ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବିମାନ ଇନ୍ଧନ ମହଙ୍ଗା ହେବାରେ ଲାଗିଛି। ତାହାର ପ୍ରଭାବରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଏୟାରଲାଇନ୍ସ ଟିକଟ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି। ଆଭିଏସନ ଟର୍ବାଇନ୍ ଫୁଏଲ୍ (ଏଟିଏଫ୍) ମୂଲ୍ୟ ହଠାତ୍ ବଢ଼ିଯିବା କାରଣରୁ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିଯାଇଛି। ତାହାକୁ ଦୃଷ୍ଟିରେ ରଖି ସେମାନେ ଟିକଟ୍ ମୂଲ୍ୟ ବଢ଼ାଉଛନ୍ତି। ଅଷ୍ଟ୍ରେଲିଆର କ୍ବାଣ୍ଟାସ୍ ଏୟାରୱେଜ୍, ସ୍କାଣ୍ଡିନାଭିଆର ଏସ୍ଏଏସ୍ ଓ ନ୍ୟୁଜିଲ୍ୟାଣ୍ଡର ଏୟାର ନ୍ୟୁଜିଲ୍ୟାଣ୍ଡ୍ ଟିକଟ ଦର ବଢ଼ାଇଛନ୍ତି।
ଯୁଦ୍ଧ ପୂର୍ବରୁ ବିମାନ ଇନ୍ଧନର ବ୍ୟାରେଲ୍ ପିଛା ଦର ୮୫-୯୦ ଡଲାର ଥିଲା। ଏବେ ତାହା ୧୫୦-୨୦୦ ଡଲାରରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀ ଦେଇ ତେଲ ଜାହାଜ ସ୍ବାଭାବିକ ଭାବେ ଚଳାଚଳ କରିପାରୁନଥିବାରୁ ତେଲ ଦର ବଢ଼ୁଛି। ଯଦି ଏହି ସ୍ଥିତି ଲମ୍ବା ସମୟ ଲାଗିରହିବ ତେବେ ବିମାନ ଟିକଟ ଆହୁରି ମହଙ୍ଗା ହେବ ଓ ବିମାନ ଯାତ୍ରା ଚାହିଦା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ଆକାଶମାର୍ଗ ବନ୍ଦ ଓ ସୀମିତ କ୍ଷମତା କାରଣରୁ ଏସିଆ ଓ ୟୁରୋପ ମଧ୍ୟରେ ବିମାନ ଭଡ଼ା ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ହଂକଂ ଏୟାରଲାଇନ୍ସ ମଧ୍ୟ ତେଲର ବର୍ଦ୍ଧିତ ଦରକୁ ନେଇ ଚିନ୍ତା ପ୍ରକଟ କରିଛି। ଏହା ହଂକଂ, ମାଳଦ୍ବୀପ, ବାଂଲାଦେଶ ଓ ନେପାଳ ମଧ୍ୟରେ ଯାତ୍ରାକୁ ପ୍ରଭାବିତ କରିବ ବୋଲି କମ୍ପାନି ଆଶଙ୍କା କରୁଛି।
ସୌଜନ୍ୟ ସମ୍ବାଦ
