Site icon Swayam News

ପ୍ରଦୂଷଣ ରୋକିବାକୁ ବଡ଼ ନିଷ୍ପତ୍ତି, ଦିଲ୍ଲୀରେ ୧୮ ଡିସେମ୍ବରରୁ ଏମାନଙ୍କୁ ମିଳିବନି ତେଲ

ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଦିଲ୍ଲୀ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଗୁରୁବାର ଅର୍ଥାତ ଡିସେମ୍ବର ୧୮ରୁ, ଦିଲ୍ଲୀ ବାହାରୁ ଆସୁଥିବା କେବଳ ବିଏସ-୬ ଗାଡ଼ିକୁ ହିଁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହା ସହ ଗୁରୁବାର ଠାରୁ ସେହି ଗାଡ଼ି ମାଲିକଙ୍କୁ ପେଟ୍ରୋଳ ମିଳିବନି, ଯେଉଁମାନଙ୍କ ପାଖରେ ବୈଧ ପଲ୍ୟୁସନ ସାର୍ଟିଫିକେଟ ବା ପିୟୁସି ନଥିବ।ଏନେଇ ସୂଚନା ଦେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି ଗାଡ଼ି ମାଲିକଙ୍କୁ ପିୟୁସି ପ୍ରସ୍ତୁତ କରିବାକୁ ଗୋଟିଏ ଦିନର ସମୟ ଦିଆଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀ ସରକାର ସ୍ବଚ୍ଛ ସାର୍ବଜନୀନ ପରିବହନକୁ ପ୍ରୋତ୍ସାହନ ଦେଉଛନ୍ତି। ଦିଲ୍ଲୀରେ ୭,୫୦୦ ଇଲେକ୍ଟ୍ରିକ ବସ ଚଳାଇବାକୁ ଯୋଜନା ରହିଛି। ଏହାଦ୍ବାରା ଗାଡ଼ିରୁ ହେଉଥିବା ପ୍ରଦୂଷଣ ଅନେକ କମିବ। ସରକାର ଏକ ବୈଜ୍ଞାନିକ କମିଟି ଗଠନ କରିଛନ୍ତି। ଏହି କମିଟି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ଉପାୟ ଦିଗରେ ବୈଠକ କରିଛି।

ଦିଲ୍ଲୀ ସରକାର ସର୍ବାଧିକ ପ୍ରଦୂଷିତ ଥିବା ୧୩ ସ୍ଥାନ ଚିହ୍ନଟ କରିଛନ୍ତି। ଏହ ସ୍ଥାନରେ କାମ ଜାରି ରହିଛି। ଏହି ସ୍ଥାନରେ AQI ସ୍ତର ଗତ ଦଶନ୍ଧି ତୁଳନାରେ ଏବର୍ଷ କମ୍ ରହିଛି। ଏହା ଏକ ମହତ୍ବପୂର୍ଣ୍ଣ ଉପଲବ୍ଧି। ପ୍ରଦୂଷଣ କରୁଥିବା ଗାଡ଼ି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଚାଲାଣ କଟାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ।

 

ସୌଜନ୍ୟ ସମ୍ବାଦ

Exit mobile version