀରା ଛକ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୫୩ ନମ୍ବର ରାଜ୍ୟ ରାଜପଥରେ ନୋ-ଏଣ୍ଟ୍ରି ଥିବାରୁ ଏକ ବାଲି ବୋଝେଇ ହାଇୱା ରାସ୍ତା କଡ଼ରେ ଅଟକି ରହିଥିଲା । ଆନନ୍ଦପୁର ପଟୁ ବନ୍ତ ଆସୁଥିବା ଏକ ମୋଟର ସାଇକେଲ୍ ନିୟନ୍ତ୍ରଣ ହରାଇ ହାଇୱା ପଛରେ ଜୋରଦାର ଧକ୍କା ଦେଇଥିଲା ।
ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ମୋଟର ସାଇକେଲ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା । ମୃତକ ଜଣକ ବନ୍ତ ଥାନା ଚଣ୍ଡୀପୁର ଗାଁର ଗନି ଖାଁଙ୍କ ପୁଅ ଓସିମ୍ ଅକ୍ରମ୍ ଖାଁ (୪୫) ବୋଲି ଚିହ୍ନଟ କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ପାଇ ବନ୍ତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ରାଜପଥ କଡ଼ରେ ଏଭଳି ଗାଡ଼ି ପାର୍କିଂ କରିବା କେତେଦୂର ସୁରକ୍ଷିତ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଦୁର୍ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି ।
ସୌଜନ୍ୟ ଧରିତ୍ରୀ

