Criminal cases : ଲୋକସଭାର ୨୫୧, ରାଜ୍ୟସଭାର ୭୫ ସଦସ୍ୟଙ୍କ ନାଁରେ ଅପରାଧିକ ମାମଲା, ଓଡ଼ିଶାରେ ୧୬ ସାଂସଦଙ୍କ ବିରୋଧରେ କ୍ରିମିନାଲ୍ କେସ୍

ନୂଆଦିଲ୍ଲୀ, ୧୮/୮ : ଲୋକସଭାରେ ୫୪୩ ଜଣଙ୍କ ମଧ୍ୟରୁ ୨୫୧ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହିପରି ରାଜ୍ୟସଭାରେ ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ବିରୋଧରେ କ୍ରିମିନାଲ କେସ୍ ରହିଛି । ୨୮ ରାଜ୍ୟ ମଧ୍ୟରୁ ୧୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାଗୀ ବୋଲି ସୁପ୍ରିମକୋର୍ଟରେ ରାଜନୀତିରେ ଅପରାଧୀକରଣ ଉପରେ ଦାଖଲ ଏକ ରିପୋର୍ଟରୁ ଜଣାପଡ଼ିଛି । ସାଂସଦ, ବିଧାୟକମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲାଗି ଦାଏର ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ରେ ଆମିକ୍ୟୁସ୍ କ୍ୟୁରୀ ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଛନ୍ତି । ସାଂସଦ ଏବଂ ବିଧାୟକମାନଙ୍କ ବିରୋଧରେ ୪ ହଜାରରୁ ଅଧିକ ଅପରାଧିକ ମାମଲା ରହିଥିବା ଏଥିରେ ଉଲ୍ଲେଖ ରହିଛି।
ତଥ୍ୟ ଅନୁସାରେ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀଙ୍କ ନାମରେ ସର୍ବାଧିକ ୮୯ଟି ମାମଲା ରହିଛି। ଏହା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ୨୯, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଉପରେ ୧୯ଟି ମାମଲା ରହିଛି । ହଂସାରିଆ କହିଛନ୍ତି, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଏହି ମାମଲାଗୁଡ଼ିକର ତଦାରଖ କରୁଛନ୍ତି, ଯାହା ଫଳରେ ଏହାର ତ୍ୱରିତ ଶୁଣାଣି ହୋଇପାରିବ । ଏହା ସତ୍ତ୍ଵେ ୨୦୧୮ରୁ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ପଡ଼ିରହିଥିବା ମାମଲା ସଂଖ୍ୟା ପ୍ରାୟ ସେମିତି ରହିଛି । ହାଇକୋର୍ଟରୁ ସଂଗୃହୀତ ଡାଟା ଅନୁସାରେ, ୨୦୨୫ରେ ୧,୨୪୩ ଅପରାଧିକ ମାମଲାର ଫଇସଲା ହୋଇଥିଲା ।
ଚଳିତ ବର୍ଷ ୧,୦୫୦ ନୂଆ ମାମଲା ଆସିଛି । ପୂର୍ବ ଏବଂ ଏବେର ସାଂସଦ-ବିଧାୟକଙ୍କ ବିରୋଧରେ ମୋଟ ୪,୧୯୨ ମାମଲା ପଡ଼ିରହିଛି । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ ରିପୋର୍ଟ ବାବଦରେ ସତ୍ୟପାଠରେ କୁହାଯାଇଛି ଯେ, ଲୋକସଭାରେ ୨୫୧ ଜଣଙ୍କ ଉପରେ ଥିବା ଅପରାଧିକ ମାମଲା ମଧ୍ୟରୁ ୧୭୦ ମାମଲା ଗମ୍ଭୀର, ଯେଉଁଥିରେ ୫ ବର୍ଷ କିମ୍ବା ତଦ୍ଦୁଦ୍ଧ୍ୱର୍ ଦଣ୍ଡାଦେଶର ପ୍ରାବଧାନ ରହିଛି । ସେହିପରି ରାଜ୍ୟସଭା ସଦସ୍ୟଙ୍କ ଉପରେ ୪୦ ସଙ୍ଗୀନ ଅପରାଧିକ ମାମଲା ରହିଛି । ଉତ୍ତରପ୍ରଦେଶକୁ ଛାଡ଼ି ବିଭିନ୍ନ ହାଇକୋର୍ଟ ପକ୍ଷରୁ ଦାଖଲ ରିପୋର୍ଟର ବିଶ୍ଲେଷଣ ମଧ୍ୟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । ଆହ୍ଲାବାଦ ହାଇକୋର୍ଟରୁ ରିପୋର୍ଟ ନ ମିଳିବା କାରଣରୁ ଉତ୍ତରପ୍ରଦେଶର ସଂଖ୍ୟା ଏଥିରେ ଅନ୍ତର୍ଭୂକ୍ତ ହୋଇପାରିନାହିଁ। ଏହି ଡାଟା ଅନୁସାରେ, କେରଳର ୨୦ ସାଂସଦଙ୍କ ମଧ୍ୟରୁ ୧୯ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେଥିରୁ ୧୧ ଜଣ ସଙ୍ଗିନ ମାମଲାର ସାମ୍ନା କରୁଛନ୍ତି । ତେଲଙ୍ଗାନାର ୧୭ରୁ ୧୪ ସାଂସଦ, ଓଡ଼ିଶାର ୨୧ରୁ ୧୬ ସାଂସଦ, ଝାଡ଼ଖଣ୍ଡର ୧୪ରୁ ୧୦, ତାମିଲନାଡ଼ୁର ୩୯ରୁ ୨୬ ସାଂସଦଙ୍କ ଉପରେ ଏହି ମାମଲା ରହିଛି ।
ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ରେ ପ୍ରାୟ ୫୦ ପ୍ରତିଶତ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ହରିୟାଣାର ୧୦ ସାଂସଦଙ୍କ ମଧ୍ୟରୁ ଜଣେ ଏବଂ ଛତିଶଗଡ଼ର ୧୧ ସାଂସଦଙ୍କ ମଧ୍ୟରୁ ଜଣଙ୍କ ନାଁରେ ଏହି ଅଭିଯୋଗ ରହିଛି । ପଞ୍ଜାବରେ ୧୩ରୁ ୨, ଆସାମରେ ୧୪ରୁ ୩, ଦିଲ୍ଲୀରୁ ୭ରୁ ୩, ରାଜସ୍ଥାନରେ ୨୫ରୁ ୪, ଗୁଜରାଟରେ ୨୫ରୁ ୫, ମଧ୍ୟପ୍ରଦେଶର ୨୯ରୁ ୯ ସାଂସଦଙ୍କ ନାମରେ କ୍ରିମିନାଲ କେସ୍ ରହିଛି । ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତ୍ୱରିତ ଭିତ୍ତିରେ ଏହି ମାମଲାଗୁଡ଼ିକର ଫଇସଲା ହେବା ଉଚିତ ବୋଲି ହଂସାରିଆ ଦାବି କରିଛନ୍ତି । ସାଂସଦ- ବିଧାୟକଙ୍କ ପାଇଁ ବନାଯାଇଥିବା ସ୍ୱତନ୍ତ୍ର ଅଦାଲତରେ କେବଳ ସେହି ମାମଲାଗୁଡ଼ିକର ଶୁଣାଣି ହେଉ ବୋଲି ସେ କହିଛନ୍ତି ।
ସୌଜନ୍ୟ ପ୍ରମେୟ




