ଦେଶ ବିଦେଶ

ମୋଦୀଙ୍କ ମନ୍‌ କୀ ବାତ୍‌ ; ଆଇଏନଏସ୍ ମହେନ୍ଦ୍ରଗିରି ଆତ୍ମନିର୍ଭର ଭାରତର ନମୁନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୧୩୬ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ବିଷୟରେ କହିଛନ୍ତି। ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଓ ନିର୍ମାଣ ଭାରତରେ କରାଯାଇଛି। ଏଥିରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସରେ ଡିଆରଡିଓ ସବୁଠାରୁ ଦୂରଗାମୀ ଗାଇଡେଡ୍ ରକେଟର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କ ମିଳିତ ପରିଶ୍ରମ ରହିଛି। ମାତ୍ର ଦୁଇ-ତିନି ଦିନ ପୂର୍ବେ ଡିଆରଡିଓ ‘କୁଶା’ ମିଶାଇଲର ମଧ୍ୟ ସଫଳ ପରୀକ୍ଷଣ କରିଛି। ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନି ହେଉ କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ିଚାଲିଛି। ଚଳିତ ମାସରେ ଇଣ୍ଡୋନେସିଆ ଭାରତ ଠାରୁ ବ୍ରହ୍ମସ ଓ ଅସ୍ତ୍ର ମିଶାଇଲ କ୍ରୟ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରି କରିଛି। ଭାରତର ପ୍ରତିରକ୍ଷା ଉପକରଣ ଓ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ିଚାଲିଛି। ଆଜି ‘କାରଗିଲ ବିଜୟ ଦିବସ’ ଅବସରରେ ଆମେ ଆମର ଅମର ସହିଦମାନଙ୍କୁ ପ୍ରଣାମ କରିବା ସହ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜର ସଂକଳ୍ପକୁ ଆହୁରି ସୁଦୃଢ଼ କରିବା।
‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ କ୍ୟାଚ୍ ଦି ​‌େ​‌ରନ ଅଭିଯାନର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଗତ ଅଧ୍ୟାୟରେ ସେ ବର୍ଷାଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ନିବେଦନ କରିଥିଲେ। ଜୁଲାଇ ୪ ତାରିଖରୁ ସାରା ଦେଶରେ ‘କ୍ୟାଚ୍ ଦି ରେନ୍‌’ ଅଭିଯାନ ଜାରି ରହିଛି। ଏହା ଅନ୍ତର୍ଗତ ବର୍ଷାଜଳ ଅମଳ, ଭୂତଳ ଜଳ ପୁନଃଚାର୍ଜ, ପୁରାତନ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଗାଁ ହେଉ କି ସହର, ପଞ୍ଚାୟତ ହେଉ କିମ୍ବା ସାମାଜିକ ସଙ୍ଗଠନ ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଓ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ଏହି ଅଭିଯାନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସହର ବେଶ୍‌ ସଫଳତା ହାସଲ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ ଛତିଶଗଡ଼ର କୋରବା ଓ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି।
ଗତ ରବିବାର ଦିନ ବିକ୍ରମ-୧’ର ସଫଳ ଉତ୍‌କ୍ଷେପଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହା ଘରୋଇ କ୍ଷେତ୍ର ଦ୍ୱାରା ବିକଶିତ ଭାରତର ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଓ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଅଗଷ୍ଟ ୭ ତାରିଖକୁ ଦେଶ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରିଆସୁଛି। ଏହି ଅବସରରେ ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି, ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଏଥିପାଇଁ ଆମେ ହସ୍ତତନ୍ତ ସାମଗ୍ରୀ କ୍ରୟ କରିବା ପ୍ରତି ଆଗ୍ରହ ବଢାଇବା। କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ପାଳନ କରିବା। ଅଗଷ୍ଟ ୧୫ ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ‘ଭାରତମାତା’ର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ଗତ କିଛିବର୍ଷ ହେଲା ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଦିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା। ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button