ବିଶାଖାପଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ ଭାରତୀୟ ନୌସେନା କର୍ମଚାରୀ ତାଙ୍କ ୨୮ ବର୍ଷୀୟା ପ୍ରେମିକାଙ୍କୁ ହତ୍ୟା କରିଛନ୍ତି। ଏହା ପରେ ସେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଶରୀରର କିଛି ଅଂଶକୁ ଏକ ଫ୍ରିଜରେଟରରେ ଲୁଚାଇ ରଖିଥିଲେ। ତେବେ ପ୍ରମାଣ ନଷ୍ଟ କରିବା ପୂର୍ବରୁ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜଣକ ଅନଲାଇନରେ ଏକ ଛୁରୀ ଅର୍ଡର କରି ପ୍ରେମିକାଙ୍କୁ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ଶରୀରର କିଛି ଅଂଶକୁ ଫ୍ରିଜରେ ରଖିଥିଲେ। ରବିବାର ଦିନ ଆଦାଭିଭରମ ନିକଟରେ ଏକ ଖାଲି ସ୍ଥାନରେ କଟା ମୁଣ୍ଡ ଏବଂ ହାତକୁ ପୋଡ଼ି ଦେଇଥିଲେ।
ପାର୍କ ଏବଂ ଥିଏଟରରେ ପରସ୍ପରକୁ ଭେଟୁଥିଲେ
ପୁଲିସ କହିଛି ଯେ, ଅଭିଯୁକ୍ତଙ୍କୁ ଆଇଏନ୍ଏସ୍ ଡେଗାରେ ନିଯୁକ୍ତ ସି.ଏଚ୍. ରବିନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି । ମୃତକଙ୍କ ନାମ ମୋନିକା। ତାଙ୍କ ସହିତ ରବିନ୍ଦ୍ର ୨୦୨୧ ମସିହାରୁ ଯୋଗାଯୋଗରେ ଥିଲେ। ଏକ ଡେଟିଂ ଆପ୍ ମାଧ୍ୟମରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପୁଲିସ କହିଛି, ସମୟ ସହିତ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା ଏବଂ ସେମାନେ ପ୍ରାୟତଃ ବିଶାଖାପଟନମ୍ର ବିଭିନ୍ନ ସ୍ଥାନରେ, ଯେପରିକି ପାର୍କ ଏବଂ ଥିଏଟରରେ ପରସ୍ପରକୁ ଭେଟୁଥିଲେ।
ଅଧିକାରୀ କହିଛନ୍ତି, ଅଭିଯୁକ୍ତଙ୍କ ଅନୁଯାୟୀ, ମହିଳା ଜଣକ ତାଙ୍କଠାରୁ ୩.୫ ଲକ୍ଷ ଟଙ୍କା ବିଭିନ୍ନ ଆଳ ଦେଖାଇ ହଡ଼ପ କରି ତାଙ୍କ ସ୍ତ୍ରୀଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ କହିବାକୁ ଧମକ ଦେଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ସେଥିପାଇଁ ନୌସେନା ଅଧିକାରୀ ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।
ସୌଜନ୍ୟ ସମ୍ବାଦ
