ବିମାନ ଭଡ଼ା ନିୟମ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ୭ ଦିନ ମଧ୍ୟରେ ନିୟମ ଆଣିବାକୁ ନିର୍ଦ୍ଦେଶ, ଏୟାରଲାଇନ୍ସ ନମାନିଲେ ଛିଡ଼ା ହେବ ପ୍ଲେନ୍

ନୂଆଦିଲ୍ଲୀ ୧୮/୦୮: ଦେଶରେ ବିମାନ ଚଳାଚଳ କ୍ଷେତ୍ରକୁ ଆଧୁନିକୀକରଣ କରିବା ଲକ୍ଷ୍ୟରେ ‘ଭାରତୀୟ ବାୟୁଯାନ ଅଧିନିୟମ, ୨୦୨୪’ ଅଧୀନରେ ନିୟମାବଳୀ ପ୍ରଣୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ଏବଂ ୩ ସପ୍ତାହ ଭିତରେ ଏହାକୁ ଚୂଡ଼ାନ୍ତ କରାଯିବ ବୋଲି ସୋମବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ତେବେ ସରକାର ୭ ଦିନ ଭିତରେ ବିମାନ ଭଡ଼ା ନିୟମ ଆଣିବାକୁ ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି । ଯଦି ଏୟାରଇାଇନଗୁଡ଼ିକ ଏହାକୁ ପାଳନ ନ କରିବେ ତେବେ ସେମାନଙ୍କ ବିମାନ ଛିଡ଼ା କରାଇଦେବାକୁ ସୁପ୍ରିମକୋର୍ଟ କହିଛନ୍ତି ।
ସରକାର ମୁଦ୍ଦା ଲଫାପାରେ ଖଣ୍ଡପୀଠଙ୍କ ଆଗରେ ଚିଠା ନିୟମ ଦାଖଲ କରିଥିଲେ । ଏହି ଚିଠା ବା ଡ୍ରାଫ୍ଟ ଉପରେ କିଛି ଅନ୍ତିମ ଚର୍ଚ୍ଚା ଚାଲିଥିବା ସରକାର ଜଣାଇଥିଲେ । ତେବେ ଖଣ୍ଡପୀଠ କହିଥିଲେ ୭ ଦିନ ଭିତରେ ଏହାକୁ ପ୍ରକାଶ କରନ୍ତୁ । ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ କୌଶିକ ପକ୍ଷ ରଖିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭ରେ ହେବ । ବିମାନ ଭଡ଼ା ବାବଦରେ ସାମାଜିକ କାର୍ଯ୍ୟକର୍ତ୍ତା ଏସ୍. ଲକ୍ଷ୍ମୀ ନାରାୟଣନ୍ ପିଟିସନ କରିଥିଲେ । ଏଥିରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପାରଦର୍ଶିତା, ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ଦୃଢ଼ ତଥା ସ୍ୱାଧୀନ ନିୟାମକ ବ୍ୟବସ୍ଥା ଏବଂ ଘରୋଇ ଏୟାଇଲାଇନଗୁଡ଼ିକ ଦ୍ୱାରା ଆଦାୟ କରାଯାଉଥିବା ବିମାନ ଭଡ଼ା ଓ ଆନୁସଙ୍ଗିକ ଶୁଳ୍କକୁ ନିୟନ୍ତ୍ରଣ କରିବା ପାଇଁ ନିୟାମକ ମାର୍ଗଦର୍ଶିକା ଜାରି କରିବାକୁ ଦାବି କରାଯାଇଛି ।
ସୌଜନ୍ୟ ପ୍ରମେୟ




