ନୂଆଦିଲ୍ଳୀ ୨୪।୦୧; ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ । ଶୁକ୍ରବାର ରାତିରେ ଜଣେ ଶାନ୍ତି କମିଟି ସଦସ୍ୟଙ୍କ ବାସଭବନରେ ବିବାହ ଉତ୍ସବ ଚାଲିଥିବା ସମୟରେ ଏକ ଅଘଟଣ ଘଟିଥିଲା। ଏହି ଆକ୍ରମଣରେ ଅତି କମରେ ୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଡେରା ଇସମାଇଲ ଖାନ ଜିଲ୍ଲାର ଜିଲ୍ଲା ପୋଲିସ ଅଧିକାରୀ ସଜ୍ଜାଦ ଅହମଦ ସାହିବଜାଦା ନିଶ୍ଚିତ କରିଛନ୍ତି ଯେ, କୁରେଶୀ ମୋର୍ ନିକଟରେ ଶାନ୍ତି କମିଟି ମୁଖ୍ୟ ନୁର ଆଲମ ମେହସୁଦଙ୍କ ବାସଭବନରେ ବିବାହ ଉତ୍ସବ ସମୟରେ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା। ଆକ୍ରମଣ ସମୟରେ ଅତିଥିମାନେ ନାଚ ଗୀତ କରୁଥିଲେ । ବିସ୍ଫୋରଣ ଯୋଗୁଁ କୋଠରୀର ଛାତ ସମ୍ପୁର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପଟେ ଘଟଣାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଦାୟୀ ଲୋକଙ୍କୁ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଖାଇବର ପଖତୁନଖ୍ୱା ରେସକ୍ୟୁ ୧୧୨ର ମୁଖପାତ୍ର କହିଛନ୍ତି ଯେ ୫ ଜଣଙ୍କ ମୃତଦେହ ଏବଂ ୧୦ ଜଣ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଛି। ଘଟଣା ପରେ ତୁରନ୍ତ ସାତୋଟି ଆମ୍ବୁଲାନ୍ସ,ଗୋଟିଏ ଅଗ୍ନିଶମ ଗାଡ଼ି ଏବଂ ଗୋଟିଏ ବିପର୍ଯ୍ୟୟ ସହାୟତା ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଅଞ୍ଚଳକୁ ସିଲ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ବିସ୍ଫୋରଣକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦିଆଯିବା ନେଇ ସେ କହିଛନ୍ତି ।
ସୌଜନ୍ୟ Prameya News7
