ପଲଟି ମାରିଲେ ନବୀନ: ଦିନକ ଭିତରେ ବଦଳିଗଲା ମତ, ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର):କେନ୍ଦ୍ର ସରକାର ଦେଶରେ ଲାଗୁ କରାଇବାକୁ ଚାହୁଁଥିବା ଜାତୀୟ ମହିଳା ସଂରକ୍ଷଣ ବିଲ୍‌ ଏବଂ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ୨୦୨୬କୁ ନେଇ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିନକ ଭିତରେ ମତ ବଦଳାଇଛନ୍ତି। ନବୀନ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍‌କୁ ତାଙ୍କ ଦଳ ସମର୍ଥନ କରୁଛି ବୋଲି କହିଥିଲେ। ଏହାସହ କେନ୍ଦ୍ର ସରକାର ଦେଶରେ ଲାଗୁ କରାଇବାକୁ ଚାହୁଁଥିବା ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ୨୦୨୬ ଦ୍ୱାରା ଯଦି ଓଡ଼ିଶାର କୌଣସି ରାଜନୈତିକ ଅଧିକାର କ୍ଷୁଣ୍ଣ ନ ହୁଏ ତେବେ ଏହାକୁ ସ୍ବାଗତ କରାଯିବ ବୋଲି କହିିଥିଲେ। ଏଥିଲାଗି ସ୍ବତନ୍ତ୍ର ଅଧିବେଶନ ଡକାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଏକ ଚତୁର ଇଂରାଜୀ ଚିଠି ମାଧ୍ୟମରେ ‘ସାପ ମରିବନି କି ବାଡ଼ି ଭାଙ୍ଗିବନି’ ନ୍ୟାୟରେ ସମର୍ଥନ ଦେଇ ନବୀନ ଖସିଯିବେ ବୋଲି ଯାହା ଭାବିଥିଲେ, ସେଥିରେ ଧରା ପଡ଼ିଗଲା ଭଳି ମନେ ହେଉଛି। ଯେତେବେଳେ ସେ ବୁଝିଲେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ହେଲେ ତାଙ୍କ ଆସନ ମଧ୍ୟ ଆଗକୁ ସୁରକ୍ଷିତ ରହିବନି ଏବଂ ବିଜେଡିର ଯେତିକି ଅସ୍ତିତ୍ୱ ଅଛି ତାହା ମଧ୍ୟ ରହିବା ସମ୍ଭାବନା କ୍ଷୀଣ ହେବ, ସେଥିଲାଗି ହୁଏତ ନବୀନ ତାଙ୍କ ମୋଡ଼ ବଦଳାଇଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତର ରାଜ୍ୟଗୁଡ଼ିକର ସାଧାରଣ ଲୋକମାନେ ଏହାକୁ ବିରୋଧ କରୁଥିବା ଲକ୍ଷ୍ୟ କରିବା ପରେ ନବୀନ ଓଡ଼ିଶାର ସବୁ ଏମ୍‌ପିଙ୍କୁ ଗୁରୁବାର ଚିଠି ଲେଖିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ରାଜ୍ୟର ସ୍ବାର୍ଥ ଉପରେ ଆଞ୍ଚ ଆଣିପାରେ ବୋଲି ସେ ସାଂସଦମାନଙ୍କୁ କହିଛନ୍ତି।
ନବୀନ ତାଙ୍କ ଚିଠିରେ ଲେଖିଛନ୍ତି, କେବଳ ବିଜୁ ଜନତା ଦଳ(ବିଜେଡି)ର ସଭାପତି ବୋଲି ନୁହେଁ ଜଣେ ଓଡ଼ିଆ ଭାବେ କହିବାକୁ ଚାହେଁ, ୧୩୧ ତମ ସମ୍ବିଧାନ ସଂଶୋଧନ ହେଲେ ରାଜ୍ୟର ସ୍ବାର୍ଥ ଉପରେ ଆଞ୍ଚ ଆସିବ। ମହିଳାଙ୍କ ବିକାଶ ଓ ଉନ୍ନତିକୁ ବିଜେଡି ସବୁବେଳେ ସମର୍ଥନ କରେ। ଉଭୟ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ଗୋଟିଏ ଭଲ ପଦକ୍ଷେପ। ତାଙ୍କ ବାପା ବିଜୁ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣ ବିଲ୍‌ ପ୍ରଥମେ ଲାଗୁ କରିଥିଲେ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି, ପରବର୍ତ୍ତୀ ସମୟରେ ବିଜେଡି ମଧ୍ୟ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନକରି ରାଜ୍ୟରେ ଆଗକୁ ନେଇଥିଲା। ୧୦୬ତମ ସମ୍ବିଧାନ ସଂଶୋଧନ ବିଲ୍‌ ୨୦୨୩, ଯାହା ମହିଳା ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା (ଦ ନାରୀ ଶକ୍ତି ବନ୍ଦନା ଅଭିଯାନ)କୁ ବିଜେଡି ସମର୍ଥନ ଦେଇଥିଲା। ମାତ୍ର ବର୍ତ୍ତମାନ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍‌, ଯାହା କେନ୍ଦ୍ର ସରକାର ପାରିତ କରିବାକୁ ଚାହୁଁଛନ୍ତି, ତାହା ୧୦୬ତମ ସମ୍ବିଧାନ ସଂଶୋଧନ ବିଲ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଏହି ବିଲ୍‌କୁ ଗମ୍ଭୀରତାର ସହକାରେ ନେଇ ସମସ୍ତେ ଓଡ଼ିଶାର ସ୍ବାର୍ଥ ପାଇଁ ନିଜ ସ୍ବର ଉଠାଇବା ଦରକାର। ଏହି ବିଲ୍‌ ଯଦି ପାରିତ ହୁଏ, ତେବେ ଏହାଦ୍ୱାରା ଓଡ଼ିଶାର ଅଧିକାର ସୀମିତ ହୋଇଯିବ। ଲୋକ ସଭାରେ ମଧ୍ୟ ଓଡ଼ିଶାର ସ୍ବର କ୍ଷୀଣ ହେବାର ସମ୍ଭାବନା ସୃଷ୍ଟି ହେବ। ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍‌ ୨୦୨୬, ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଲୋକ ସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ। ଲୋକ ସଭା ସଦସ୍ୟ ସଂଖ୍ୟା ୫୪୩ରୁ ବୃଦ୍ଧି ପାଇ ୮୫୦ ହେବ। ଯଦି ଲୋକ ସଭାରେ ମୋଟ୍‌ ଆସନ ୮୫୦ ହୋଇଯିବ ଶତ ପ୍ରତିଶତ, ଓଡ଼ିଶାର ୨୧ ଲୋକ ସଭା ଆସନ ୨୯କୁ ବୃଦ୍ଧି ପାଇବା ସତ୍ତ୍ୱେ ମୋଟ୍‌ ପ୍ରତିଶତ ବର୍ତ୍ତମାନର ୩.୯%ରୁ ହ୍ରାସ ପାଇ ୩.୪ % ହୋଇଯିବ। ଏହାର ଅନେକ ଆର୍ଥିକ ଏବଂ ରାଜନୈତିକ ଗୁରୁତ୍ୱ ରହିଛି, ଯାହା ସାଧାରଣରେ ବୁଝାପଡୁ ନାହିଁ। ମହିଳା ସଂରକ୍ଷଣ ଏବଂ ସୀମା ପୁନଃ ନିର୍ଦ୍ଧାରଣ ଭିତରେ ଯେଉଁ ସଂଯୋଗ ରଖିବାକୁ ଚେଷ୍ଟା କରାଯାଇଛି, ତାହା କେବଳ ୨୦୨୬ ଜନଗଣନା ପରେ ସମ୍ଭବ। ସେହିପରି ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। କେନ୍ଦ୍ର ସରକାର ଚାହୁଁଛନ୍ତି, ଯେଉଁ ରାଜ୍ୟରେ ଜନସଂଖ୍ୟା ଅଧିକ ସେଠାରେ ଲୋକ ସଭା ଆସନ ବଢ଼ାଇବେ, ଯାହା ଓଡ଼ିଶାକୁ କ୍ଷତି ପହଞ୍ଚାଇବ। ତେଣୁ ପାର୍ଲାମେଣ୍ଟର ଭିତରେ ଏବଂ ବାହାରେ ଏହି ବିଲ୍‌କୁ ନେଇ ସ୍ବର ଉଠାଇବା ଦରକାର, ଯେମିତି ଓଡ଼ିଶାର ସ୍ବାର୍ଥରେ କିଛି କ୍ଷତି ପହଞ୍ଚିବ ନାହିଁ ବୋଲି ନବୀନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସାମ୍ପ୍ରତିକ ଜନଗଣନା ଆରମ୍ଭ ହୋଇଗଲାଣି। ତାହାର ପ୍ରକୃତ ଚିତ୍ର ପ୍ରକାଶ ପାଇବା ପୂର୍ବରୁ ୨୦୧୧ ଜନଗଣନା ଉପରେ ଆଧାରକରି ଅଣାଯାଇଥିବା ବିଲ୍‌ର କୌଣସି ଯଥାର୍ଥତା ବୁଝାପଡୁ ନାହିଁ। ପର୍ଯ୍ୟବେକ୍ଷକମାନଙ୍କ କହିବାନୁଯାୟୀ, ଏହି ବିଲ୍‌ ଆଗତ ହେବାର ଉଦ୍ଦେଶ୍ୟ ମହିଳାଙ୍କୁ ପ୍ରାଧାନ୍ୟ ଦେବା ନୁହେଁ। ଅନ୍ତର୍ଜାତୀୟ ସମ୍ପର୍କରେ ଘୋର ବିଫଳତା ଏବଂ ନିକଟ ଭବିଷ୍ୟତରେ ମାଡ଼ି ଆସୁଥିବା ତୈଳ ସଙ୍କଟଠାରୁ ଦୃଷ୍ଟି ହଟାଇବା ହେଉଛି ମୁଖ୍ୟ ଲକ୍ଷ୍ୟ। ଏହାବ୍ୟତୀତ ୨ଟି ଅଣଭାଜପା ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମହିଳା ଭୋଟରଙ୍କ ଉପରେ ପ୍ରଭାବ ପକାଇବା ଅନ୍ୟ ଏକ ଉଦ୍ଦେଶ୍ୟ ହୋଇଥାଇପାରେ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ନବୀନଙ୍କ ପଟ୍ଟ ପରିବର୍ତ୍ତନରୁ ବୁଝାପଡୁଛି, ପରିସ୍ଥିତି ସମ୍ପର୍କରେ ବିଜେଡି ନେତୃତ୍ୱ ସତର୍କ ହୋଇଗଲେଣି। ଏହି ସମ୍ବିଧାନ ସଂଶୋଧନ ବିଲ୍‌ଗୁଡିକ ଉପରେ ଦେଶବ୍ୟାପୀ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ଏଭଳି ଏକ ଗୋଳିଆ ପରିସ୍ଥିତିରେ ନିଜେ ଗୁରୁତ୍ୱ ହରାଇବେ ବୋଲି ଭାବି ନବୀନ ଏଭଳି ପଲଟି ମାରିଛନ୍ତି ବୋଲି କୁହାଯାଇପାରେ।

 

 

 

ସୌଜନ୍ୟ ଧରିତ୍ରୀ