ଖେଳ

ସ୍ବର୍ଣ୍ଣ ଆଣିଲେ ଚାନୁ

ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ ୧୯୦ କିଗ୍ରା ଭାର ଉଠାଇ ୪ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତ୍ତିମାନ ପ୍ରତିଷ୍ଠାକରି ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମୀରାବାଈ ସ୍ନାଚ୍‌ରେ ୮୫ କିଗ୍ରା ଓ କ୍ଲିନ୍ ଏଣ୍ଡ୍ ଜର୍କରେ ୧୦୫ କିଗ୍ରା; ଏହିପରି ମୋଟ
୧୯୦ କିଗ୍ରା ଭାର ଉଠାଇ ପ୍ରଥମ ସ୍ଥାନ​‌େ‌ର ରହିଥିଲେ। ୧୯୦ କିଗ୍ରା ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତ୍ତିମାନ। ମୀରାବାଈ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଫେଭରିଟ୍‌ ଥିଲେ। ସେ ଏପରି ପ୍ରାଧାନ୍ୟ ବିସ୍ତାର କରିଥିଲେ ଯେ ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ଆଖପାଖରେ ନ ଥିଲେ।
ମୀରାବାଈ ଚାନୁ ସ୍ନାଚ୍‌ରେ ତାଙ୍କ ୩ୟ ପ୍ରୟାସରେ ୮୫ କିଗ୍ରା ଭାର ଉଠାଇ ପ୍ରଥମ ସ୍ଥାନରେ ରହିଥିଲେ। ଏହା ହେଉଛି ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତ୍ତିମାନ। ପ୍ରଥମ ପ୍ରୟାସରେ ମୀରାବାଈ ୮୨ କିଗ୍ରା ଉଠାଇବା ପ୍ରୟାସକରି ବିଫଳ ହୋଇଥିଲେ। ତେବେ ୨ୟ ପ୍ରୟାସରେ ମୀରାବାଈ ଏଥିରେ ସଫଳ ହୋଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିଥିଲେ। ୩ୟ ପ୍ରୟାସରେ ସେ ରେକର୍ଡ ୮୫ କିଗ୍ରା ଭାର ଉଠାଇ ପୁଣି ନିଜ ରେକର୍ଡ ଭାଙ୍ଗିଥିଲେ। କ୍ଲିନ୍ ଏଣ୍ଡ୍ ଜର୍କରେ ମୀରାବାଈ ପ୍ରଥମ ପ୍ରୟାସରେ ୧୦୫ କିଗ୍ରା ଉଠାଇବା ପ୍ରୟାସ କରି ବିଫଳ ହେବା ପରେ ୨ୟ ପ୍ରୟାସରେ ୧୦୫ କିଗ୍ରା ଉଠାଇ ତୃତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ତାଙ୍କର ସ୍ବର୍ଣ୍ଣପଦକ ଜିତିବା ନିଶ୍ଚିତ ହୋଇଥିବାରୁ ସେ ୩ୟ ପ୍ରୟାସ କରିନଥିଲେ। ନାଇଜେରିଆର ରୁଥ୍ ନ୍ୟୋଙ୍ଗ୍‌ ୭୫+୯୩; ଏହିପରି ମୋଟ ୧୬୮ କିଗ୍ରା ଭାର ଉଠାଇ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଥିବା ବେଳେ ମାଲେସିଆର ଇରେନ୍ ହେନ୍‌ରୀ ୭୭+୯୦; ମୋଟ ୧୬୭ କିଗ୍ରା ଭାର ଉଠାଇ ୩ୟ ସ୍ଥାନରେ ରହି କାଂସ୍ୟପଦକ ଜିତିଥିଲେ। ମୀରାବାଈ ଚାନୁ ୨୦୧୮ରୁ ୨୦୨୬; କ୍ରମାଗତ ୩ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିବାର କୃତିତ୍ବ ହାସଲ କରିଛନ୍ତି। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଜିତିଥିବା ମୀରାବାଈଙ୍କର ପ୍ରତିଯୋଗିତାରେ ଏହା ୪ର୍ଥ ପଦକ। ମଣିପୁରର ମୀରାବାଈ ଟୋକିଓ ଅଲିମ୍ପିକ୍‌ସରେ ରୌପ୍ୟପଦକ ଜିତିଥିବା ବେଳେ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣପଦକ ଜିତିବାର କୃତିତ୍ବ ହାସଲ କରିଥିଲେ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button