ଫୋନ୍‌ ପେ’ରେ ଜରିମାନା ଅସୁଲି: ଥାନାରେ ୬ ଘଣ୍ଟା ଜିଲ୍ଲା ଖଣି ଅଧିକାରୀ ଅଟକ

ବଲାଙ୍ଗୀର/ପାଟଣାଗଡ଼: ଖଣି ଅଧିକାରୀ ଗାଡ଼ି ଅଟକାଉଥିଲେ। କିଛି ଟ୍ରାକ୍ଟରକୁ ଛାଡ଼ି ଅନ୍ୟ ଗାଡ଼ିରୁ ଜରିମାନା ଆଦାୟ କରୁଥିଲେ। ସେ ପୁଣି ଏମିତି ସେମିତି ନୁହେଁ, ଫୋନ୍‌ ପେ’ରେ। ଦସ୍ତଖତ ସମ୍ବଳିତ ରସିଦ୍‌ ବି ଦେଉ ନଥିଲେ। ଜରିମାନା ସରକାରଙ୍କ ରାଜକୋଷକୁ ଗଲା ନା ବାବୁଙ୍କ ପକେଟ୍‌କୁ; ଏମିତି ସନ୍ଦେହ ହେବା ସ୍ବାଭାବିକ। କଥା ଯାଇ ଉପମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ିଲା। ଆଉ ଖଣି ବାବୁଙ୍କୁ ନେଇ ପୁଲିସ ଥାନାରେ ବସାଇଲା। ଏଭଳି ଏକ ରୋଚକ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜିଲ୍ଲା ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହାନ୍ତଙ୍କୁ ପାଟଣାଗଡ଼ ପୁଲିସ ୬ ଘଣ୍ଟା ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ରାତି ପାଖାପାଖି ୭ଟା ୪୫ରେ ଶ୍ରୀ ମହନ୍ତ ଥାନାରୁ ଛାଡ଼ ପାଇଛନ୍ତି। ଖବର ଅନୁସାରେ, ଗତ ୩୧ ତାରିଖରେ ବେଲପଡ଼ା ବ୍ଲକ୍‌ରେ କିଛି ବାଲି ବୋଝେଇ ଟ୍ରାକ୍ଟରକୁ ଶ୍ରୀ ମହନ୍ତ ଅଟକ ରଖିଥିଲେ। କିଛି ଟ୍ରାକ୍ଟରକୁ ଛାଡ଼ି ଅନ୍ୟଠାରୁ ଜରିମାନା ଅସୁଲ କରିଥିଲେ। ଫାଇନ୍‌ ଟଙ୍କା ଜଣେ ବ୍ୟକ୍ତି (ପାଣିଗ୍ରାହୀ ବାବୁ)ଙ୍କୁ ଫୋନ୍‌ ପେ’ କରିବାକୁ କହିଥିଲେ। ଟଙ୍କା ଆକାଉଣ୍ଟରେ ପଡ଼ିଥିଲା। ଖଣି ଅଧିକାରୀଙ୍କ ଏଭଳି ସ‌ନ୍ଦେହଜନକ ଜରିମାନା ଅସୁଲିକୁ ନେଇ ବେଲପଡ଼ା ଅଞ୍ଚଳର କିଛି ଲୋକ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଦ୍ବାରସ୍ଥ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଖଣି ଅଧିକାରୀଙ୍କୁ ପାଟଣାଗଡ଼ ଡାକି ତାଗିଦ କରିବା ସହ ତାଙ୍କୁ ଅଟକ ରଖି ପଚରାଉଚୁରା କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଖଣି ଅଧିକାରୀ ଶ୍ରୀ ମହନ୍ତଙ୍କୁ ଥାନାକୁ ଆଣି ଅଟକ ରଖିଥିଲା।

ଏସ୍‌ଡିପିଓ ସଦାନନ୍ଦ ପୂଜାରୀଙ୍କ ପ୍ରତିକ୍ରିୟା ଅନୁସାରେ, ଖଣି ଅଧିକାରୀଜଣକ ଫୋନ୍‌ ପେ’ରେ ଫାଇନ୍‌ ଅସୁଲ କରିଥିଲେ। ସେହି ଟଙ୍କା ୩୧ ତାରିଖରେ ସରକାରୀ ତହବିଲ୍‌ରେ ଜମା ହୋଇଥିଲା। କିନ୍ତୁ, ଫାଇନ୍‌ ଅସୁଲି ବେଳେ ସେ କୌଣସି ରସିଦ୍‌ ଦେଇନଥିଲେ। ଏସବୁ ଘଟଣା ଜଣାପଡ଼ିବା ପରେ ତାଙ୍କୁ ନୋଟିସ୍‌-୪୧ରେ ଛାଡ଼ି ଦିଆଯାଇଥିବା ଏସ୍‌ଡିପିଓ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ