ନୂଆଦିଲ୍ଲୀ, ୩୦/୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ସେ ବାଂଲା ନ୍ୟାଶନାଲିଷ୍ଟ ପାର୍ଟିର ମୁଖ୍ୟ ଥିଲେ । ଢାକାର ଏଭକେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ । ଲିଭର ସିରୋସିସରୁ ଆରମ୍ଭ କରି ଅସ୍ଥି ଜନିତ ରୋଗ, ମଧୁମେହରେ ସେ ପୀଡିତ ଥିଲେ ।
ଗତ ନଭେମ୍ବର ୧୧ ତାରିଖରେ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଡିସେମ୍ବର ୧୧ରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ଦୁଇ ଦିନ ତଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଖାଲିଦାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କହିଥିଲେ ।
ସୋମବାର ବୋଗୁରା-୭ ନିର୍ବାଚନମଣ୍ଡଳୀରୁ ଖାଲିଦାଙ୍କ ନାଁରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ସାଧାରଣ ନିର୍ବାଚନ ଲଢିବା ପାଇଁ ସେ ପ୍ରସ୍ତୁତ ହେଉଥିଲେ । ତାଙ୍କ ପୁତ୍ର ତାରିକ ରେହମାନ ମଧ୍ୟ ଦୀର୍ଘ ୧୭ ବର୍ଷ ପରେ ଢାକା ଫେରିଥିଲେ । ଖାଲିଦାଙ୍କ ମୃତ୍ୟୁ ପରେ ତାରିକ ପାର୍ଟିକୁ ସମ୍ଭାଳିବେ ବୋଲି କୁହାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ସେ ୨୦୧୫ରେ ତାଙ୍କ ସହିତ ହୋଇଥିବା ସାକ୍ଷାତକୁ ମନେ ପକାଇଛନ୍ତି ଏବଂ ଆଶା କରିଛନ୍ତି ଯେ, ବେଗମ ଖାଲିଦାଙ୍କର ଦୃଷ୍ଟିକୋଣ ଏବଂ ଐତିହ୍ୟ ଭାରତ-ବାଂଲାଦେଶ ସମ୍ପର୍କକୁ ମାର୍ଗଦର୍ଶନ ଦେବ।
ସୌଜନ୍ୟ ସମ୍ବାଦ
