ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଗତକାଲି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ନିଶିକାନ୍ତଙ୍କ ମନ୍ତବ୍ୟର ତୀବ୍ର ପ୍ରତିବାଦ ଜଣାଇଛି ବିଜେଡି। ନିଜେ ନବୀନ ପଟ୍ଟନାୟକ ଗଣମାଧ୍ୟମରେ ତାଙ୍କୁ କଟାକ୍ଷ କରି ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କହିଛନ୍ତି। ବିଜେଡି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲା ବେଳେ ରାଜ୍ୟସଭାରେ ଦଳୀୟ ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି। ରାଜ୍ୟ ବିଜେପି ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥିଲେ ବି ଦଳର ବିଧାୟକ ବାବୁ ସିଂହ ଘଟଣାକୁ ନିନ୍ଦା କରିଛନ୍ତି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣମାଧ୍ୟମରେ କହିଛନ୍ତି, ବିଜୁ ବାବୁଙ୍କ ଦେଶପ୍ରେମ, ସାହସିକତା ଓ ତ୍ୟାଗ ସମ୍ପର୍କରେ ସମଗ୍ର ବିଶ୍ବ ଅବଗତ। ନିଶିକାନ୍ତ ଦୁବେଙ୍କ ବୟାନ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଦୁର୍ଭାଗ୍ୟଜନକ। ତାଙ୍କର ମାନସିକ ବିକୃତି ଘଟିଛି ଓ ଏହି ବକ୍ତବ୍ୟ ତାହାର ପରିଣାମ। ପଣ୍ଡିତ ଜବାହାରଲାଲ ନେହରୁ ଏତେ ଭରସା କରୁଥିଲେ ଯେ ଚୀନ୍ ଯୁଦ୍ଧ ସମୟରେ ଦିଲ୍ଲୀରେ ନିଜ କାର୍ଯ୍ୟାଳୟ ନିକଟରେ ବିଜୁ ବାବୁଙ୍କ ପାଇଁ ସ୍ବତନ୍ତ୍ର ଅଫିସ ମଧ୍ୟ ଦେଇଥିଲେ। ସେତେବେଳେ ବିଜୁ ବାବୁ ନିର୍ଭୀକ ଭାବେ ଦେଶର ସୁରକ୍ଷା ପାଇଁ ରଣନୈତିକ ସହାୟତା ପ୍ରଦାନ କରୁଥିଲେ। ଏହା ସେ ନିଜେ ଦେଖିଛନ୍ତି ବୋଲି ନବୀନ କହିଛନ୍ତି।
ଯୁବ-ଛାତ୍ର ଶାଖାର ବିକ୍ଷୋଭ
ନିନ୍ଦା କଲେ ବିଜେପି ବିଧାୟକ
ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ନିଶିକାନ୍ତଙ୍କ ମନ୍ତବ୍ୟର ପ୍ରତିବାଦରେ ମାଷ୍ଟର୍ କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ନେତୃତ୍ବରେ ଯୁବ-ଛାତ୍ର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଶିକାନ୍ତଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ବିଜୁଙ୍କ ପ୍ରତି ଏଭଳି ଦାୟିତ୍ୱହୀନ ଟିପ୍ପଣୀକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ ବୋଲି ନେତାମାନେ କହିଥିଲେ। ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ମନ୍ତବ୍ୟର କଡ଼ା ନିନ୍ଦା କରାଯାଇଛି। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକ କହିଲେ, ବିଜୁ ବାବୁ ଜଣେ ବିରଳ ରାଜନେତା ଥିଲେ। ତାଙ୍କର ପ୍ରତିରକ୍ଷା, ଏଭିଏସନ ଓ ଆନ୍ତର୍ଜାତିକ ସମ୍ପର୍କ ଉପରେ ଗଭୀର ଜ୍ଞାନ ଥିଲା, ଯେଉଁଥିପାଇଁ ତାଙ୍କର ଖ୍ୟାତି ରହିଥିଲା। ବିଜୁ ବାବୁଙ୍କ ଦେଶ ତଥା ବିଶ୍ୱ ପ୍ରତି ଯେଉଁ ଅବଦାନ ରହିଛି, ସେହି ବିଷୟରେ ଶ୍ରୀ ଦୁବେଙ୍କ ସାମାନ୍ୟତମ ଧାରଣା ନାହିଁ। ସେଥି ପାଇଁ ସେ ବିଜୁ ବାବୁଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କୁ ସିଆଇଏ ଏଜେଣ୍ଟ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟ ଶାସନ ଭାରରେ ଥିବା ବିଜେପି ନେତାଙ୍କ ମୁହଁରେ ତୁଣ୍ଡି ବନ୍ଧା ହୋଇଛି। ବିଜେପି ଓଡ଼ିଆ ଅସ୍ମିତା କହି ରାଜ୍ୟରେ କ୍ଷମତାକୁ ଆସିଛି। ଏହା ହେଉଛି ତାଙ୍କର ଓଡ଼ିଆ ଅସ୍ମିତା।
ସୌଜନ୍ୟ ସମ୍ବାଦ
