Life mantra: ଜୀବନ-ମନ୍ତ୍ର: ଏକାଦଶୀର ନାମ ମୋହିନୀ

ବୈଶାଖ ଶୁକ୍ଳ ଏକାଦଶୀର ନାମ ‘ମୋହିନୀ ଏକାଦଶୀ’। ‘ପଦ୍ମପୁରାଣ’ ଅନୁସାରେ- ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହାର ମାହାତ୍ମ୍ୟ କହିଛନ୍ତି। ଶ୍ରୀକୃଷ୍ଣଙ୍କ ଅନୁସାରେ- ତ୍ରେତୟା ଯୁଗରେ ଶ୍ରୀରାମଙ୍କୁ କୁଳଗୁରୁ ବଶିଷ୍ଠ ଏହା କହିଥିଲେ। ଶ୍ରୀରାମ ବଶିଷ୍ଠଙ୍କୁ ପଚାରିଥିଲେ- ହେ ଭଗବନ୍‌! ମୁଁ ଏପରି ଏକ ବ୍ରତକଥା ଶୁଣିବାକୁ ଚାହେଁ- ଯାହା ସର୍ବୋତ୍ତମ ଏବଂ ସମସ୍ତ ପାପ ଓ ଦୁଃଖ ଦୂରକାରୀ। ହେ ମହାମୁନି! ମୁଁ ସୀତାଙ୍କ ବିରହ ଦୁଃଖ ଭୋଗ କରିଛି। ଏଣୁ ଆପଣଙ୍କୁ ଏହା ପଚାରୁଛି। ଏହାର ଉତ୍ତରରେ ମହର୍ଷି ବଶିଷ୍ଠ କହିଲେ- ହେ ରାମ! ତୁମ୍ଭେ ବହୁତ ଭଲ  ପ୍ରଶ୍ନ କରିଛ। ଏମିତିରେ ତ ତୁମ୍ଭର ନାମ ଉଚ୍ଚାରଣ କଲେ ମନୁଷ୍ୟ ପବିତ୍ର ହୋଇଯାଏ। ତଥାପି ଲୋକକଲ୍ୟାଣ ନିମନ୍ତେ ମୁଁ ଏହା କହୁଛି। ବୈଶାଖ ମାସ ଶୁକ୍ଳପକ୍ଷ ଏକାଦଶୀରେ ଯେଉଁ ବ୍ରତ କରାଯାଏ, ତାହାର ନାମ ମୋହିନୀ। ଏହା ପାପ ବିନାଶିନୀ ବ୍ରତ ଭାବରେ ଶ୍ରେଷ୍ଠ। ଏହି ବ୍ରତ ପାଳନ କଲେ ମନୁଷ୍ୟ  ମୋହର ପାଶ ଓ ପାପରୁ ମୁକ୍ତ ହୋଇଯାଏ। ଏହା ମଧ୍ୟ ଦୁଃଖର ବିନାଶ କରିବାରେ ଶ୍ରେ‌ଷ୍ଠ। କେବଳ ଏହି ବ୍ରତକଥା ଶ୍ରବଣରେ ମଧ୍ୟ ପାପର ବିନାଶ ଘଟିଥାଏ।

ଏହା ପରେ, ବ୍ରତକଥା ରୂପେ ବଶି‌ଷ୍ଠ ଯାହା କହିଲେ, ତାହା ଏହିପରି-
ସରସ୍ବତୀ ନଦୀ ତଟରେ ଥିଲା ଭଦ୍ରାବତୀ ନାମରେ ଏକ ନଗରୀ। ସେଠାରେ ଦ୍ୟୁତିମାନ ନାମରେ ଜଣେ ରାଜା ରାଜୁତି କରୁଥିଲେ। ସେ ଥିଲେ ଚନ୍ଦ୍ରବଂଶୀ, ସତ୍ୟନିଷ୍ଠ ଓ ଧୈର୍ଯ୍ୟବାନ୍‌। ସେହି ନଗରୀରେ ଥିଲେ ଧନପାଳ ନାମକ ଜଣେ ଧନୀ ବୈଶ୍ୟ। ସେ ବହୁ ପୁଣ୍ୟକର୍ମ କରୁଥିଲେ। ତା’ ସହିତ ସେ ମଧ୍ୟ ଥିଲେ ବିଷ୍ଣୁଭକ୍ତ। ତାଙ୍କର ଥିଲେ ପାଞ୍ଚପୁତ୍ର। ସମସ୍ତେ ପାପକର୍ମା। ପଞ୍ଚମ ପୁତ୍ର ଘୃଷ୍ଟବୁଦ୍ଧି ଥିଲା ମହାପାପୀ। ତେଣୁ ରାଜା ଦ୍ୟୁତିମାନ୍‌ ତାକୁ ରାଜନଅରରୁ ତଡ଼ିଦେଲେ। ସଂପଦ ହରାଇବାରୁ ବନ୍ଧୁମାନେ ମଧ୍ୟ ତାକୁ ଛାଡ଼ି ପଳାଇଲେ। କ୍ଷୁଧା, ତୃଷାରେ ଆତୁର ହୋଇ ସେ ଇତସ୍ତତ ଘୂରି ବୁଲିଲା। ବଣ୍ୟ ପଶୁଙ୍କୁ ମାରି ମାଂସ ଖାଇ ସେ ଅରଣ୍ୟରେ ରହିବାକୁ ଲାଗିଲା। ପୂର୍ବଜନ୍ମର ପାପ ଫଳରେ ସେ ଏ ଜନ୍ମରେ ମଧ୍ୟ ପାପକର୍ମା ହୋଇଥିଲା।

ମାତ୍ର କୌଣସି ଗୋଟିଏ ପୁଣ୍ୟ ହୁଏତ ତା’ର ଥିଲା- ଯେଉଁଥିପାଇଁ ସେ ଦିନେ ଯାଇ ଅରଣ୍ୟରେ ଥିବା ମହର୍ଷି କୌଣ୍ଡିନ୍ୟଙ୍କ ଆଶ୍ରମରେ ପହଞ୍ଚିଥିଲା। ତାହା ଥିଲା ବୈଶାଖ ମାସ। ମହର୍ଷି ଗଙ୍ଗାସ୍ନାନରୁ ଫେରୁଥିଲେ। ତାଙ୍କ ବସ୍ତ୍ରରୁ ଝରିପଡ଼ୁଥିବା ଜଳର ସ୍ପର୍ଶରେ ତାର ସବୁ ପାପ ନାଶ ହୋଇଗଲା। ସେ ମହର୍ଷିଙ୍କ ପାଖରେ ହାତଯୋଡ଼ି ଠିଆହେଲା। ମହର୍ଷି ତାକୁ କହିଲେ- ଆଗକୁ ବୈଶାଖ ଶୁକ୍ଳ ଏକାଦଶୀ ଆସୁଛି। ଏହା ମୋହିନୀ ଏକାଦଶୀ। ତୁମେ ଏହା କର। ତୁମର ସମସ୍ତ ପାପ ଦୂରହେବ। ମହର୍ଷିଙ୍କ କଥା ମାନି ଘୃଷ୍ଟବୁଦ୍ଧି ସେହି ବ୍ରତ କରିବାରୁ ପାପମୁକ୍ତ ହେଲା ଏବଂ ବିଷ୍ଣୁଲୋକ ଲାଭ କଲା। ଏହି ବ୍ରତ କଥା ଯୁଧିଷ୍ଠିରଙ୍କୁ ଶୁଣାଇ ଶ୍ରୀକୃଷ୍ଣ କହିଲେ- ହେ ରାଜା! ଏହି ବ୍ରତ କଲେ ଯଜ୍ଞ ଓ ତୀର୍ଥର ଷୋହଳଗୁଣ ପୁଣ୍ୟ ମିଳିଥାଏ। ଏହା ପଢ଼ିଲେ ଓ ଶୁଣିଲେ ସହସ୍ର ଗୋଦାନର ପୁଣ୍ୟ ମିଳେ। ତେବେ ଅନ୍ୟ ପୌରାଣିକ ଉପାଖ୍ୟାନ ଅନୁଯାୟୀ,ଏହି ଦିନ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ବଣ୍ଟନ କରିବାପାଇଁ ବିଷ୍ଣୁ ମୋହିନୀ ବେଶ ଧାରଣ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ