ଜଗଦମ୍ବା ପଲିମର୍ସ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ ଓଡ଼ିଶାରେ ପ୍ଲାଷ୍ଟିକ୍ ଜିନିଷ ଉତ୍ପାଦନ କରୁଥିବାବେଳେ ଏହା ପୂର୍ବ ଭାରତର ବଡ଼ କାରଖାନା ମଧ୍ୟରୁ ଗୋଟିଏ। ଏହାର ବ୍ରାଣ୍ଡ ଅଙ୍କୁର ଘରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଜିନିଷ ପାଇଁ ବହୁତ ପରିଚିତ। ଚନ୍ଦ୍ର ପ୍ରକାଶଙ୍କ ସହ ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ସ୍ବତନ୍ତ୍ର ସାକ୍ଷାତ୍କାର…
ପ୍ର- ୧୯୯୯ ମସିହାରେ ଅଙ୍କୁର ଆରମ୍ଭ ହେବା ପରେ ଏହା କିପରି ସମ୍ପ୍ରସାରିତ ହେଲା?
ଉ- ଉତ୍ତମ ଗୁଣବତ୍ତା, ନୂଆ ଡିଜାଇନ ଏବଂ ଗ୍ରାହକଙ୍କ ବିଶ୍ୱାସ ଦ୍ୱାରା ଅଙ୍କୁର ନିଜର ବ୍ୟବସାୟ ସମ୍ପ୍ରସାରଣ କରିପାରିଛି। ଓଡ଼ିଶାରେ ଯେତେବେଳେ ଆମେ ଆମ ଯାତ୍ରା ଆରମ୍ଭ କରିଥିଲୁ, ସେତେବେଳେ ଏଠାରେ ଭଲ ପ୍ଲାଷ୍ଟିକ ଜିନିଷ କମ୍ ମିଳୁଥିଲା। ଆମେ ପ୍ରଥମ ଦିନରୁ ଭଲ ଗୁଣବତ୍ତା ସହ ଜିନିଷ ତିଆରି କଲୁ।
ଆଜି ଆମର ଉତ୍ପାଦ ସଂଖ୍ୟା ୩୦୦ରୁ ଅଧିକ ହୋଇଗଲାଣି ଘରେ ବ୍ୟବହାର ହେଉଥିବା ଜିନିଷ, ଆସବାବପତ୍ର ଅଛି। ଆମେ ଭଲ ଟେକ୍ନୋଲୋଜି ବ୍ୟବହାର କରୁ ଏବଂ ସବୁ ଜିନିଷ ଭଲ ଭାବେ ତିଆରି କରୁ।
ପ୍ର- ପୂର୍ବ ଭାରତର ବଡ଼ କାରଖାନା ଥିବାରୁ ଆପଣଙ୍କୁ କେଉଁ ଲାଭ ହେଉଛି? ବିଭିନ୍ନ ରାଜ୍ୟରେ ଅଙ୍କୁର ଜିନିଷ କିପରି ବିକ୍ରି ହେଉଛି?
ଉ- ବଡ଼ କାରଖାନା ଥିଲେ ଜିନିଷ ଶୀଘ୍ର ଏବଂ ଶସ୍ତାରେ ଉତ୍ପାଦନ କରାଯାଏ। ଏଥିରୁ ଆମେ ଅଧିକ ଜିନିଷ ତିଆରି କରିପାରୁ ଏବଂ ଗ୍ରାହକଙ୍କ ଚାହିଦା ଶୀଘ୍ର ପୂରଣ କରିପାରୁ।
ଆମେ ନୂଆ ମେଶିନ କିଣୁ, ଶକ୍ତି କମ୍ ଖର୍ଚ୍ଚ କରୁ ଏବଂ ଭଲ ଉପାୟରେ କାମ କରୁ। ଆମେ ଆମର ବିକ୍ରେତାମାନଙ୍କୁ ବିଶ୍ୱାସ କରୁ ଏବଂ ସେମାନଙ୍କୁ ପରିବାର ଭାବେ ବିବେଚନା କରୁ। ଭଲ ଗୁଣବତ୍ତା, ଠିକ୍ ସମୟରେ ଜିନିଷ ପଠାଇବା ଏବଂ ଟିଭି ଓ ଖବରକାଗଜରେ ବିଜ୍ଞାପନ କରି ଆମେ ଦଶରୁ ଅଧିକ ରାଜ୍ୟରେ ଆମର ଜିନିଷ ପହଞ୍ଚାଇଛୁ। ସହର ଏବଂ ଗାଁ ଉଭୟଠାରେ ଅଙ୍କୁର ଜିନିଷ ମିଳେ।
ପ୍ର- ପ୍ଲାଷ୍ଟିକ କାରଖାନା ପାଇଁ ବଜାରରେ କେଉଁ ସବୁ ଆହ୍ବାନ ରହିଛି?
ଉ- ପ୍ଲାଷ୍ଟିକ କାରଖାନା ପାଇଁ ଅନେକ ଆହ୍ବାନ ରହିଛି। ବର୍ତ୍ତମାନ ପରିସ୍ଥିତିରେ କଞ୍ଚାମାଲର ଦାମ୍ ବଢ଼ୁଛି ଏବଂ ପରିବେଶ ନଷ୍ଟ ହେବାର ଚିନ୍ତା ବଢ଼ୁଛି। ଏସବୁ ଆହ୍ବାନ ମଧ୍ୟରେ ଆମେ କମ୍ ବିଜୁଳି ଖର୍ଚ୍ଚ କରୁ, ଜିନିଷ ନଷ୍ଟ କମ କରୁ ଏବଂ ପରିବେଶ ସଫା ରଖିବାକୁ ଚେଷ୍ଟା କରୁ।
ପ୍ର-ଅଙ୍କୁରର ଭବିଷ୍ୟତ ପାଇଁ ଆପଣଙ୍କ କ’ଣ ସ୍ବପ୍ନ ରହିଛି?
ଉ- ଆମର ସ୍ବପ୍ନ ହେଉଛି ଅଙ୍କୁରକୁ ସାରା ଭାରତର ଏକ ବଡ଼ ଘରୋଇ ବ୍ରାଣ୍ଡ କରିବା। ଆମେ କାରଖାନା ବଢ଼ାଇବୁ, ଅଧିକ ରାଜ୍ୟରେ ଜିନିଷ ପଠାଇବୁ ଏବଂ ନୂଆ ଟେକ୍ନୋଲୋଜି ବ୍ୟବହାର କରି କାମକୁ ଆହୁରି ସହଜ କରିବୁ। ସବୁବେଳେ ଭଲ ଗୁଣବତ୍ତା ଏବଂ ପରିବେଶ ଠିକ୍ ଆମର ଲକ୍ଷ୍ୟ।
ପ୍ର- ଏହି ବ୍ୟବସାୟ ଆରମ୍ଭ କରିବାକୁ କିପରି ପ୍ରେରିତ ହୋଇଥିଲେ? ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ପ୍ଲାଷ୍ଟିକ ଜିନିଷ ବହୁତ ଉପଯୋଗୀ ଏବଂ ଅପେକ୍ଷାକୃତ ଶସ୍ତା। ଏହାଦ୍ୱାରା ମୁଁ ଭାବିଲି ଯେ ଲୋକଙ୍କୁ ଭଲ ଏବଂ ଶସ୍ତା ଘରୋଇ ଜିନିଷ ଦେଇ ସେମାନଙ୍କ ଜୀବନ ସହଜ କରିପାରିବି। ଏହି ଭାବନାରୁ ମୁଁ ଜଗଦମ୍ବା ପଲିମର୍ସ ଆରମ୍ଭ କରିଥିଲି ଏବଂ ପରେ ଅଙ୍କୁର ବ୍ରାଣ୍ଡ ତିଆରି କରିଥିଲି। ଯୁବୋଦ୍ୟୋଗୀମାନେ ସର୍ବଦା ଭଲ ଗୁଣବତ୍ତା ଏବଂ ସାଧୁତା ରଖିବା ଉଚିତ। ଉଦ୍ୟୋଗିତା କେବଳ ଟଙ୍କା ରୋଜଗାର ନୁହେଁ, ଏହା ସମାଜକୁ ସାହାଯ୍ୟ କରିବା ଏବଂ ଲୋକଙ୍କୁ ଚାକିରି ଦେବା ବିଷୟ।
ସୌଜନ୍ୟ ଧରିତ୍ରୀ

