ଜିଲ୍ଲା

ଡେବ୍ରିଗଡ଼ର ମୈଥିଲୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ; ଜଙ୍ଗଲ ସମ୍ବଳ ଉପଭୋକ୍ତାରୁ ବନ ସଂରକ୍ଷକ

ସମ୍ବଲପୁର/ବୁର୍ଲା/ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୧୩୭ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶାର ଜଣେ ମହିଳାଙ୍କ ପ୍ରଶଂସା କରିଛନ୍ତି। ବରଗଡ଼-ସମ୍ବଲପୁର ଜିଲା ସୀମାନ୍ତ ଡେବ୍ରିଗଡ଼ ଅଭୟାରଣ୍ୟ ନିକଟସ୍ଥ ଧୋଡରୋକୁସୁମ ଗ୍ରାମର ମୈଥିଲୀ ଭୁଏଙ୍କ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ମହିଳା କିପରି ଜଙ୍ଗଲ ସୁରକ୍ଷାକୁ ଏକ ସ୍ଥାୟୀ ଜୀବିକା ଓ ଆର୍ଥିକ ଆତ୍ମନିର୍ଭରଶୀଳତାରେ ପରିଣତ କରିଛନ୍ତି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ୨୦୨୩ ପୂର୍ବରୁ ମୈଥିଲୀଙ୍କ ପରିବାର ଜୀବିକା ପାଇଁ ସମ୍ପୂର୍ଣ୍ଣ ଭାବେ ଡେବ୍ରୀଗଡ଼ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲେ। ଜାଳେଣି କାଠ, ମହୁଲ, କେନ୍ଦୁପତ୍ର ଏବଂ ବାଉଁଶ ଗଜା (କରଡ଼ି) ସଂଗ୍ରହ କରି ସେ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ୨୦୨୩ରେ ଜଙ୍ଗଲ ବିଭାଗର ପ୍ରୋତ୍ସାହନରେ ମୈଥିଲୀ ପ୍ରଥମ ଆଦିବାସୀ ମହିଳା ଭାବେ ବନ ସଂରକ୍ଷଣ ଓ ଗୋଷ୍ଠୀ-ଭିତ୍ତିକ ଇକୋ-ଟୁରିଜିମ୍ ଅଭିଯାନରେ ଯୋଗଦେଇଥିଲେ। ‘ଜିରୋ ପଏଣ୍ଟ’ ରେଷ୍ଟୁରାଣ୍ଟରେ ନିଯୁକ୍ତି ପାଇବା ସହ ସେ ବର୍ତ୍ତମାନ ମାସିକ ୯୫୦୦ ଟଙ୍କା ରୋଜଗାର କରୁଛନ୍ତି। ତେବେ ମୈଥିଲୀଙ୍କ ଏହି ଯାତ୍ରା ସହଜ ନ ଥିଲା। ଆରମ୍ଭରୁ ତାଙ୍କୁ ଗ୍ରାମବାସୀଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସାମାଜିକ ପରମ୍ପରା ଓ ପୁରୁଣା ମାନସିକତା ଯୋଗୁଁ ଜଙ୍ଗଲ ବିଭାଗ ସହ ମହିଳାମାନେ କାମ କରିବା କିମ୍ବା ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା ହେବାକୁ ସହଜରେ ଗ୍ରହଣ କରାଯାଉ ନ ଥିଲା। ତେବେ ମୈଥିଲୀଙ୍କ ସଫଳତା ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପାଖାପାଖି ୪୦ ଜଣ ମହିଳା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଛାଡ଼ି ସଂରକ୍ଷଣ-ଭିତ୍ତିକ ଜୀବିକା ଆପଣାଇଛନ୍ତି। ସେମାନେ ବର୍ତ୍ତମାନ ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ୱାର୍ଡ, ଘାସପଡ଼ିଆର ପୁନରୁଦ୍ଧାର, ଡ୍ରାଇଭିଂ, ରାସ୍ତା ରକ୍ଷଣାବେକ୍ଷଣ ଏବଂ ହୋମ୍‌ଷ୍ଟେ ପରିଚାଳନାରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ମୈଥିଲୀ ଧୋଡ଼ରୋକୁସୁମ୍ ଇକୋ-ଡେଭଲପମେଣ୍ଟ କମିଟି (ଇଡିସି)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ୧୦୦ ଜଣ ବସିପାରିବା କ୍ଷମତା ଥିବା ‘ଜିରୋ ପଏଣ୍ଟ’ ରେଷ୍ଟୁରାଣ୍ଟର ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି। ମୈଥିଲୀଙ୍କ ସଚେତନତା ଅଭିଯାନ ଯୋଗୁଁ ଗ୍ରାମବାସୀ ସବୁଜ ଗଛ କାଟିବା ଓ ବାଉଁଶଗଜା ନଷ୍ଟ କରିବା ବନ୍ଦ କରିଛନ୍ତି। ସେ ଏଲ୍‌ପିଜି ଗ୍ୟାସ୍ ବ୍ୟବହାର, ଶୌଚାଳୟ ନିର୍ମାଣ, ପରିଷ୍କାର ପରିଚ୍ଛନ୍ନତା ଏବଂ ଜଙ୍ଗଲରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ତାଙ୍କର ଏହି ପ୍ରଚେଷ୍ଟା ଯୋଗୁଁ ଧୋଡ଼ରୋକୁସୁମ୍ ଗ୍ରାମ ଏକ ‘ଗ୍ରୀନ୍ ଭିଲେଜ୍’ରେ ପରିଣତ ହୋଇପାରିଛି। ଏହି ଗ୍ରାମୀଣ ପରିବର୍ତ୍ତନକୁ ଲକ୍ଷ୍ୟ କରି ୨୦୨୫ରେ ଧୋଡ଼ରୋକୁସୁମ୍ ଗ୍ରାମକୁ ଆଦିବାସୀ ମହିଳା, ବିଧବା ଓ ଏକକ ମହିଳାଙ୍କ ଦ୍ୱାରା ପରିଚାଳିତ ହୋମ୍‌ଷ୍ଟେ ପ୍ରକଳ୍ପ ପାଇଁ ମନୋନୀତ କରାଯାଇଛି, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରୁଛି। ତାଙ୍କର ଏହି ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଅାଜି ଗୁରୁତ୍ୱାରୋପ କରି କହିଛନ୍ତି; ମୈଥିଲୀ ଏବଂ ତାଙ୍କ ସାଥୀ ପ୍ରମାଣିତ କରିଛନ୍ତି ଯେ କିପରି ପ୍ରକୃତି ସୁରକ୍ଷା ଏବଂ ଆର୍ଥିକ ସମୃଦ୍ଧି ଏକାଠି ଆଗେଇ ପାରିବ।
ମୁମ୍ବାଇର ଗବେଷକ କୃଷ୍ଣା ଶେଷାଦ୍ରି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଶାର ପ୍ରସିଦ୍ଧ ଭୌମକର ବଂଶର ରାଣୀ ତ୍ରିଭୁବନ ମହାଦେବୀଙ୍କ ପରି ଐତିହାସିକ ଚରିତ୍ର ସହ କଥା ହେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତ୍ରିଭୁବନ ମହାଦେବୀଙ୍କ କାହାଣୀ ବହୁତ କୌତୁହଳପ୍ରଦ। ପଡ଼ୋଶୀ ପାଳ ସାମ୍ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା, ସେଥିରେ ଏଠାକାର ରାଜା ଯିଏକି ତାଙ୍କ ସ୍ୱାମୀ ଥିଲେ ସେ ଏହି ଯୁଦ୍ଧରେ ସହିିଦ ହୋଇଯାଇଥିଲେ। ଫଳରେ ତାଙ୍କ ରାଜ୍ୟର ସୀମା ବହୁତ ଛୋଟ ହୋଇଯାଇଥିଲା। ସେଭଳି ସମୟରେ ତ୍ରିଭୁବନ ମହାଦେବୀ ଜଣେ ମହିଳା ହୋଇଥିବା ସତ୍ତ୍ୱେ ଶାସନଭାର ନିଜ ହାତକୁ ନେଇଥିଲେ ଏବଂ ଭାରତୀୟ ଇତିହାସରେ ସେ ପ୍ରଥମ ସ୍ୱାଧୀନ ଶାସକ ହୋଇପାରିଥିଲେ। ସେ ଶାସନକୁ କେବଳ ଯେ ସ୍ଥିରତା ପ୍ରଦାନ କଲେ ତାହା ନୁହେଁ ବରଂ ଏହାକୁ ଏତେ ଶକ୍ତିଶାଳୀ କରି ଗଢ଼ିଦେଲେ ଯେ ଏହାର ପରବର୍ତ୍ତୀ ୧୦୦ ବର୍ଷ ପର୍ଯ୍ୟନ୍ତ କଳିଙ୍ଗ ଏବଂ ସେହି ଅଞ୍ଚଳରେ ରାଜୁତି କରିପାରିଲେ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button