ରାଜ୍ୟ

ପିଜି ପରୀକ୍ଷାରେ କଥିତ ଅନିୟମିତତା, ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ

ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଦ୍ୱାରା ପରିଚାଳିତ ପୋଷ୍ଟ ଗ୍ରାଜୁଏଟ୍ (PG) ପରୀକ୍ଷାରେ ଅନିୟମିତତାର ଗଭୀର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। କମିଟିରେ ଅତିରିକ୍ତ ସଚିବ ବିଜୟ କୁମାର ଦାଶ (IAS), ସ୍ପେଶାଲ ସେକ୍ରେଟାରୀ (MS) ଡା. ବିଜୟ କୁମାର ମିଶ୍ର ଏବଂ ଯୁଗ୍ମ DMET ଡା. ଅନି କୁମାର ସାହୁଙ୍କୁ ସାମିଲ କରାଯାଇଛି। ଏହି କମିଟି ଘଟଣାର ସମସ୍ତ ତଥ୍ୟର ଯାଞ୍ଚ କରିବା ସହ ଯଦି କୌଣସି ତ୍ରୁଟି କିମ୍ବା ଅବହେଳା ଥାଏ, ତାହା ଚିହ୍ନଟ କରି ଦୁଇ ସପ୍ତାହ ମଧ୍ୟରେ ସରକାରଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବ।

ସୂଚନାଥାଉକି, ଗତ ୨୭ ତାରିଖରେ ଏମକେସିଜିରୁ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଥିଲା। ଲକ୍ଷାଧିକ ଟଙ୍କା ବଦଳରେ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପରେ ପ୍ରଶ୍ନ ପତ୍ରର କପି ପଠାଯାଉଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ପଠାଯାଇଥିବା କୁହାଯାଉଛି। ତେବେ ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଘଟଣାରେ ରାଜନୀତି ମଧ୍ୟ ଜୋର ଧରିଲାଣି।

ସେପଟେ ମେଡିକାଲ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଭିସି। ପ୍ରଶ୍ନପତ୍ର ଲିକ ନୁହେଁ ମାଲ ପ୍ରାକଟିସ ହୋଇଛି ବୋଲି କହିଛନ୍ତି ଭିସି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ପେପର ଲିକ ବୋଲି ଧରାଯାଇଥାନ୍ତା । ପରୀକ୍ଷା ପରେ ମୋବାଇଲ ଜରିଆରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଥିପାଇଁ ବିଶ୍ୱ ବିଦ୍ୟାଳୟ ଡିନଙ୍କୁ ରିପୋର୍ଟ ମଗାଯାଇଛି। ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଦେବା ପରେ ପରୀକ୍ଷା ପୁଣି ଥରେ ହେବ ନା ନାହିଁ ତାହା ପାରୀକ୍ଷାକମିଟି ନିଷ୍ପତ୍ତି ନେବ ।

ଏପଟେ ଏମେକସିଜି କର୍ତ୍ତୃପକ୍ଷ ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ମେଡିକାଲ ରେଜିଷ୍ଟ୍ର ଶ୍ୱେତ ଦାସ, ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାସଙ୍କ ସମେତ ପ୍ରଫେସର ଡାକ୍ତର ଶିବ ପ୍ରସାଦ ପଟ୍ଟନାୟକ, ପ୍ରଫେସର ଡାକ୍ତର ଚନ୍ଦ୍ର ଶେଖର ତ୍ରିପାଠୀ ଏବଂ ପ୍ରଫେସର ଡାକ୍ତର ସଦେବବ୍ରତ ନାଥ ଶର୍ମା ପ୍ରମୁଖ ରହିଛନ୍ତି। ଏହି କମିଟି ତିନି ଦିନ ଭିତରେ ତଦନ୍ତ ରିପୋର୍ଟ ପ୍ରଦାନ କରିବ।

ଗତକାଲି ଘଟଣାରେ ପ୍ରତିକ୍ରିୟା ରଖି ଏମକେସିଜି ଡିନ୍ କହିଥିଲେ, ଘଟଣାର ଆରମ୍ଭ ହୋଇଥିବା ବେଳେ ଆଗାମୀ ପରୀକ୍ଷାରେ ଯେଭଳି କୌଣସି ବିଭ୍ରାଟ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ। ପରୀକ୍ଷା ବେଳେ ପରୀକ୍ଷା ହଲ ଭିତରକୁ ମୋବାଇଲ ବାରଣ କରାଯାଇଥିବାବେଳେ ହାତ ଘଣ୍ଟାକୁ କୋହଳ କରାଯାଇଛି। ସ୍ମାର୍ଟଓ୍ବାଚ୍ ତନଖି କରିବା ସମ୍ଭବପର ନୁହଁ ବୋଲି ଡିନ କହିଛନ୍ତି। ପରୀକ୍ଷା ହଲରୁ କେହି ପ୍ରଶ୍ନପତ୍ର ପଠାଇଥାଇପାରନ୍ତି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button