ବ୍ରିକ୍ସ ମଞ୍ଚରୁ ମୋଦୀଙ୍କ ଆହ୍ବାନ ; ସମୁଦ୍ର ସୁରକ୍ଷା ବିଶ୍ବ ଅର୍ଥନୀତି ପାଇଁ ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ: ସାମୁଦ୍ରିକ କାରବାର ସୁରକ୍ଷା ରହିଲେ ବିଶ୍ବ ଅର୍ଥନୀତି ସୁରକ୍ଷିତ ରହିପାରିବ। ତେଣୁ ସାମୁଦ୍ରିକ ଯାତାୟାତର ସ୍ୱାଧୀନତା ଓ ନାବିକଙ୍କ ସୁରକ୍ଷା ବିଶ୍ୱ ଅର୍ଥନୀତିର ଅଗ୍ରଗତି ପାଇଁ ଜରୁରୀ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ବିଜନେସ୍ ଫୋରମରେ ଉଦ୍ବୋଧନ ଦେଇ ମୋଦୀ ବିଶ୍ବର ପ୍ରମୁଖ ନେତାମାନଙ୍କୁ ଏପରି କହିଛନ୍ତି। ସେ କହିଛନ୍ତି ଯେ ବାଣିଜ୍ୟ ଓ ଆର୍ଥିକ ପ୍ରଗତି ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ସାମୁଦ୍ରିକ ମାର୍ଗଗୁଡ଼ିକ ସୁରକ୍ଷିତ ରହିବ, ଯୋଗାଣ ଶୃଙ୍ଖଳା ଅବ୍ୟାହତ ରହିବ ଓ ନାବିକମାନେ ସୁରକ୍ଷିତ ରହିବେ। ସମୁଦ୍ରରେ ଯାତାୟାତର ସ୍ୱାଧୀନତା ଓ ନାବିକମାନଙ୍କ ସୁରକ୍ଷା ପାଇଁ ଭାରତ ସର୍ବଦା ଦୃଢ଼ ସମର୍ଥନ କରିଆସିଛି। ପଶ୍ଚିମ ଏସିଆ (ହର୍ମୁଜ ପ୍ରଣାଳୀ) ଓ କୃଷ୍ଣସାଗର ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁଁ ସାମୁଦ୍ରିକ ବାଣିଜ୍ୟ ଓ ନାବିକମାନଙ୍କ ସୁରକ୍ଷା ପ୍ରତି ସୃଷ୍ଟି ହୋଇଥିବା ଆହ୍ୱାନ ଉପରେ ଚିନ୍ତା ବ୍ୟକ୍ତ କରିବା ପୂର୍ବକ ସେ ଏପରି କହିଛନ୍ତି। ବିଶ୍ୱବ୍ୟାପୀ ଅନିଶ୍ଚିତତା ଓ ବାଣିଜ୍ୟିକ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଛି। ବିଶ୍ୱ ଯେଉଁଠି ପ୍ରତିବନ୍ଧକ ସୃଷ୍ଟି କରୁଛି, ଭାରତ ସେଠାରେ ବାଣିଜ୍ୟିକ ସଂଯୋଗୀକରଣ ଗଢ଼ୁଛି। ବ୍ରିକ୍ସ ବିଜନେସ୍ କାଉନସିଲ୍କୁ ଏହିସବୁ ବ୍ୟାବସାୟିକ ବାଧାବିଘ୍ନ ଓ ବାଣିଜ୍ୟିକ ପ୍ରତିବନ୍ଧକ ହ୍ରାସ କରିବା ସହ ଷ୍ଟାର୍ଟଅପ୍ ଏବଂ ନୂତନ ସହଯୋଗିତାକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବିଜନେସ୍ କାଉନସିଲ୍କୁ ଏପରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଛନ୍ତି, ଯାହା ପ୍ରତ୍ୟାହାର କରାଯିବାକୁ ଥିବା ୧୦ଟି ବ୍ୟବସାୟିକ ପ୍ରତିବନ୍ଧକକୁ ଚିହ୍ନଟ କରିବ। ଏହା ପ୍ରତିବର୍ଷ ବ୍ରିକ୍ସ ଦେଶଗୁଡ଼ିକର ୧୦୦ଟି ଷ୍ଟାର୍ଟଅପ୍କୁ ବୃଦ୍ଧି ପାଇବାରେ ସହାୟତା କରିବ। ଏହା ସହ ସେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ୧,୦୦୦ଟି ନୂତନ ବ୍ୟାବସାୟିକ ସହଯୋଗିତା ଗଠନ କରିବାକୁ ଆହ୍ୱାନ ଜଣାଇବା ସହ ଏହାର ଅଗ୍ରଗତି ପ୍ରତିବର୍ଷ ସମୀକ୍ଷା କରାଯିବା ଉଚିତ ବୋଲି କହିଛନ୍ତି। ଡିଜିଟାଲ୍ ପେମେଣ୍ଟ (ଡିଜିଟାଲ୍ ଆର୍ଥିକ କାରବାର) ବିଷୟରେ ମୋଦୀ କହିଛନ୍ତି ଯେ, ଭାରତର ୟୁପିଆଇ ବ୍ୟାପକ ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଡିଜିଟାଲ୍ କାରବାରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ବର୍ତ୍ତମାନ ବିଶ୍ୱର ପ୍ରାୟ ୫୦% ରିଅଲ-ଟାଇମ୍ ପେମେଣ୍ଟ ୟୁପିଆଇ ମାଧ୍ୟମରେ ସମ୍ପାଦିତ ହେଉଛି। ବ୍ରିକ୍ସ ମେଣ୍ଟର ସଦସ୍ୟ ଥିବା ୧୧ଟି ରାଷ୍ଟ୍ର ବିଶ୍ବର ମୋଟ ଜନସଂଖ୍ୟାର ୪୯.୫ ପ୍ରତିଶତକୁ ପ୍ରତିନିଧିତ୍ବ କରୁଛନ୍ତି। ଏହିସବୁ ଦେଶରେ ବିଶ୍ବ ଜିଡିପିର ୪୦% ଓ ବିଶ୍ବ ବାଣିଜ୍ୟର ୨୬% କାରବାର ହେଉଛି।
ବିଜନେସ୍ ଫୋରମ୍ ବୈଠକରେ ଉପସ୍ଥିତ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମାଞ୍ଚଳ ଦେଶଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବ୍ରିକ୍ସର ପଶ୍ଚିମାଞ୍ଚଳ ପ୍ରତିଦ୍ୱନ୍ଦ୍ୱୀମାନେ ନିଜର ହରାଇଥିବା ସାମ୍ରାଜ୍ୟବାଦୀ ଓ ଏକଚାଟିଆ ପ୍ରଭୁତ୍ୱକୁ ପୁନରୁଦ୍ଧାର କରିବାକୁ ଅପ୍ରାଣ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ କିଛି ନିର୍ଦ୍ଦିଷ୍ଟ ପଶ୍ଚିମାଞ୍ଚଳ ଦେଶ ବିଶ୍ୱ ଅର୍ଥନୀତି ଓ ରାଜନୀତିରେ ନିଜର ଆଧିପତ୍ୟ ବଜାୟ ରଖିବା ପାଇଁ ବହୁପାକ୍ଷିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ବ୍ରିକ୍ସର ସମ୍ପ୍ରସାରଣ ଓ ଶକ୍ତି ବୃଦ୍ଧି ଏକ ନୂତନ, ନ୍ୟାୟପୂର୍ଣ୍ଣ ଏବଂ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥାର ଗଠନକୁ ପ୍ରତିଫଳିତ କରୁଛି, ଯାହାକୁ ପଶ୍ଚିମାଞ୍ଚଳ ଶକ୍ତିଗୁଡ଼ିକ ସହଜରେ ଗ୍ରହଣ କରିପାରୁନାହାନ୍ତି। ପଶ୍ଚିମାଞ୍ଚଳ ଦେଶଗୁଡ଼ିକ ଦ୍ୱାରା ଲଗାଯାଉଥିବା ଏକତରଫା ଅର୍ଥନୈତିକ କଟକଣା ଓ ବାଣିଜ୍ୟିକ ପ୍ରତିବନ୍ଧକକୁ ସେ ସମାଲୋଚନା କରିବା ସହ ଏହା ବିଶ୍ୱ ଯୋଗାଣ ଶୃଙ୍ଖଳାକୁ କ୍ଷତିଗ୍ରସ୍ତ କରୁଥିବା କହିଛନ୍ତି। ସମ୍ମିଳନୀ ଅବସରରେ ପୁଟିନ ବିଶ୍ୱର ସବୁଠାରୁ ଧନୀ ଦେଶଗୁଡ଼ିକର ସଂଗଠନ ଜି-୭ର ଅର୍ଥନୀତିକୁ ସମାଲୋଚନା କରିଥିଲେ। ସରକାରୀ ଋଣ ଭାର ଓ ତ୍ରୁଟିପୂର୍ଣ୍ଣ ବାଣିଜ୍ୟିକ ନୀତି ଯୋଗୁଁ ଜି-୭ ନିଜର ଆଧିପତ୍ୟ ହରାଉଛି। ବିଶ୍ୱରେ ସୃଷ୍ଟି ହେଉଥିବା ଭୂ-ରାଜନୈତିକ ଆହ୍ୱାନର ମୁକାବିଲା କରିବା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ନିଜ ମଧ୍ୟରେ ଅର୍ଥନୈତିକ ଏବଂ କୂଟନୈତିକ ସହଯୋଗକୁ ଆହୁରି ମଜଭୁତ କରିବା ଉଚିତ ବୋଲି ପୁଟିନ ଆହ୍ୱାନ ଦେଇଛନ୍ତି।
ଫୋରମକୁ ସମ୍ବୋଧନ କରି ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନ୍ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକୁ ମଧ୍ୟରେ ନିଜ ନିଜର ଜାତୀୟ ମୁଦ୍ରାରେ ବାଣିଜ୍ୟିକ କାରବାର କରିବାକୁ କହିଛନ୍ତି। ଏହାସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ଶକ୍ତିଶାଳୀ ଆର୍ଥିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ସୀମାପାର ବାଣିଜ୍ୟିକ କାରବାରରେ ନିଜ ନିଜର ସ୍ଥାନୀୟ ମୁଦ୍ରା ବ୍ୟବହାର କରିବା ଉଚିତ ବୋଲି ସେ ଗୁରୁତ୍ବ ଦେଇଛନ୍ତି। ପଶ୍ଚିମାଞ୍ଚଳ ଦେଶଗୁଡ଼ିକର ଅର୍ଥନୈତିକ କଟକଣା ଓ ଆର୍ଥିକ ଆଧିପତ୍ୟର ମୁକାବିଲା କରିବା ପାଇଁ ବ୍ରିକ୍ସ ନିଜସ୍ୱ ସ୍ୱାଧୀନ ପେମେଣ୍ଟ ବ୍ୟବସ୍ଥା ଗଢ଼ିତୋଳିବା ଆବଶ୍ୟକ। ବ୍ରିକ୍ସର ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ‘ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ’ର ଭୂମିକାକୁ ଆହୁରି ବ୍ୟାପକ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମାଞ୍ଚଳ ଶକ୍ତିଗୁଡ଼ିକ ଦ୍ୱାରା ଲଗାଯାଉଥିବା ଏକତରଫା ଅର୍ଥନୈତିକ ପ୍ରତିବନ୍ଧକ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରୁଥିବାରୁ ଏହା ବିରୋଧରେ ବ୍ରିକ୍ସ ଏକଜୁଟ ହେବା ଜରୁରୀ ବୋଲି ମାସୁଦ କହିଛନ୍ତି। ଭାରତ ମଣ୍ଡପମ୍ରେ ଆୟୋଜିତ ଏହି ବିଜ୍ନେସନ ଫୋରମ ବୈଠକରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ରୁଷ୍ ରାଷ୍ଟ୍ରପତି ପୁଟିନ, ଇରାନ ରାଷ୍ଟ୍ରପତି ପେଜେସକିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଓ ବ୍ରାଜିଲ ବୈଦେଶିକ ମନ୍ତ୍ରୀ ମୌରୋ ଭିଏରା ଯୋଗ ଦେଇଥିଲେ।
ସୌଜନ୍ୟ ସମାଜ




