ରାଜ୍ୟ

୪ ବ୍ଲକ୍‌ରେ ସୁବର୍ଣ୍ଣରେଖା ବନ୍ୟା ପାଣି

ଭୁବନେଶ୍ବର : ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡରେ ଅତି ପ୍ରବଳ ବର୍ଷା ପାଇଁ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ଜାମଶୋଳାଘାଟ ଏବଂ ରାଜଘାଟରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଛି। ବୁଧବାର ରାତିରେ ବନ୍ୟାଜଳ ଶୀର୍ଷ ଛୁଇଁବାର ସମ୍ଭାବନା ରହିଛି। ଆଜି ରାତିରେ ଭୋଗରାଇ, ବାଲିଆପାଳ, ବସ୍ତା ଏବଂ ଜଳେଶ୍ବର ବ୍ଲକ୍‌ର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ଅଛି। ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ପରେ ଧୀରେଧୀରେ ବନ୍ୟାପାଣି ଛାଡ଼ିବ। ସଂଧ୍ୟା ସୁଦ୍ଧା ଜାମଶୋଳାଘାଟରେ ବନ୍ୟାଜଳ ୫୦.୫୪ମିଟରରେ ପ୍ରବାହିତ ହେଉଥିଲା। ଏଠାରେ ବିପଦ ସଙ୍କେତ ୪୯.୧୬ ମିଟର ରହିଛି। ଆଜି ସକାଳ ପ୍ରାୟ ୫ଟାରେ ଏଠାରେ ବନ୍ୟାଜଳ ଶୀର୍ଷ (୫୧.୬୮ ମିଟର) ଛୁଇଁଥିଲା। ଶୀର୍ଷ ଛୁଇଁବା ପରେ ଆସ୍ତେଆସ୍ତେ ଜଳସ୍ତର କମୁଛି ସତ, ହେଲେ ବିପଦ ସଙ୍କେତ ତଳକୁ ଖସିନାହିଁ। ସେହିପରି, ରାଜଘାଟରେ ବିପଦ ସଙ୍କେତ ୧୦.୩୬ମିଟର ଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୧୧.୧୭ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ସୁବର୍ଣ୍ଣରେଖା ବଢ଼ୁଥିବାରୁ ବାଲେଶ୍ବର ଜିଲାକୁ ସତର୍କ କରାଯାଇଛି। ବନ୍ୟାରେ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ୧୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି କେବଳ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ରହିଛି। ଅନ୍ୟ କୌଣସି ନଦୀରେ ବନ୍ୟା ଭୟ ନାହିଁ। ବୈତରଣୀ ଜଳସ୍ତର ବଢ଼ୁଥିଲା, କିନ୍ତୁ ଏବେ କମୁଛି। ଜଳକାରେ ପାଣି ବଢୁନାହିଁ, ହେଲେ ଦୁଇଦିନ ହେଲା ସ୍ଥିର ରହିଛି। ମହାନଦୀରେ ମଧ୍ୟ କୌଣସି ବନ୍ୟାସ୍ଥିତି ନାହିଁ ବୋଲି ସେ କହିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button