ଭୁବନେଶ୍ବର ଟାଇଗର୍ସ ୭ ରନ୍ରେ ବିଜୟୀ
ବାରବାଟୀ ଷ୍ଟାଡିୟମରେ ଚାଲିଥିବା ‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍ ସିଏମ୍ ଟ୍ରଫି’ର ବର୍ଷା ପ୍ରଭାବିତ ଦ୍ବିତୀୟ ମ୍ୟାଚ୍ରେ ଭୁବନେଶ୍ବର ଟାଇଗର୍ସ ୭ ରନ୍ (ଡିଏଲ୍ଏସ୍)ରେ କେନ୍ଦୁଝର ମାଇନର୍ସକୁ ପରାସ୍ତ କରିଛି।

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍ ସିଏମ୍ ଟ୍ରଫି’ର ବର୍ଷା ପ୍ରଭାବିତ ଦ୍ବିତୀୟ ମ୍ୟାଚ୍ରେ ଭୁବନେଶ୍ବର ଟାଇଗର୍ସ ୭ ରନ୍ (ଡିଏଲ୍ଏସ୍)ରେ କେନ୍ଦୁଝର ମାଇନର୍ସକୁ ପରାସ୍ତ କରିଛି। ବର୍ଷା ଯୋଗୁଁ ପଡ଼ିଆ ଓଦା ଥିବାରୁ ମ୍ୟାଚ୍ ୧୫ ଓଭରିଆ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ବର ଟାଇଗର୍ସ ୭ ଓଭରରେ ୩ ୱିକେଟ ହରାଇ ୬୪ ରନ୍ କରିଥିବା ବେଳେ ପୁଣି ବର୍ଷା ହୋଇଥିଲା। ଫଳରେ ସମୟ ଦେଖି ଟାଇଗର୍ସର ପାଳି ଏହିଠାରେ ଶେଷ ହୋଇଥିଲା। ଟାଇଗର୍ସ ଅଧିନାୟକ ସ୍ବସ୍ତିକ୍ ସାମଲ ୧୮ ବଲ୍ରୁ ୪୨ ରନ୍ କରିଥିଲେ। ଡିଏଲ୍ଏସ୍ ଅନୁଯାୟୀ କେନ୍ଦୁଝର ମାଇନର୍ସ ସମ୍ମୁଖରେ ୪ ଓଭରରେ ୪୮ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ଦଳ ୪୦/୨ରେ ଅଟକି ଯାଇଥିଲା। କ୍ଷମା ସାଗର ବଳ ୬ ବଲ୍ରୁ ୩ ରନ୍ କରିଥିବା ବେଳେ ରାଜେଶ ଧୂପର ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ୨୦ ରନ୍ର ଭାଗିଦାର ଗଢ଼ିଥିଲେ। ଶୁଭ୍ରାଂଶୁ ୧୧ ରନ୍ କରି ଆଉଟ ହୋଇଥିଲେ। ଶେଷ ଓଭରରେ ବିଜୟ ଲାଗି ମାଇନର୍ସକୁ ୧୮ ରନ୍ ଆବଶ୍ୟକ ଥିବା ବାଦଲ ବିଶ୍ବାଳ ଚମତ୍କାର ବୋଲିଂ କରି ଟାଇଗର୍ସକୁ ବିଜୟ ଦେଇଥିଲେ। ବାଦଲଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ସ୍ବସ୍ତିକଙ୍କୁ ମୋମେଣ୍ଟ ଅପ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା। ଅତିଥି ଭାବେ ଭାରତ ମସଲା ନିର୍ଦ୍ଦେଶକ ଶ୍ରୀମନ୍ତ ପଣ୍ଡା, ରାଉରକେଲା ସୁପରଷ୍ଟାର ପ୍ରତିନିଧି ଲବ ମଲ୍ଲିକ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ସୌଜନ୍ୟ ସମ୍ବାଦ




